ଜୟପୁର,୨୮/୩ : ଶେଷ ହୋଇଛି ଯୁକ୍ତ ୨ ବାର୍ଷିକ ପରୀକ୍ଷା। ବିକ୍ରମଦେବ ବିଶ୍ୱବିଦ୍ୟାଳୟ ହବ୍ରେ ଏ ବର୍ଷ କପି କରି ଧରାପଡ଼ିଛନ୍ତି ୧୧ ଛାତ୍ରଛାତ୍ରୀ। କଳା ଏବଂ ବାଣିଜ୍ୟ ବର୍ଗରେ ଶେଷ ପରୀକ୍ଷା ଦେଇଛନ୍ତି ୪୪୦ ଜଣ। କୌଣସି କାରଣରୁ ୧୦ ଜଣ ଅନୁପସ୍ଥିତ ଅଛନ୍ତି । କପି କରି ଧରାପଡ଼ିଥିବା ଛାତ୍ରଛାତ୍ରୀଙ୍କ ଉତ୍ତର ଖାତା ପରୀକ୍ଷା ନିୟନ୍ତ୍ରକଙ୍କ କାର୍ଯ୍ୟାଳୟକୁ ପଠାଯାଇଛି। ଏପ୍ରିଲ ୨ରୁ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ପରିସରରେ ଖାତାଦେଖା ଆରମ୍ଭ ହେବ। ଏଥିଲାଗି ପ୍ରସ୍ତୁତି ଆରମ୍ଭ ହୋଇଥିବା ଜୋନ୍ ସୁପରିଣ୍ଟେଣ୍ଡେଣ୍ଟ ତଥା ବିକ୍ରମଦେବ ଜୁନିଅର କଲେଜ୍ ପ୍ରିନ୍ସପାଲ୍ କ୍ୟାପଟେନ୍ ଡ.ଲକ୍ଷ୍ମଣ ପାତ୍ର କହିଛନ୍ତି । ଗତ ୨୭ ତାରିଖରେ ଥିଲା ଶେଷ ପରୀକ୍ଷା ।
ନିର୍ଦ୍ଧାରିତ ସମୟରେ ଛାତ୍ରଛାତ୍ରୀଙ୍କ ଯାଞ୍ଚ ସରିବା ପରେ ପ୍ରଶ୍ନପତ୍ର ପ୍ରଦାନ କରାଯାଇଥିଲା । ପରୀକ୍ଷା ସରିବା ପରେ ହଲ୍ ଭିତରୁ ବାହାରୁଥିବା ଅଧିକାଂଶ ଛାତ୍ରଛାତ୍ରୀଙ୍କ ମୁହଁରେ ଥିଲା ହସ। କଳା, ବାଣିଜ୍ୟ, ଭୋକେସନାଲ୍ ପ୍ରଶ୍ନ ଉତ୍ତର ଭଲ ଲେଖିଥିବା ଅଧିକାଂଶ କହିଥିଲେ। ପରୀକ୍ଷା ସରିବା ଖୁସିରେ ପରସ୍ପର ଅବିର ବୋଳି ହୋଇଥିଲେ। ମିଳିଥିବା ତଥ୍ୟ ଅନୁଯାୟୀ, ବିକ୍ରମଦେବ ଏଚ୍ଏସ୍ଏସ୍ କଳା ବର୍ଗ ଲଜିକ୍ ପରୀକ୍ଷା ଦେଇଥିଲେ ୭୬ ଛାତ୍ରଛାତ୍ରୀ। ୨ ଜଣ ଅନୁପସ୍ଥିତ ଥିଲେ। ବାଣିଜ୍ୟ ବର୍ଗ ଆକାଉଣ୍ଟାନସିରେ ୩୧୮ରୁ ୩୧୨ ଜଣ ପରୀକ୍ଷା ଦେଇଥିଲେ। ଶ୍ରୀ ବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟର ଭୋକେସନାଲ୍ ଛାତ୍ରଛାତ୍ରୀ ୧୮ରୁ ୧୭ ଉପସ୍ଥିତ ଥିଲେ। ସେହିପରି କୁନ୍ଦୁରା ବିଜୁ ପଟ୍ଟନାୟକ ଏଚଏସଏସ୍ ଭୋକେସନାଲ୍ ବର୍ଗର ୩୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । କୌଣସି କାରଣରୁ ଜଣେ ଅନୁପସ୍ଥିତ ଥିଲେ।
ଶେଷ ଦିନ କେହି କପି କରି ଧରାପଡ଼ିନଥିଲେ । ପରୀକ୍ଷା ଆରମ୍ଭ ହୋଇଥିଲା ମାର୍ଚ୍ଚ ୨୨ରେ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କପି କରି ସ୍କ୍ୱାଡ୍ ହାତରେ ଧରାପଡ଼ିଥିଲେ ୧୧ ଜଣ । ଅଧିକାଂଶ କଳା ବର୍ଗର । ସେ ଭିତରେ ଅଛନ୍ତି ବିକ୍ରମଦେବ ଜୁନିଅର କଲେଜର ୨, ବୈପାରିଗୁଡ଼ା ସହିଦ ଲକ୍ଷ୍ମଣ ନାୟକ ଏଚଏସଏସ୍ର ୪ ଏବଂ କୁନ୍ଦୁରା ବିଜୁ ପଟ୍ଟନାୟକ ଜୁନିଅର କଲେଜର ୫ ଛାତ୍ରଛାତ୍ରୀ । ଜୋନ୍ ସୁପରିଣ୍ଟେଣ୍ଡେଣ୍ଟ ଡ.ପାତ୍ର କହିଛନ୍ତି, ଆସନ୍ତା ୨ରୁ ଖାତା ମୂଲ୍ୟାୟନ ଅଫ୍ଲାଇନ୍ ଏବଂ ଅନ୍ଲାଇନ୍ରେ ହେବ । ବିଜ୍ଞାନ ଏବଂ ବାଣିଜ୍ୟ ଖାତା ଅନ୍ଲାଇନ୍ରେ ଦେଖାହେବ। ଅଧ୍ୟାପକ, ଅଧ୍ୟାପିକାମାନେ କଳା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତା ଅଫ୍ଲାଇନ୍ରେ ଦେଖିବେ । ପୂର୍ବାହ୍ଣ ୧୦ରୁ ଅପରାହ୍ଣ ୫ ପର୍ଯ୍ୟନ୍ତ ଖାତା ଦେଖାଯିବ । ଏଥିଲାଗି ଟେବୁଲ୍ ବ୍ୟବସ୍ଥା ହୋଇଛି । ଗୋଟିଏ ଟେବୁଲ୍ରେ ପ୍ରାୟ ୮ ଜଣ ଖାତା ଦେଖିପାରିବେ । ଅଧ୍ୟାପକଙ୍କ ଯୋଗଦାନକୁ ଦେଖି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ହଲ୍ରେ ସିସିଟିଭି କ୍ୟାମେରା ଲଗାଯାଇଛି । ଜୋନ୍ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ପ୍ରତାପ କୁମାର ଆଚାର୍ଯ୍ୟ, ଅଫ୍ଲାଇନ୍ ଜୋନ୍ ଅଫିସର ଡ. ଉଜ୍ଜ୍ୱଳ ଷଡ଼ଙ୍ଗୀ ଏବଂ ଅନଲାଇନ୍ ଜୋନ୍ ଅଫିସର ରହିଛନ୍ତି କମଳ ଲୋଚନ ମହାଳିକ ।