ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ର ଫାଇନାଲ୍ ମ୍ୟାଚ୍ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ । ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଖେଳାଯିବ ଏହି ହାଇଭୋଲଟେଜ୍‌ ମ୍ୟାଚ୍‌। ଏହି ଟାଇଟଲ୍ ମ୍ୟାଚ୍ ସେପ୍ଟେମ୍ବର ୨୮ ରେ ଖେଳାଯିବ। ଏହି ଏସିଆ କପରେ ଭାରତ ଏବଂ ପାକିସ୍ତାନ ଦୁଇଥର ମୁହାଁମୁହିଁ ହୋଇଥିଲେ। ଉଭୟ ଥର ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା । ଏବେ ଉଭୟ ତୃତୀୟ ଥର ପାଇଁ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏସିଆ କପ୍ ଇତିହାସରେ ପ୍ରଥମ ଥର ପାଇଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବାକୁ ଯାଉଛି । ତଥାପି, ଏହି ଟାଇଟଲ୍ ମ୍ୟାଚ୍ ପୂର୍ବରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟ୍ରଫି ସହିତ କୌଣସି ଫଟୋସୁଟ୍ ହୋଇନାହିଁ।

ନ୍ୟୁଜ୍ 24 ର ଜଣେ ସାମ୍ବାଦିକଙ୍କ ଅନୁଯାୟୀ, ଭାରତ ଏବଂ ପାକିସ୍ତାନ ମଧ୍ୟରେ କୌଣସି ଫଟୋସୁଟ୍ ହେଉନାହିଁ। ଟିମ୍ ଇଣ୍ଡିଆ ପାକିସ୍ତାନୀ ଦଳ ସହିତ ଫଟୋସୁଟ୍ କରିବାକୁ ଆଗ୍ରହୀ ନୁହେଁ। ଏହା ଉଲ୍ଲେଖନୀୟ ଯେ, ଏହି ଟୁର୍ଣ୍ଣାମେଣ୍ଟ ସମୟରେ ଦୁଇ ଦଳ ମଧ୍ୟରେ ଅନେକ ବିବାଦ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇ ନିଥିଲେ ଭାରତୀୟ ଖେଳାଳି । ଏହାକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ ଅସନ୍ତୋଷ ପ୍ରକାଶ କରିଛି । ଏପରିକି ଭାରତୀୟ ଟିମ୍‌ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲା ପିସିବି ।

ପ୍ରଥମ ଭାରତ-ପାକିସ୍ତାନ ମ୍ୟାଚ୍ ପରେ ପିସିବି ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କ ବିରୁଦ୍ଧରେ ICC ରେ ଅଭିଯୋଗ ମଧ୍ୟ କରିଥିଲେ। ରେଫରିଙ୍କୁ ଟୁର୍ଣ୍ଣାମେଣ୍ଟରୁ ବାହାର କରିବାକୁ ଦାବି କରିଥିଲା। କିନ୍ତୁ, ସେମାନଙ୍କର ଦାବି ପୂରଣ ହୋଇନଥିଲା। ଫଳସ୍ୱରୂପ, ପାକିସ୍ତାନ ମ୍ୟାଚ୍ ପୂର୍ବରୁ ନିୟମିତ ସାମ୍ବାଦିକ ସମ୍ମିଳନୀକୁ ବର୍ଜନ କରିଛି ।

ସେପଟେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୁପର ୪ ମ୍ୟାଚ୍ ସମୟରେ ଭାରତୀୟ ଦଳ ଏବଂ ପ୍ରଶଂସକଙ୍କ ପ୍ରତି ଉତ୍ତେଜନାମୂଳକ ଇଙ୍ଗିତ ଦେବା ପାଇଁ ପାକିସ୍ତାନ ଖେଳାଳି ହାରିସ ରୌଫଙ୍କୁ ତାଙ୍କ ମ୍ୟାଚ୍ ଫିର ୩୦ ପ୍ରତିଶତ ଜରିମାନା କରାଯାଇଛି। ସେହିଭଳି ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ପରେ ଦେଇଥିବା ବୟାନ ପାଇଁ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟ ତାଙ୍କ ମ୍ୟାଚ୍ ଫିର ୩୦ ପ୍ରତିଶତ ଜରିମାନା ଲାଗିଛି।