କଟକ,୨୩/୧୦: କନଷ୍ଟେବଲ ଶୁଭମିତ୍ରା ସାହୁ ହତ୍ୟା ଘଟଣାରେ ଗିରଫ ସ୍ୱାମୀ କନଷ୍ଟେବଳ ଦୀପକ  ରାଉତ ତାଙ୍କ ପ୍ରଥମ ପତ୍ନୀ ଅପର୍ଣ୍ଣା  ପ୍ରିୟଦର୍ଶିନୀଙ୍କୁ ମଧ୍ୟ ଯୋଜନାବଦ୍ଧ  ଭାବେ ହତ୍ୟା କରିଥିବା ନେଇ ପୁଲିସ କିଛି ପ୍ରମାଣ ପାଇଛି । ଖୁବ୍‌ ଶୀଘ୍ର ପୁଲିସ ଏହାର ଚାଞ୍ଚଲ୍ୟକର  ଖୁଲାସା କରିବାକୁ ଯାଉଛି । ଅବଶ୍ୟ ଏ ବାବଦରେ କଟକ ଗ୍ରାମାଞ୍ଚଳ ପୁଲିସ  ତରଫରୁ ଏଯାଏ କୌଣସି ସ୍ପଷ୍ଟ ସୂଚନା  ପ୍ରଦାନ କରାଯାଇନାହିଁ ।

ବିଶ୍ୱସ୍ତ ସୂତ୍ରରୁ  ମିଳିଥିବା ଖବର ମୁତାବକ, ଝାରପଡ଼ା ଜେଲ୍‌ରେ ପଚରାଉଚରା କରିବା ବେଳେ ଅପର୍ଣ୍ଣାଙ୍କ ମୃତ୍ୟୁ ବାବଦରେ ତଦନ୍ତକାରୀ ଅଫିସରଙ୍କୁ ଦୀପକ କିଛି ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛି । ତେଣୁ ଅଭିଯୁକ୍ତ ଦୀପକ ନାଁରେ ଆଉ ଏକ ହତ୍ୟା ମାମଲା ଯୋଡ଼ି ହେବାର ସମ୍ଭାବନା ରହିଛି । ଅପର୍ଣ୍ଣା ମୃତ୍ୟୁର ରହସ୍ୟ ଭେଦିବାକୁ  ଅଭିଯୁକ୍ତ ଦୀପକର ଖୁବ୍‌ ଶୀଘ୍ର ମିଛଧରା ପରୀକ୍ଷା (ଲାଏ ଡିଟେକ୍ସନ୍‌ ଟେଷ୍ଟ) କରିବାକୁ ଯୋଜନା କରୁଛି ପୁଲିସ । ଏଥିରୁ ଅଭିଯୁକ୍ତ ବିରୁଦ୍ଧରେ ପ୍ରମାଣ ଯୋଗାଡ଼ କରିବାରେ ସଫଳ  ହେବ ବୋଲି ପୁଲିସର ଆଶା ଅଛି । ସେପଟେ ଅପର୍ଣ୍ଣାଙ୍କ  ସନ୍ଦେହଜନକ ମୃତ୍ୟୁ ବାବଦରେ ଖୁଣ୍ଟୁଣୀ ଥାନାରେ ହତ୍ୟା  ମାମଲା ରୁଜୁ କରାଯିବା ଏବଂ ତଦନ୍ତ ଜାରି ରହିଥିବାରୁ ମୃତକଙ୍କ  ପରିବାର ଲୋକେ ନ୍ୟାୟ ପାଇବେ ବୋଲି ଆଶା କରୁଛନ୍ତି ।  ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ପୂର୍ବରୁ ପରିବାର  ଲୋକେ ଅଭିଯୋଗ କରି ଆସୁଛନ୍ତି ।

୨୦୧୮ ଏପ୍ରିଲ ୨୫ ତାରିଖରେ ଦୀପକଙ୍କ ସହ ଅପର୍ଣ୍ଣାଙ୍କର  ବିବାହ ହୋଇଥିଲା । ବିବାହ ପରଠାରୁ ସେମାନଙ୍କ ମଧ୍ୟରେ  ବିବାଦ ଲାଗି ରହୁଥିଲା । ଦୀପକଙ୍କ ମା’ ଓ ତାଙ୍କ ଧରମ ଭଉଣୀ ତଥା କମିସନ୍‌ରେଟ୍‌ ପୁଲିସ୍‌ରେ କାର୍ଯ୍ୟରତ ଜଣେ  ମହିଳା ଅପର୍ଣ୍ଣାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ । ଅପର୍ଣ୍ଣା  ଢେଙ୍କାନାଳ ତହସିଲରେ ଚାକିରି କରିଥିବା ବେଳେ ଦୀପକ ତାଙ୍କ ନାମରେ ପ୍ରାୟ ୨୦ ଲକ୍ଷ ଟଙ୍କାର ଲୋନ୍‌ କରିଥିଲା । ଏହି  ଟଙ୍କାରେ ମାଛ ଚାଷ କରିବା ସହ ନିଜ ଭାଇର ବ୍ୟବସାୟରେ  ଲଗାଇଥିଲା । ପାରିବାରିକ ବିବାଦ ଯୋଗୁଁ ଅପର୍ଣ୍ଣାଙ୍କର ପ୍ରଥମ  ଗର୍ଭ ନଷ୍ଟ ହୋଇଥିଲା । ୨୦୨୨ ମସିହା ମାର୍ଚ୍ଚ ୩ ତାରିଖରେ  ଅପର୍ଣ୍ଣା ଦ୍ୱିତୀୟ ଥର ଗର୍ଭବତୀ ଥିବାବେଳେ ତାଙ୍କୁ ଢେଙ୍କାନାଳରୁ  କଟକ ଆଣିବାକୁ ଯାଇଥିଲେ ଦୀପକ । ରାତି ପ୍ରାୟ ୮ଟା  ବେଳକୁ ଖୁଣ୍ଟୁଣୀ ନିକଟରେ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ  ଅପର୍ଣ୍ଣାଙ୍କର ମୃତ୍ୟୁ ହୋଇଥିଲା । ସେ ସମୟରେ ଯେଉଁ ଟ୍ରକ୍‌  ନାଁରେ ଦୀପକ ଅଭିଯୋଗ ଆଣିଥିଲା ସେ ଟ୍ରକ୍‌ଟି ଅନ୍ୟ  ସ୍ଥାନରେ ରହିଥିଲା । ତେଣୁ ଦୀପକ ଉପରେ ପୁଲିସର ସନ୍ଦେହ  ବଢ଼ିଥିଲା । ଅପର୍ଣ୍ଣାଙ୍କ ମୃତ୍ୟୁ ଦୁର୍ଘଟଣାଜନିତ ନୁହେଁ ବରଂ  ଯୋଜନାବଦ୍ଧ ହତ୍ୟା ବୋଲି ଅପର୍ଣ୍ଣାଙ୍କ ସାନଭଉଣୀ ରୋଜାଲିନ୍‌  ଅଭିଯୋଗ ଆଣିଥିଲେ । ବୀମା ବାବଦ ୧ କୋଟି ୨୦ ଲକ୍ଷ ଟଙ୍କା  ହଡ଼ପ ପାଇଁ ଦୀପକ ଯୋଜନାବଦ୍ଧ ଭାବେ ଅପର୍ଣ୍ଣାଙ୍କୁ ହତ୍ୟା  କରି ଦୁର୍ଘଟଣାର ରୂପ ଦେଇଥିବା ନେଇ ସେ ଅଭିଯୋଗ କରି  ପୁଲିସକୁ ବିସ୍ତୃତ ଭାବେ ଜଣାଇଥିଲେ । ଯାହାଫଳରେ ପୁଲିସ  ଅପର୍ଣ୍ଣାଙ୍କ ମୃତ୍ୟୁ ଘଟଣାର ସାନି ତଦନ୍ତ କରିବାକୁ ଆଗେଇଥିଲା ।