ବୋଗୋଟା,୦୮/୦୬: କୋଲମ୍ବିଆରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ ହୋଇଛି । ଏକ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେବା ବେଳେ ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲ ଉରିବେଙ୍କୁ ଗୁଳିମାଡ଼ କରିଥିଲେ ଦୁର୍ବୃତ୍ତ । ସଙ୍କଟାପନ୍ନ ଅବସ୍ଥାରେ ମିଗୁଏଲ ଉରିବେଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁଳିମାଡ଼ କରିଥିବା ଦୁର୍ବୃତ୍ତଙ୍କୁ ଗିରଫ କରିଛି ପୁଲିସ ।
ସ୍ଥାନୀୟ ମିଡ଼ିଆ ରିପୋର୍ଟ ଅନୁସାରେ,ଏକ ନିର୍ବାଚନୀ ରାଲିରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲ ଉରିବେ । ଏହି ସମୟରେ ଅଚାନକ ଜଣେ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ମିଗୁଏଲଙ୍କ ମୁଣ୍ଡରେ ଗୁଳି ବାଜିଛି । ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଇସିୟୁରେ ଚିିକିତ୍ସା ଚାଲିଛି । ଗୁଳିମାଡ଼ କରିଥିବା ଦୁର୍ବୃତ୍ତକୁ କାବୁ କରିଛି ପୁଲିସ ।
ଅଘଟଣ ସମୟରେ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡ଼ିଓରେ ଦେଖିବାକୁ ମିଳିଛି କି ମିଗୁଏଲ କିଛି ଲୋକଙ୍କ ଆଗରେ ଭାଷଣ ଦେଉଛନ୍ତି । ଏହି ସମୟରେ ଅଚାନକ ତାଙ୍କ ଉପରକୁ ଜଣେ ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ଶବ୍ଦ ଶୁଣାଯାଇଛି । ଏହାପରେ ରକ୍ତ ଜୁଡୁବୁଡୁ ହୋଇଥିଲେ ମିଗୁଏଲ । ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତାଙ୍କ ମୁଣ୍ଡରେ ଗୁଳି ବାଜିଥିବା କୁହାଯାଉଛି । ୨୦୨୬ରେ କୋଲମ୍ବିଆରେ ରାଷ୍ଟ୍ରପତି ନିର୍ବାଚନ ହେବ । ଏଥିରେ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଗତ ଅକ୍ଟୋବରରେ ଘୋଷଣା କରିଥିଲେ ମିଗୁଏଲ ।
୩୪ ବର୍ଷ ପୂର୍ବେ ସେହିଠାରେ ତାଙ୍କ ମା'ଙ୍କୁ ହତ୍ୟା ହୋଇଥିଲା- ମିଗୁଏଲ ଉରିବେଙ୍କୁ ଯେଉଁ ସହରରେ ଗୁଳିମାଡ ହୋଇଛି । ଆଜିକୁ ଠିକ୍ ୩୪ ବର୍ଷ ପୂର୍ବେ ସେହି ସହରରେ ତାଙ୍କ ମା'ଙ୍କୁ ସେହିଠାରେ ହତ୍ୟା କରାଯାଇଥିଲା । ମିଗୁଏଲ କୋଲମ୍ବିଆର ପ୍ରସିଦ୍ଧ ପତ୍ରକାର ଡାୟନା ଟର୍ବିଙ୍କ ପୁଅ । ୧୯୯୧ରେ ଡ୍ରଗ୍ସ ମାଫିଆ ସେହି ସ୍ଥାନରେ ମିଗୁଏଲଙ୍କ ମାଆଙ୍କୁ ହତ୍ୟା କରିଥିଲେ । ଡାୟନା ସେହି ସମୟରେ ଜଣେ ବଡ଼ ସାମ୍ବାଦିକା ଥିଲେ । ସେ ଡ୍ରଗ୍ସ ତସ୍କରୀ ଏବଂ ସଂଗଠିତ ଅପରାଧ ବିରୋଧରେ ଲେଖୁଥିଲେ ।
୩୯ ବର୍ଷୀୟ ମିଗୁଏଲ ଉରିବେ ୧୯୮୬ରେ କୋଲମ୍ବିଆରେ ଜନ୍ମଗ୍ରହଣ କରିଥିଲେ । ବୋଗୋଟା କାଉନସିଲର ଭାବେ ସେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ସେ ସହରୀ ବିକାଶ ଓ ସୁରକ୍ଷା ସମ୍ବନ୍ଧିତ ମୁଦ୍ଦା ଉପରେ କାମ କରିଛନ୍ତି । ୨୦୧୬-୨୦୧୮ ଯାଏ ବୋଗୋଟାର ସରକାରୀ ସଚିବ ଥିଲେ । ୨୦୨୬ ରାଷ୍ଟ୍ରପତି ନିର୍ବାଚନ ପାଇଁ ଦଳର ପ୍ରମୁଖ ପ୍ରାର୍ଥୀ ହୋଇଛନ୍ତି । ମିଗୁଏଲଙ୍କ ଜେଜେବାପା ଜୁଲିଓ ସିଜର କୋଲମ୍ବିଆର ପୂର୍ବତନ ରାଷ୍ଟ୍ରପତି ଥିଲେ । ସେ ୧୯୭୮ରୁ ୧୯୮୨ ଯାଏ ଦେଶର ୨୫ତମ ରାଷ୍ଟ୍ରପତି ହୋଇଥିଲେ ।