ଭୁବନେଶ୍ବର,୨୮।୧୦ :   ବାଣ ଦୋକାନ ଖୋଲିବାକୁ ଜାରି ହେଲା ଗାଇଡ ଲାଇନ । କମିସନରେଟ ପୋଲିସ ପକ୍ଷରୁ ଭୁବନେଶ୍ବରରେ ଦୋକାନ ଖୋଲିବାକୁ ହେଲେ ଗାଇଡଲାଇନକୁ ପାଳନ କରିବାକୁ ବାଧ୍ୟତାମୁଳକ କରାଯାଇଛି । ଗାଇଡଲାଇନ ମୁତାବକ ବର୍ତ୍ତମାନ ସୁଦ୍ଧା ୨୫ଟି ସ୍ଥାନରେ ଅସ୍ଥାୟୀ ବାଣ ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି ।  ଏହା ସହିତ ଭୁବନେଶ୍ବର ୟୁପିଡିରେ ବାଣ ବିକ୍ରୀ ପାଇଁ ଅନୁମତି ମାଗିଥିବା ୪୬୫ ଜଣଙ୍କ ମଧ୍ୟରୁ ୨୦୦ ଦୋକାନକୁ ଅନୁମତି ପ୍ରଦାନ କରାଯାଇଛି । ଅନ୍ୟ ମାନଙ୍କୁ ମଧ୍ୟ ଖୁବଶିଘ୍ର ଅନୁମତି ଦିଆଯିବ ବୋଲି ସୁଚନା ଦେଇଛନ୍ତି ଭୁବନେଶ୍ବର ଡିସିପି । 

ଏହା ସହିତ ପ୍ରତି ଦୋକାନ ମଧ୍ୟରେ ତିନି ମିଟର ଦୁରତା ରଖାଯିବ । ଦୋକାନ ସାମ୍ନାରେ ପାଣି ଡ୍ରମ , ଓଦା କମ୍ବଳ , ବାଲିବସ୍ତା , ଓ ଏକ୍ସଟିନଗ୍ୟୁସର ରଖିବା ପାଇଁ ବାଧ୍ୟତା ମୁଳକ କରାଯାଇଛି । ଦୋକାନ ସ୍ଥାନରୁ ଆଗ ପଛ ଦୁଇ କଡରେ ୨ ଶହ ମିଟର ପର୍ଯ୍ୟନ୍ତ କୌଣସି ମନ୍ଦିର , ମସଜିଦ , ଗିର୍ଜା , ସ୍କୁଲ କିମ୍ବା ଜନବସତି ରହିନଥିବ । ଏହାକୁ ଦେଖିବା ପାଇଁ କମିସନରେଟ ପୋଲିସ , ଅଗ୍ନୀଶମ ବିଭାଗ ଓ ଅନ୍ୟାନ୍ୟ ବିଭାଗର ଅଫିସରଙ୍କୁ ନେଇ ଏକ ଟିମ ଗଠନ କରାଯାଇଛି । ସେହି ଟିମ ଗାଇଡଲାଇନ ପାଳନ କରୁନଥିବା ଦୋକାନ ବିରୁଦ୍ଧରେ କୌଣସି ମତ ରଖିଲେ ସେହି ଦୋକାନ ଲାଇସେନ୍ସ ବାତିଲ କରାଯିବ । 

ଅନ୍ୟପଟେ  ବିଭିନ୍ନ ବାଣ ଗୋଦାମ ଉପରେ ଚଢାଉ କରିଛି ପୋଲିସ । ବିନା ରସିଦରେ ଜଟଣି ବାଣ ଗୋଦାମରେ ରହିଥିବା ଲକ୍ଷାଧିକ ଟଙ୍କାର ବାଣ ଜବତ କରାଯାଇଛି । ସେହିଭଳି ବାଲିପାଟଣାରେ ୧୫୦ କେଜି ବାରୁଦ ସହିତ ୫୦ କେଜି ଡଷ୍ଟ ପାଉଡର ଜବତ କରାଯାଇଛି । ବାଲିପାଟଣା ଘଟଣାରେ ଦୁଇଜଣ ବାଣ ବେପାରୀଙ୍କୁ ଗିରଫ କରିଛି ପୋଲିସ ।