ରାୟଗଡ଼ା, ୧୪/୧ : ରାୟଗଡ଼ା ଜିଲ୍ଲା ପୁଲିସ କନଷ୍ଟେବଳ ଓ ହାବିଲଦାର ସଂଘ ନିର୍ବାଚନ ବିଜୟ ଉତ୍ସବରେ ଅଘଟଣ। ବାଣ ଫୁଟି ଜଣେ କନଷ୍ଟେବଳ ଗୁରୁତର ହୋଇଛନ୍ତି। ଆହତ କନଷ୍ଟେବଳ ଜଣଙ୍କ ହେଲେ କୃଷ୍ଣଚନ୍ଦ୍ର ବାଗ(ବନି)। ତାଙ୍କ ଅବସ୍ଥା ଗୁରୁତର ହେବାରୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି । ଫଳରେ ବିଜୟ ଶୋଭାଯାତ୍ରା ପାଲଟିଲା ଦୁଃଖର ଶୋଭାଯାତ୍ରା।

ପ୍ରକାଶ ଯେ, ଦୁଇ ଦିନ ତଳେ ପୁଲିସ ହାବିଲଦାର ଓ କନଷ୍ଟେବଳ ସଂଘର ନିର୍ବାଚନ ହୋଇଥିଲା । ଏଥିରେ ବିଜୟୀ ହୋଇଥିବା ପ୍ରାର୍ଥୀମାନେ ବୁଧବାର ସନ୍ଧ୍ୟାରେ ମଝିଘରିଆଣୀ ମନ୍ଦିର ନିକଟରୁ ଶୋଭାଯାତ୍ରାରେ ବାହାରିଥିଲେ । ଏହି ଶୋଭାଯାତ୍ରା ଯିବା ସମୟରେ ଏଫସିଆଇ ରାସ୍ତାରେ ବାଣ ଫୁଟାଇବାବେଳେ ଅସାବଧାନତା ଯୋଗୁଁ ହାତରେ ବାଣ ଫୁଟି ଉତରେନ୍ଦ୍ର ଆହତ ହୋଇଥିଲେ। ଉତରେନ୍ଦ୍ରଙ୍କୁ ସାଥୀ କନଷ୍ଟେବଳମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରଯାଇଥିଲା । ହେଲେ ଉତରେନ୍ଦ୍ରଙ୍କ ବାମ ହାତରେ ଗୁରୁତର ଆଘାତ ହୋଇଥିବାରୁ ତାଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତରିତ କରାଯାଇଛି।