ନମୌଜା,୨୧/୦୮: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକକୁ ତୁରନ୍ତ ଏନଏସି ଘୋଷଣା ପାଇଁ କଂଗ୍ରେସ ଦାବି କରିଛି । ଗୁରୁବାର ଆଳି ବ୍ଲକ୍ କଂଗ୍ରେସ ତରଫରୁ ବ୍ଲକ୍ କଂଗ୍ରେସ ସଭାପତି ରବିନାରାୟଣ ବେହେରାଙ୍କ ନେତୃତ୍ୱରେ ପିସିସି ସମ୍ପାଦିକା ତଥା ଆଳି ନିର୍ବାଚନ ମଣ୍ଡଳୀର ନେତ୍ରୀ ଡା ଦେବସ୍ମିତା ଶର୍ମାଙ୍କ ଉପସ୍ଥିତିରେ ଏକ ବିଶାଳ ରାଲି ବାହାରିଥିଲା । ଆଳି ସ୍ଥିତ ଦେବସ୍ମିତା ଶର୍ମାଙ୍କ ବାସ ଭାବନରୁ ବାହାରି ଆଳି ବଜାର ଦେଇ ଆଳି ତହସିଲ କାର୍ଯ୍ୟଳୟରେ ପହଞ୍ଚିଥିଲା । ପରେ ଆଳି ତହସିଲଦାର ଶାନ୍ତି ସ୍ୱରୂପ ମିଶ୍ରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ଦାବିପତ୍ର ପ୍ରଦାନ କରାଯାଇଛି । ଡା ଦେବସ୍ମିତା ଶର୍ମା କହିଛନ୍ତି ପୂର୍ବରୁ ଆଳିକୁ ଏନଏସି ଘୋଷଣା କରିବା ପାଇଁ ଦାବି କାରିଆସିଛୁ । ମାତ୍ର ଅନେକ ଜିଲ୍ଲାରେ ନୂତନ ଏନଏସି ଘୋଷଣା କରାଯାଇଥିଲେ ମଧ୍ୟ ଆଳିକୁ ଉପେକ୍ଷିତ କରାଯାଇଥିଲା । ବର୍ତ୍ତମାନର ସାତଟି ଜିଲ୍ଲାର ୧୨ ଟି ନୂତନ ଏନଏଏସି ଘୋଷଣା କରାଯାଇଥିଲେ ମଧ୍ୟ ଆଳିକୁ ଉପେକ୍ଷିତ କରାଯାଇଛି । ଏନଏଏସି ସର୍ତ୍ତାବଳୀକୁ ଆଳି ବ୍ଲକ୍ ପୂରଣ କରୁଥିବା ବେଳେ ଏନଏଏସି ପାଇଁ ଯଥେଷ୍ଟ ଭିତ୍ତିଭୂମି ମଧ୍ୟ ରହିଛି । ଏହା ସତ୍ତ୍ୱେ ନୂତନ ଏନଏସିରୁ ଆଳିକୁ ବାଦ୍ ଦିଆଯାଉଛି ।
ଆଳି ସଦରକୁ ଲାଗି ବଡ଼ ବଜାର, ମେଡିକାଲ, ବସଷ୍ଟାଣ୍ଡ, ହାଟ, ସ୍କୁଲ କଲେଜ, ବ୍ଲକ, ତହସିଲ ଆଦି ସରକାରୀ କାର୍ଯ୍ୟାଳୟ ରହିଛି । ଆଳି ସଦର ମହକୁମାକୁ ଲାଗି ୫ ଟି ପଞ୍ଚାୟତର ଲୋକସଂଖ୍ୟା ପ୍ରାୟ ୫୦ ହଜାର ପାଖାପାଖି ହେବ । ଆଳିର ଭୌଗୋଳିକ ଦୃଷ୍ଟି କୋଣରୁ ଲୋକସଂଖ୍ୟା ଏବଂ ବଜାର ଘାଟକୁ ଯଦି ବିଚାରକୁ ନିଆଯାଏ, ତେବେ ଏହି ସ୍ଥାନର ସାଧାରଣ ଲୋକଙ୍କ ପାଇଁ ସ୍ୱଚ୍ଛ ପାନୀୟ ଜଳ, ବଜାର ଘାଟର ଆଲୋକୀକରଣ ଓ ପରିମଳ ବ୍ୟବସ୍ଥାର ଉନ୍ନତି ହେବାର ଆବଶ୍ୟକତା ରହିଛି । ମାତ୍ର ଆବଶ୍ୟକ ସହରୀକରଣର ବ୍ୟବସ୍ଥା ନାହିଁ ।
ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ପିସିସି ସମ୍ପାଦିକା ଡା ଦେବସ୍ମିତା ଶର୍ମା, କଂଗ୍ରେସ ଜିଲ୍ଲା ସଂଯୋଜକ ପ୍ରଫୁଲ୍ଲ ଦାସ, ରବିନାରାୟଣ ବେହେରା, ମଙ୍ଗୁଳି ଚରଣ ବେହେରା, ମାନଗୋବିନ୍ଦ ଦାସ, ରାଜମୋହନ ସ୍ୱାଇଁ, ଦର୍ପ ନାରାୟଣ ସାହୁ, ଧନେଶ୍ୱର ରାଉତ, ସଂଗ୍ରାମ ପାତ୍ର, ହରେକୃଷ୍ଣ ବିଶ୍ୱାଳ, ରଜନୀକାନ୍ତ ସାହୁ, ମଧୁସୂଦନ ରାଉତ, ସହଦେଵ ସିଂ ପ୍ରମୁଖ ଯୋଗ ଦେଇଥିଲେ ।