'ରାହୁଲ ପ୍ରଭୁ ରାମଚନ୍ଦ୍ର' : ନାନା ପଟୋଲେ
କଡ଼ା ସମାଲୋଚନା କଲା ବିଜେପି 
ପୂର୍ବରୁ ମଧ୍ୟ ଦେଇଛନ୍ତି ବିବାଦୀୟ ମନ୍ତବ୍ୟ 

ନୂଆଦିଲ୍ଲୀ, ୧/୧ : ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ମହାପ୍ରଭୁ ଶ୍ରୀରାମଙ୍କ ସହ ତୁଳନା କଲେ ମହାରାଷ୍ଟ୍ରର କଂଗ୍ରେସ ନେତା ନାନା ପଟୋଲେ । ରାହୁଲ ଗାନ୍ଧୀ ରାମ ମନ୍ଦିର ନଯିବା ପ୍ରସଙ୍ଗରେ ନାନା ପଟୋଲେ କହିଥିଲେ କି, କଂଗ୍ରେସର ଭଗବାନ ପ୍ରଭୁ ରାମଙ୍କ ପରି କାମ କରୁଛନ୍ତି । ଆମ ନେତା ରାହୁଲ ଗାନ୍ଧୀ ରାମଙ୍କ ଭଳି ଦଳିତ, ପୀଡ଼ିତଙ୍କ ପାଇଁ କାମ କରୁଛନ୍ତି । ଦେଶର ଲୋକଙ୍କୁ ନ୍ୟାୟ ଦେବା ପାଇଁ ରାହୁଲ ରାମଙ୍କ ଭଳି ଲଢ଼ୁଛନ୍ତି । ନାନା ପଟୋଲେଙ୍କ ଏଭଳି ଏକ ବୟାନ ପରେ ଏବେ ରାଜନୈତିକ ମହଲରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଯାହାକୁ ନେଇ ଟାର୍ଗେଟ୍ କରିଛି ବିଜେପି। ରାହୁଲଙ୍କୁ ରାମଙ୍କ ସହ ତୁଳନା କରିବାକୁ ନେଇ ବିଜେପି ପକ୍ଷରୁ ସମାଲୋଚନା କରାଯାଇଛି ।

ନାନା ପଟୋଲେ କହିଛନ୍ତି କି, ଯେବେ ରାମଲଲ୍ଲାଙ୍କୁ ବନ୍ଦ ରଖାଯାଇଥିଲା ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏହାକୁ ଖୋଲିବାକୁ ଆଦେଶ ଦେଇଥିଲେ। ଏଣୁ ରାହୁଲ ଯେବେ ଅଯୋଧ୍ୟା ଆସିବେ ସେବେ ପୂଜା କରିବେ ।  ନାନା ପଟୋଲେଙ୍କ ଏଭଳି ବିବୃତ୍ତି ପରେ ବିଜେପି ମୁଖପାତ୍ର ସି.ଆର. କେଶବନ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି ।  ରାହୁଲ ଗାନ୍ଧୀଙ୍କୁ ରାମଙ୍କ ସହ ତୁଳନା କରିବା ହିନ୍ଦୁମାନଙ୍କ ପାଇଁ ଅପମାନ । ସମସ୍ତ ହିନ୍ଦୁଙ୍କୁ ଏହା ଅପମାନ ଏବଂ ଗଭୀର ଆଘାତ ଦେଇଛି । ଏହାସହ ସେ କହିଛନ୍ତି କି, ରାହୁଲ କାହିଁକି ରାମ ମନ୍ଦିରକୁ ଯାଇନାହାନ୍ତି ବୋଲି ସାହସ କରି ନାନା କେବେ ପ୍ରଶ୍ନ ପଚାରିଛନ୍ତି କି ? କେବେ ବି ଏହା ପଚାରିପାରିବେନି ବୋଲି ସେ କହିଛନ୍ତି।

ନାନା ପଟୋଲେଙ୍କ ଏହା ପ୍ରଥମ ବିବାଦୀୟ ମନ୍ତବ୍ୟ ନୁହେଁ । ନିଜର ବିବାଦୀୟ ମନ୍ତବ୍ୟ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ପୂର୍ବରୁ ଅକ୍ଟୋବର ୨୦୨୨ ମସିହାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ସମୟରେ ମଧ୍ୟ ଏଭଳି ଏକ ପ୍ରତିକ୍ରିୟା ଦେଇ ଚର୍ଚ୍ଚାରେ ରହିଥିଲେ । ନାନା ପଟୋଲେ କହିଥିଲେ କି, ରାମଙ୍କ ନାମ Rରୁ ଆରମ୍ଭ ରାହୁଲଙ୍କ ନାମ ମଧ୍ୟ Rରୁ ଆରମ୍ଭ । ଭଗବାନ ଶ୍ରୀରାମଚନ୍ଦ୍ର ମଧ୍ୟ କନ୍ୟାକୁମାରୀ କାଶ୍ମୀର ପଦଯାତ୍ରା କରିଥିଲେ । ଆଉ ରାହୁଲ ମଧ୍ୟ ସମାନ ରାସ୍ତାରେ ରହିଛନ୍ତି । କେବଳ ଏତିକି ନୁହେଁ ରାଷ୍ଟ୍ରପତି ଦ୍ରୌପଦ ମୁର୍ମୁ ରାମ ମନ୍ଦିରକୁ ଯାଇଥିବାବେଳେ‌ ସେ କହିଥିଲେ କି, ମନ୍ଦିରର ଶୁଦ୍ଧିକରଣ କରାଯାଉ । ଯାହାକୁ ନେଇ ସେ ସମାଲୋଚନାର ଶିକାର ମଧ୍ୟ ହୋଇଥିଲେ । ପୁଣିଥରେ ରାହୁଲଙ୍କୁ ରାମଙ୍କ ସହ ତୁଳନା କରିଥିବାବେଳେ ସୋସିଆଲ ମିଡିଆରେ ମଧ୍ୟ ୟୁଜର୍ସମାନେ ତାଙ୍କୁ କମେଣ୍ଟ କରୁଛନ୍ତି ।