ଭୁବନେଶ୍ୱର,୧୭/୧୦: ଆଗକୁ କଂଗ୍ରେସ ମଜଭୁତ ହେବ । ୨୦୨୯ରେ ରାଜ୍ୟରେ ସରକାର କରିବ । ଏହାସହିତ ୨୧ରୁ ୨୧ ଲୋକସଭା ସିଟ୍ ଜିତିବ । ତେଣୁ କଂଗ୍ରେସକୁ ସୁଦୃଢ କଲା ଭଳି ନେତା ଖୋଜୁଛି ଏଆଇସିସି । ଯିଏ ଦାୟିତ୍ୱ ନେଲେ ଦଳ ଆଗ ଅପେକ୍ଷା ଅଧିକ କାର୍ଯ୍ୟକ୍ରମ କରିବ, ଭଲ ପ୍ରଦର୍ଶନ କରିବ । ତେବେ ଦୀପାବଳି ପରେ ନୂଆ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତିଙ୍କ ନାମ ଘୋଷଣା ହେବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ।
ସେହିପରି ହରିୟାଣା ନିର୍ବାଚନ ପରେ ସେଠାକାର କଂଗ୍ରେସ ପ୍ରଭାରୀ ଇସ୍ତଫା ଦେଇଥିବାରୁ ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଇସ୍ତଫା ଦେବା ଉଚିତ୍ ବୋଲି ଯୁକ୍ତି ବାଢ଼ିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ଓଡ଼ିଶାରେ ଗତ ୨୪ ବର୍ଷ ହେଲା କଂଗ୍ରେସ କ୍ଷମତାଠାରୁ ଦୂରେଇ ରହିବା ସତ୍ତେ୍ୱ ହାଇକମାଣ୍ଡଙ୍କ ଚେତା ପଶିନି । ମାସ ମାସ ଧରି ପିସିସି ସଭାପତି ସହ ଅନ୍ୟ ପ୍ରମୁଖ ପଦ ପୂରଣ କରୁନାହାନ୍ତି । ରାଜ୍ୟସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତର ଯାଏଁ ସମସ୍ତ କମିଟି ଭଙ୍ଗ କରିଛନ୍ତି । ବିଭିନ୍ନ ପ୍ରସଙ୍ଗରେ କେବଳ ହାତଗଣତି କିଛି ଛାତ୍ର ଓ ଯୁବ କଂଗ୍ରେସ ନେତା ରାସ୍ତାକୁ ଓହ୍ଲାଉଛନ୍ତି । ମାତ୍ର ଦଳର ବରିଷ୍ଠ ନେତା ସାମ୍ନାକୁ ଆସୁନାହାନ୍ତି । କେବଳ ଏଆଇସିସି କିଛି କାର୍ଯ୍ୟକ୍ରମ କରିବାକୁ କହିଲେ ଆସୁଛନ୍ତି।