ଭୁବନେଶ୍ୱର/ବାଲିଅନ୍ତା, ୧୫/୦୧: ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ପରି କମିଶନରେଟ୍ ପୁଲିସ ଆଉଜଣେ ନକଲି ଡାକ୍ତରଙ୍କୁ ଗିରଫ କରିଛି । ତାଙ୍କ ନାମ ରଞ୍ଜିବ କୁମାର ପ୍ରଧାନ ଓରଫ ଡାକ୍ତର ପ୍ରକାଶ ପ୍ରଧାନ ଓରଫ ତୁଷାର ପ୍ରଧାନ(୪୦) । ଘର କେନ୍ଦୁଝର ଚମ୍ପୁଆ ଥାନା ସାନନଇ । ରଞ୍ଜିବଙ୍କୁ ପାହାଳ ଥାନା ପୁଲିସ ଗିରଫ କରିଛି ।
ପୁଲିସ ସୂଚନା ଅନୁଯାୟୀ, ୨୦୨୧ ମସିହାରେ ଏକ ବୈବାହିକ ପ୍ଲାଟ୍ଫର୍ମରେ ଅଭିଯୋଗକାରିଣୀ ନିଜ ବାୟୋଡାଟା ସେୟାର କରିବା ପରେ ଅଭିଯୁକ୍ତ ରଞ୍ଜିବ ନିଜକୁ ଡକ୍ଟର ପ୍ରକାଶ ପ୍ରଧାନ ବୋଲି ପରିଚୟ ଦେଇ ତାଙ୍କ ସହ ଯୋଗାଯୋଗ କରିଥିଲେ । ସେ ପରେ ନିଜ ସାନଭାଇ ତୁଷାର ପ୍ରଧାନଙ୍କୁ ରାୟଗଡ଼ା ଏସ୍ବିଆଇର ଡେପୁଟି ମ୍ୟାନେଜର ବୋଲି ଭୂଲ ସୂଚନା ଦେଇଥିଲେ । ବିବାହ ପାଇଁ ପ୍ରତିଶ୍ରୁତିଦେବା ସହ ଅଭିଯୋଗକାରିଣୀଙ୍କ ପରିବାର ସହ ନିୟମିତ ଯୋଗାଯୋଗରେ ଥିଲେ । ବିବାହ କରିବାର ପ୍ରତିଶ୍ରୁତି ଦେଇ ସେ ବିଭିନ୍ନ ପ୍ରକାର ମିଛ ବାହାନା ଦେଖାଇ ଏକ ପେଟ୍ରୋଲ ପମ୍ପ ନିଲାମ ସଂପର୍କରେ ମିଥ୍ୟା କଥା କହି ଅଭିଯୋଗକାରିଣୀଙ୍କ ବାପାଙ୍କ ଠାରୁ ୨୩ ଲକ୍ଷ ଟଙ୍କା ନେଇ ଯାଇଥିଲେ । ଜାଣିଶୁଣି ସେ ବିବାହ ପ୍ରସ୍ତାବକୁ ବିଳମ୍ବ କରାଉଥିଲେ । ସନ୍ଦେହ ହେବାରୁ ଅଭିଯୋଗକାରିଣୀ ଏନେଇ ଗତବର୍ଷ ଅକ୍ଟୋବର ୨୭ରେ ପାହାଳ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ତଦନ୍ତରୁ ଅଭିଯୁକ୍ତ ଭିନ୍ନ ଭିନ୍ନ ପରିଚୟ ଦେଇ ଅଭିଯୋଗକାରିଣୀଙ୍କ ବାପାଙ୍କ ଠାରୁ ୨୩ ଲକ୍ଷ ଟଙ୍କା ଠକି ନେଇଥିବା ଜଣା ପଡ଼ିଥିଲା ।
ବୈଷୟିକ ତଦନ୍ତରୁ ଜଣାପଡ଼ିଥିଲା କି, ଅଭିଯୁକ୍ତ ବ୍ୟବହାର କରୁଥିବା ୨ଟି ମୋବାଇଲ ନମ୍ବର ସମାନ ମୋବାଇଲ ହ୍ୟାଣ୍ଡ୍ସେଟ୍ରୁ ଚାଲୁଥିଲା ଏବଂ ସମାନ ବ୍ୟକ୍ତିଙ୍କ ସହିତ ସଂପୃକ୍ତ ଥିଲା । ସିଡିଆର/ ଏସ୍ଡିଆର ବିଶ୍ଳେଷଣ ଓ ବ୍ୟାଙ୍କ ଆକାଉଣ୍ଟ୍ ଯାଞ୍ଚରୁ ପୁଲିସ ସ୍ପଷ୍ଟ ହୋଇଥିଲା କି ଅଭିଯୁକ୍ତ ରଞ୍ଜିବ କୁମାର ପ୍ରଧାନ ଅଭିଯୋଗକାରିଣୀଙ୍କ ପରିବାର ଲୋକଙ୍କୁ ଠକିବା ପାଇଁ ନିଜକୁ ଡକ୍ଟର ପ୍ରକାଶ ପ୍ରଧାନ ଓ ତୁଷାର ପ୍ରଧାନ ବୋଲି ପରିଚୟ ଦେଇଥିଲେ । ତେଣୁ ପୁଲିସ ଏହି ଠକେଇ ମାମଲାରେ ରଞ୍ଜିବଙ୍କୁ ଉଠାଇ ଆଣିଥିଲା । ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।