ହାଇଦ୍ରାବାଦ,୦୭/୦୩: ନାବାଳକ ଭାବେ ଏଚ୍୧-ବି ଭିସାରେ ଆମେରିକା ଯାଇଥିବା ଏବଂ ବର୍ତ୍ତମାନ ସେଠାରେ ୨୧ ବର୍ଷରେ ପଦାର୍ପଣ କରିଥିବା ଭାରତୀୟମାନେ ରହିବା କଷ୍ଟକର ହୋଇପଡ଼ିଛି । ସେମାନଙ୍କୁ ଆଉ ଏନ୍ଆରଆଇ ପିତାମାତାଙ୍କ ଆଶ୍ରିତ (ଏଚ୍୪ ଭିସା ଧାରକ) ଭାବେ ଗ୍ରହଣ କରାଯିବ ନାହିଁ । ସେମାନଙ୍କୁ ୨୧ ବର୍ଷ ହେବା ପରେ ନୂଆ ଭିସା ଷ୍ଟାଟସ୍ ଗ୍ରହଣ କରିବାକୁ ଦୁଇବର୍ଷ ସମୟ ମିଳୁଥିଲା । କିନ୍ତୁ ବର୍ତ୍ତମାନ ଇମିଗ୍ରେସନ ନିୟମରେ ପରିବର୍ତ୍ତନ ଓ କୋର୍ଟ ମାମଲା କାରଣରୁ ସେହି ସମୟ ସୀମା ଶେଷ କରିଦିଆଯିବାର ଭୟ ସେମାନଙ୍କୁ ଘାରିଛି । କାରଣ ସେମାନଙ୍କୁ ବାଧ୍ୟତାମୂଳକ ଭାବେ ଆତ୍ମ ପ୍ରତ୍ୟର୍ପଣ (ସେଲ୍ଫ ଡିପୋର୍ଟେନ)ରେ ଭାରତକୁ ପଠାଇ ଦିଆଯିବ ।
୨୦୨୩ ମାର୍ଚ୍ଚର ରିପୋର୍ଟ ଅନୁସାରେ ଆମେରିକାରେ ୧.୩୪ ଲକ୍ଷ ଏଭଳି ଭାରତୀୟ ପିଲା ରହୁଛନ୍ତି ଯାହାଙ୍କର ଆଶ୍ରିତ ଭିସା ସେମାନଙ୍କ ପରିବାରକୁ ଗ୍ରୀନ କାର୍ଡ ମିଳିବା ପୂର୍ବରୁ ଶେଷ ହୋଇଯିବ । ନିକଟରେ ଟେକ୍ସାସର ଏକ କୋର୍ଟ ଡିଫର୍ଡ ଆକ୍ସନ ଫର ଚାଇଲ୍ଡହୁଡ୍ ଆରାଇଭାଲ (ଡିଏସିଏ) ଅଧୀନରେ ନୂଆ ଆବେଦନକାରୀଙ୍କୁ ୱାର୍କ ପରମିଟ୍ ଦେବା ଉପରେ ରୋକ୍ ଲଗାଇଛନ୍ତି । ଯାହାକୁ ନେଇ ଦ୍ୱନ୍ଦ୍ୱ ଆହୁରି ବଢ଼ିଯାଇଛି । ବିନା ଦସ୍ତାବିଜରେ ରହୁଥିବା ପ୍ରବାସୀଙ୍କୁ ଡିଏସିଏ ଦେଶାନ୍ତରଣ ଉପରେ ଦୁଇବର୍ଷ ପର୍ଯ୍ୟନ୍ତ ସୁରକ୍ଷା ଦେଇଥାଏ । ସେଥିରେ ଏଭଳି ପିଲାମାନେ ସାମିଲ ଅଛନ୍ତି ଯେଉଁମାନେ ୨୧ ବର୍ଷ ପରେ ପିତାମାତାଙ୍କ ଆଶ୍ରିତ ଭାବେ ନିଜର ସ୍ଥିତି ପାଇଁ ଅଯୋଗ୍ୟ ହୋଇଥାନ୍ତି, କିନ୍ତୁ ସେମାନଙ୍କ ପାଖରେ ନବୀକରଣ ଲାଗି ସମ୍ଭାବନା ଥାଏ । ଏହି ପ୍ରାବଧାନ ବିନା ସେମାନେ ଅନିଶ୍ଚିତତାରେ ଫସିଯିବାର ଭୟ ଘାରିଛି । ସମସ୍ୟାକୁ ଆହୁରି ଜଟିଳ କରିଛି ଗ୍ରୀନ୍ କାର୍ଡର ଅପେକ୍ଷା । ସେମାନଙ୍କ ପିତାମାତା ଗ୍ରୀନ କାର୍ଡ ପାଇଁ ଆବେଦନ କରିଛନ୍ତି । ହେଲେ ଅପେକ୍ଷା କରିବାର ସମୟ ୧୨ ବର୍ଷରୁ ୧୦୦ ବର୍ଷ ପର୍ଯ୍ୟନ୍ତ ରହିଛି ।
କାଲିଫର୍ଣ୍ଣିଆରେ ପଢ଼ୁଥିବା ଜଣେ ୨୦ ବର୍ଷୀୟା ନର୍ସିଂ ଛାତ୍ରୀ କହିଛନ୍ତି ସେ ୬ ବର୍ଷ ବୟସରୁ ଏଠାରେ ରହୁଛନ୍ତି । ତାଙ୍କର ପାଠପଢ଼ା, ସାଙ୍ଗସାଥୀ ଓ ଭବିଷ୍ୟତ ସବୁ ଏଠାରେ ରହିଛି । ଆମେରିକା ହିଁ ତାଙ୍କ ପାଇଁ ସବୁ କିଛି । କିନ୍ତୁ ବର୍ତ୍ତମାନ ତାଙ୍କୁ ଦେଶ ଛାଡ଼ିବାକୁ ପଡ଼ିବ ବୋଲି କୁହାଯାଉଛି । ତାଙ୍କର ଆଶ୍ରିତ ଭିସା ଆସନ୍ତା ଅଗଷ୍ଟ ମାସରେ ଶେଷ ହେବ । କିନ୍ତୁ ସେ ତାଙ୍କର ପାଠପଢ଼ା ଜାରି ରଖିବା ଲାଗି ଭିସାକୁ ଏଫ-୧ (ଛାତ୍ର ଭିସା)ରେ ବଦଳାଇବା ଲାଗି ଯୋଗ୍ୟ ଅଟନ୍ତି । କିନ୍ତୁ ଏହି ପ୍ରକ୍ରିୟାରେ ସେ ଜଣେ ଆନ୍ତର୍ଜାତିକ ଛାତ୍ରୀ ହୋଇଥିବାରୁ ଏଭଳି ଭିସା ପାଇବାକୁ ହେଲେ ବହୁ ଆହ୍ୱାନର ସାମ୍ନା କରିବାକୁ ପଡ଼ିବ । ତାଙ୍କ ଭଳି ଅନେକ ଛାତ୍ରଛାତ୍ରୀ ଟ୍ୟୁସନ ଫି, ସଂଘୀୟ ଆର୍ଥିକ ସହାୟତା ଓ ଛାତ୍ରବୃତ୍ତି ଲାଗି କେବଳ ଅଯୋଗ୍ୟ ହେବେ ନାହିଁ, ବରଂ ସେମାନଙ୍କ ପରିବାର ଉପରେ ବହୁଳ ମାତ୍ରାରେ ଆର୍ଥିକ ବୋଝ ପଡ଼ିବ ।
ସେହିଭଳି ଟେକ୍ସାସରେ ପଢ଼ୁଥିବା ଅନ୍ୟ ଜଣେ ୨୦ ବର୍ଷୀୟ ଯୁବକଙ୍କ ଏଚ୍-୪ ଭିସା ଚଳିତବର୍ଷ ଶେଷ ବେଳକୁ ସମାପ୍ତ ହେବ । ତାଙ୍କ କହିବାନୁଯାୟୀ ରାଜ୍ୟ ବାହାରର ଟ୍ୟୁସନ ଫି ସେ ବହନ କରିପାରିବେ ନାହିଁ । ନିଜର ଖର୍ଚ୍ଚ ଉଠାଇବା ଲାଗି କ୍ୟାମ୍ପସ ବାହାରେ କୌଣସି କାମ କରିପାରିବେ ନାହିଁ । ସେ କହିଛନ୍ତି ତାଙ୍କୁ ଏଭଳି କିଛି କ୍ଷେତ୍ର ପାଇଁ ଦଣ୍ଡିତ କରାଯାଉଛି ଯାହା ଉପରେ ତାଙ୍କର କୌଣସି ନିୟନ୍ତ୍ରଣ ନାହିଁ । ତାଙ୍କୁ ବର୍ତ୍ତମାନ ୪୫ ହଜାର ଡଲାର (୩୯ ଲକ୍ଷ ଟଙ୍କା) ଫି ଦେବାକୁ ପଡ଼ିପାରେ । କିନ୍ତୁ ତାଙ୍କର ଜଣେ ବନ୍ଧୁ ବର୍ତ୍ତମାନ ୧୦ ହଜାର ଡଲାର (୮.୭ ଲକ୍ଷଟଙ୍କା) ଦେଉଛନ୍ତି । ଏଭଳି କ୍ଷେତ୍ରରେ କିଛି ଯୁବକ କାନାଡା, ବ୍ରିନେଟ କିମ୍ବା ଅନ୍ୟ କୌଣସି ୟୁରୋପୀୟ ଦେଶକୁ ଚାଲିଯିବା ଉପରେ ବିଚାର କରୁଛନ୍ତି । ଯେଉଁଠାରେ ଇମିଗ୍ରେସନ ନୀତିକୁ ଅଧିକ ସମାବେଶୀ ଭାବେ ବିବେଚନା କରାଯାଉଛି ।
ମେମ୍ଫିସରେ ରହୁଥିବା ଜଣେ ଅଣ୍ଡର ଗ୍ରାଜୁଏଟ ଯୁବକଙ୍କ କହିବାନୁଯାୟୀ ଆସନ୍ତା ମାସରେ ତାଙ୍କୁ ୨୧ ବର୍ଷ ହୋଇଯିବ । ବାହାର ଦେଶକୁ ପଳାଇଯିବା ଏକ ସୁବିଧାଜନକ ବିକଳ୍ପ ହୋଇପାରେ । କାରଣ ଏଠାରେ ସେ ରହି ପାଠ ପଢ଼ିଲେ ମଧ୍ୟ ଚାକିରି ମିଳିବା କିମ୍ବା ଭବିଷ୍ୟତ ଗଢ଼ିବା ଏଠାରେ କେତେ ସୁନିଶ୍ଚିତ ହେବ ତାହା ସେ ଜାଣନ୍ତି ନାହିଁ । ତାଙ୍କ ପିତାମାତା ଅବସର ନେବା ପରେ ଭାରତ ଫେରିଯିବାକୁ ଯୋଜନା କରୁଛନ୍ତି । ତେଣୁ ଏଠାରେ ରହିବା ଲାଗି ତାଙ୍କ ପାଖରେ ଆଉ କିଛି ନାହିଁ । ସେ ଭାରତକୁ ଫେରିଆସିବାକୁ ସହଜ ମନେ କରୁନାହାନ୍ତି । କାରଣ ପିଲାଦିନରୁ ସେ ଆମେରିକାରେ ରହିଆସୁଥିବା ବେଳେ ଭାରତ ବର୍ତ୍ତମାନ ତାଙ୍କ ପାଇଁ ଏକ ବିଦେଶୀ ରାଷ୍ଟ୍ର ଭଳି ଲାଗିବ । ତାଙ୍କୁ ନୂଆ କରି ପୁଣିଥରେ ସବୁକିଛି ଆରମ୍ଭ କରିବାକୁ ପଡିବ ।
ଆମେରିକାରେ ରୋଜଗାର ଆଧାରିତ ଗ୍ରୀନକାର୍ଡ ବ୍ୟବସ୍ଥାରେ ବହୁତ ବ୍ୟାକଲଗ ରହିଛି । ଯାହା ଭାରତୀୟ ପ୍ରବାସୀଙ୍କୁ ଅନୁପାତହୀନ ରୂପରେ ପ୍ରଭାବିତ କରୁଛି । ବିଶେଷକରି ଯୁବବର୍ଗ ଅଧିକ ପ୍ରଭାବିତ ହେବା ଗମ୍ଭୀର ଚିନ୍ତାର ବିଷୟ । ଟେକ୍ସାସର ଜଣେ ଛାତ୍ର କହିଛନ୍ତି କି ତାଙ୍କ ପ୍ରତିକ୍ଷା ଅବଧି ୨୩ ବର୍ଷ ରହିଛି । ଆସନ୍ତା ଅକ୍ଟୋବରରେ ତାଙ୍କୁ ୨୧ ବର୍ଷ ହୋଇଯିବ । ଏହା ପରେ ସେ କଣ କରିବେ? ପୂର୍ବରୁ ଡିଏସିଏ ଅଧୀନରେ ୨ ବର୍ଷ ପର୍ଯ୍ୟନ୍ତ ସମ୍ପ୍ରସାରଣ ଅବଧି ମିଳୁଥିଲା । ସେଥିରେ ସେମାନେ ପାଠ ପଢ଼ିପାରୁଥିଲେ, ଚାକିରି କରିପାରୁଥିଲେ ଏବଂ ସାମାଜିକ ସୁରକ୍ଷା ନମ୍ବର ମଧ୍ୟ ହାସଲ କରିପାରୁଥିଲେ । କିନ୍ତୁ ନୂଆ ସରକାର ଆସିବା ଏବଂ ଜନ୍ମସିଦ୍ଧ ନାଗରିକତା ଅଧିକାର ରଦ୍ଦ କରାଯିବା ପରେ ସବୁ କିଛି ଏବେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି ।