ଭୁବନେଶ୍ୱର, ୦୧/୦୪: ରାଜ୍ୟ  କଂଗ୍ରେସ କମିଟି ଭାଙ୍ଗିବାକୁ ପାଖାପାଖି ୯ ମାସ  ହେଲାଣି । ୨୦୨୪ ଜୁଲାଇ ୨୧ରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏହି କମିଟିକୁ  ଭାଙ୍ଗି ଦେଇଥିଲେ । ଯଦିବା ଏହା ମଧ୍ୟରେ  ଏଆଇସିସି ସଭାପତି ଗତ ଫେବ୍ରୁଆରୀ ୧୧ରୁ ନୂଆ ପିସିସି ସଭାପତି ଭାବେ ଭକ୍ତଚରଣ ଦାସଙ୍କୁ  ନିଯୁକ୍ତି ଦେଇଛନ୍ତି । ହେଲେ ଏ ପର୍ଯ୍ୟନ୍ତ ରାଜ୍ୟରେ ନୂଆ କଂଗ୍ରେସ କମିଟି ଗଢ଼ା ଯାଇପାରିନାହିଁ । ଆଗକୁ କଂଗ୍ରେସ ପ୍ରତି ଜିଲ୍ଲା ଓ ବ୍ଲକରେ ମଧ୍ୟ  ଆନ୍ଦୋଳନ କରିବ । ନାରୀ ସୁରକ୍ଷା ପ୍ରସଙ୍ଗକୁ ଅସ୍ତ୍ର କରିବ । ହେଲେ ରାଜ୍ୟରେ ଜିଲ୍ଲା ଓ ବ୍ଲକ  କଂଗ୍ରେସ କମିଟି ନାହିଁ । ଦୀର୍ଘ ଦିନ ହେବ କମିଟି  ଗଢ଼ିବାକୁ ଦାବି ଉଠୁଥିଲେ ବି ହାଇକମାଣ୍ଡ ଏହାକୁ  ଅଣଦେଖା କରି ଚାଲିଛନ୍ତି । ଏପରିକି ପ୍ରଭାରୀ  ଅଜୟ ଲଲ୍ଲୁ ରାଜ୍ୟ କଂଗ୍ରେସ କମିଟି ହେବାରେ  ଆହୁରି ବିଳମ୍ବ ହେବ ବୋଲି କହିଛନ୍ତି । ଶ୍ରୀ ଲଲ୍ଲୁ ଏବେ ସୁଦ୍ଧା ୫ଟି ଜିଲ୍ଲା ବୁଲିଛନ୍ତି । ସହ ପ୍ରଭାରୀ ରୋଜାଲିନ୍‌ ତିର୍କୀ ୩ଟି ଜିଲ୍ଲା ବୁଲିଛନ୍ତି ।  ସେମାନେ ପ୍ରତି ଜିଲ୍ଲା ଓ ବ୍ଲକକୁ ବୁଲିବେ । ସବୁ ଜିଲ୍ଲାରେ ଲୋକଙ୍କ ସହ ଆଲୋଚନା ପରେ କମିଟି  ଗଢ଼ାଯିବ ବୋଲି ଶ୍ରୀ ଲଲ୍ଲୁ ସୂଚନା ଦେଇଛନ୍ତି । 

ପ୍ରଭାରୀ ଶ୍ରୀ ଲଲ୍ଲୁ କହିଛନ୍ତି, ବିଧାନସଭା  ନ ଚାଲିପାରିବା ପାଇଁ ନିଜେ ରାଜ୍ୟ ସରକାର  ହିଁ ଦାୟୀ । ଯଦି ପ୍ରଥମ ଦିନରୁ ଗୃହ କମିଟି ଗଢ଼ିଥାନ୍ତେ, ଗୃହ ସ୍ୱାଭାବିକ ଭାବେ ଚାଲିଥାନ୍ତା । ମୁଖ୍ୟମନ୍ତ୍ରୀ ମଧ୍ୟ ନାରୀ ସୁରକ୍ଷା  ପ୍ରସଙ୍ଗରେ ବିବୃତ୍ତି ଦେଲେନି । ଶୋଇଥିବା ସରକାରଙ୍କୁ ଆମେ  ଘଣ୍ଟ, ତୁରୀ ବଜାଇ ଉଠାଇବାକୁ ଚେଷ୍ଟା କରିଛୁ । ଆମେ ଅହିଂସା  ରାସ୍ତାରେ ଚାଲିଛୁ । କାଲି ବି  ଆମେ ଗାନ୍ଧିଙ୍କ ଅନୁଗାମୀ ଥିଲେ, ଆଜି ବି ଅଛୁ ଓ ଆଗକୁ ରହିବୁ । ଜନହିତକର ଯୋଜନାକୁ ଆମେ ଆଗକୁ ନେଇକି ଯିବୁ । କଂଗ୍ରେସ କର୍ମୀ ଏବେ ଉତ୍ସାହିତ ଅଛନ୍ତି ।  

ରାଜ୍ୟରେ ୨୫ବର୍ଷ ହେବ ସରକାର ନଥିଲେ ବି ସେମାନେ ଦଳ ଛାଡ଼ି ଯାଇନାହାନ୍ତି । ସରକାରର ଜନବିରୋଧୀ ପ୍ରସଙ୍ଗରେ ସଂଘର୍ଷ ଜାରି ରଖିଛନ୍ତି । ବ୍ଲକ ଓ ଗାଁ ଗାଁରେ ଏହି ଆନ୍ଦୋଳନକୁ ପହଞ୍ଚାଇବୁ । ଆମେ ରାହୁଲ ଗାନ୍ଧିଙ୍କ ବବର୍‌ ସେର । ଲଢ଼ିବୁ, ଡରିବୁନି । ଆଗକୁ କଂଗ୍ରେସ ଗରିବ, ଆଦିବାସୀ, ଦଳିତ  ଓ ଶୋଷିତଙ୍କ ପ୍ରସଙ୍ଗକୁ ଆୟୁଧ  କରିବ । ପେସା ଆଇନ ଲାଗୁ କରିବା ଦାବିକୁ ଶାଣିତ କରିବ। ଯେଉଁ ସରକାର ମହିଳାଙ୍କୁ  ନ୍ୟାୟ ଦେଇପାରୁନି, ତାଙ୍କୁ ଆମେ  ବିରୋଧ କରିବୁ । ଆମେ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇଛୁ। ରାଜ୍ୟରେ ପିସିସି  ସଭାପତି ଭକ୍ତ ଦାସ ଓ କଂଗ୍ରେସ ବିଧାୟକ  ଦଳ ନେତା ରାମଚନ୍ଦ୍ର କାଡାମଙ୍କ ନେତୃତ୍ୱରେ  ଦଳ କାମ କରିବ ବୋଲି ଶ୍ରୀ ଲଲ୍ଲୁ କହିଛନ୍ତି ।