ନୂଆଦିଲ୍ଲୀ,୧୪/୦୪: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ୪  ବର୍ଷର ସର୍ବନିମ୍ନ ସ୍ତରକୁ ଖସିଛି । ଏବେ  ବ୍ୟାରେଲ ପିଛା ଏହାର ଦର ୬୫.୪୧  ଡଲାର ରହିଛି । ୨୦୨୧ ଏପ୍ରିଲରେ ବ୍ୟାରେଲ ପିଛା ଆଶୋଧିତ ତେଲ ଦର ୬୩.୪୦ ଡଲାର ସ୍ତରରେ ଥିଲା । ଅଶୋଧିତ ତେଲ ଦର କମିବା ଯୋଗୁ ଏବେ ତୈଳ ବିପଣନ କମ୍ପାନିଗୁଡ଼ିକର ଲାଭ ଐତିହାସିକ ରେକର୍ଡ ସ୍ତର ଛୁଇଁଛି ।  

ରେଟିଂ ଏଜେନ୍ସି ଗୁଡ଼ିକର ଆକଳନ  ମୁତାବକ, ଏବେ ତେଲ କମ୍ପାନି ପେଟ୍ରୋଲ ଲିଟର ପିଛା ୧୨ରୁ ୧୫ ଟଙ୍କା ଏବଂ  ଡିଜେଲ ଉପରେ ୬ରୁ ୧୨ ଟଙ୍କାର ଲାଭ  କମାଉଛନ୍ତି । ମାତ୍ର ଦର ହ୍ରାସ ଲାଗି ଏବେ କମ୍ପାନିଙ୍କ ମଧ୍ୟରେ ସ୍ପୃହା ନାହିଁ । ଗତ ଗୋଟିଏ ବର୍ଷ ହେବ ତେଲ କମ୍ପାନି ଗୁଡ଼ିକ ଦରରେ କୌଣସି ହ୍ରାସ କରିନାହାନ୍ତି ।  ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ  ଦର କମିବା ଯୋଗୁ ଘରୋଇ ବଜାରରେ ତେଲର ଖୁଚୁରା ଦରରେ ହ୍ରାସ ହେବ ବୋଲି ଆଶା କରାଯାଉଥିଲା । ହେଲେ ସରକାର  ତେଲ ଉପରେ ୨ ଟଙ୍କାର ଉତ୍ପାଦ ଟିକସ  ବଢ଼ାଇ ଦେଲେ । ଫଳରେ କମ୍ପାନିଗୁଡ଼ିକ  ଏହାକୁ ଆଳ କରି ଦାମ କମାଇବାରୁ  ବର୍ତ୍ତିଯାଇଥିବା ବିଶେଷଜ୍ଞ କହିଛନ୍ତି । ଦୀର୍ଘ ସମୟ ହେବ କ୍ଷତିର ଆଳ ଦେଖାଇ କମ୍ପାନିଗୁଡ଼ିକ ଦାମରେ କୌଣସି  ହ୍ରାସ କରୁନ ଥିଲେ । 

ସୂଚନା ମୁତାବକ,  ଗତ ୫ ବର୍ଷରେ ଦେଶର ୭ ପ୍ରମୁଖ  ତେଳ ଏବଂ ଗ୍ୟାସ କମ୍ପାନି ମଧ୍ୟରୁ କେବଳ  ଇଣ୍ଡିଆନ ଅଏଲ ୨୦୧୯-୨୦ରେ କ୍ଷତି  ସହିଥିଲା । ଏହାବାଦ କମ୍ପାନିଗୁଡ଼ିକ  ପ୍ରତିବର୍ଷ ବମ୍ପର ଲାଭ କରୁଛନ୍ତି ।  ପେଟ୍ରୋଲିୟମ ପ୍ଲାନିଂ ଆଣ୍ଡ ଆନାଲିସିସ  ସେଲ୍‌ ମୁତାବକ, ଗତ ୫ ବର୍ଷରେ ତେଲ  ଏବଂ ଗ୍ୟାସ କମ୍ପାନିଗୁଡ଼ିକ ଠାରୁ କେନ୍ଦ୍ର  ସରକାର ୩୫ ଲକ୍ଷ କୋଟିର ରାଜସ୍ୱ  ଆଦାୟ କରିଛନ୍ତି । 

କେନ୍ଦ୍ର ସରକାରଙ୍କୁ  ଉତ୍ପାଦ ଟିକସ, କମ୍ପାନିଗୁଡ଼ିକର ଲାଭାଂଶ  ଏବଂ ଆୟକର ବାବଦକୁ ୨୧.୪ ଲକ୍ଷ  କୋଟିର ଆୟ ହୋଇଛି । ଏହି ଅବଧିରେ  ରାଜ୍ୟଗୁଡ଼ିକ ଭାଟ୍‌ ଏବଂ ଲାଭାଂଶ ଭାବେ  ୧୩.୬ ଲକ୍ଷ କୋଟି ଟଙ୍କା ପାଇଛନ୍ତି । ୨୦୨୩-୨୪ରେ ଦେଶର ୭ ବଡ  ତେଲ କମ୍ପାନି ୨.୨୯ ଲକ୍ଷ କୋଟି ଟଙ୍କା ଲାଭ  ହାସଲ କରିଛନ୍ତି । ରିଲାଏନ୍ସ ଗତ ୫ ବର୍ଷରେ  ୨.୮୬ ଲକ୍ଷ କୋଟି ଟଙ୍କା ଲାଭ କରିଛି ।  ୨୦୧୯-୨୦ରୁ ୨୦୨୩-୨୪ ଅବଧିରେ  ତେଲ କମ୍ପାନି ମୋଟ ୭ ଲକ୍ଷ କୋଟିରୁ  ଊଦ୍ଧ୍ୱର୍ ଲାଭ ହାସଲ କରିଥିବା ସୂଚନା ମିଳିଛି ।