ବୁର୍ଲା, ୨୮/୧୧: ବୁର୍ଲା ଭିମ୍‌ସାର୍‌ରୁ ନବଜାତକ  ଚୋରି ଘଟଣାକୁ ଇତିମଧ୍ୟରେ ୪୦ ଘଣ୍ଟାରୁ ଅଧିକ ବିତିଗଲାଣି ।  ହେଲେ ଶିଶୁପୁତ୍ର କିମ୍ବା ତାକୁ ଚୋରି କରିଥିବା  ମହିଳାଙ୍କ ଟେର୍‌ ପାଉନି ପୁଲିସ । ଅଜ୍ଞାତ ମହିଳା  ଏବଂ ଶିଶୁକୁ ଠାବ କରିବା ଲାଗି ସମଗ୍ର ପଶ୍ଚିମ  ଓଡ଼ିଶାରେ ପୁଲିସ୍‌ ହାଇଆଲର୍ଟ ଜାରି କରିଛି । ବୁର୍ଲା,  ସମ୍ବଲପୁରଠାରୁ ଆରମ୍ଭ କରି ଜିଲ୍ଲାର ସବୁ ପ୍ରବେଶ  ପଥରେ ଜୋର୍‌ଦାର ଯାଞ୍ଚ ଚାଲିଛି । ଓଡ଼ିଶା-ଛତିଶଗଡ଼  ସୀମା ସିଲ୍‌ କରାଯିବା ସହ ଜିଲ୍ଲାର ସବୁ ସୀମାରେ  କଡ଼ା ଯାଞ୍ଚ କରାଯାଉଛି । ସମ୍ବଲପୁରର ସମସ୍ତ  ଥାନା, ବୁର୍ଲା ଏବଂ ହୀରାକୁଦ ଥାନାର ବଛା ବଛା  ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନେଇ ୪ଟି ଟିମ୍‌ ଗଠନ  କରାଯାଇଛି । ଶିଶୁ ଚୋରିରେ ସମ୍ପୃକ୍ତ ଅଜଣା ମହିଳାଙ୍କ  ସମ୍ପର୍କରେ ସୂଚନା ଦେଲେ ୫ ହଜାର ଟଙ୍କା ପୁରସ୍କାର  ରାଶି ଦିଆଯିବ ବୋଲି ପୁଲିସ୍‌ ଘୋଷଣା କରିଛି ।  ଖୁବ୍‌ଶୀଘ୍ର ନବଜାତକ ଠାବ ହେବ ବୋଲି ସମ୍ବଲପୁର  ଅତିରିକ୍ତ ଏସ୍‌ପି ହରେଶ ପାଣ୍ଡେ ସୂଚନା ଦେଇଛନ୍ତି ।  

ସୂଚନାଯୋଗ୍ୟ, ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା  ବସନା ଥାନା ବଡ଼େସଜାପାଲି ଗାଁର ମୋହନ ଦାସ ଆସନ୍ନ  ପ୍ରସବା ପତ୍ନୀଙ୍କୁ ଗତ ୨୪ ତାରିଖ ରାତିରେ ଭିମ୍‌ସାର୍‌ରେ  ଭର୍ତ୍ତି କରିଥିଲେ । ୨୫ ତାରିଖ ଭୋର୍‌ରେ ମହିଳା ଜଣକ  ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ପ୍ରସବ ପରେ  ୱାର୍ଡରେ ଥିବା ଜଣେ ଅଜଣା ମହିଳା ମନ୍ଦ ଉଦ୍ଦେଶ୍ୟ  ରଖି ଦମ୍ପତିଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ । ଗତ  ମଙ୍ଗଳବାର କୌଶଳକ୍ରମେ ନବଜାତକକୁ ନେଇ ଚମ୍ପଟ୍‌  ମାରିଥିଲେ । ଭିମ୍‌ସାରରୁ ଶିଶୁଚୋରି ଆଲୋଡ଼ନ ଖେଳାଇ  ଦେଇଥିବାବେଳେ ପୁଲିସ୍‌ ରାତି ତମାମ୍‌ ଖୋଜାଖୋଜି  କରିଥିଲା । ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି  ଯାଞ୍ଚ ସହ ଜିଲ୍ଲା ଓ ଜିଲ୍ଲା ବାହାରେ ଚଢ଼ଉ କରୁଛି ।  

ଅନ୍ୟପଟେ ଆଖି ଆଗରେ ଅବୋଧ ଶିଶୁ  ଚୋରି ହୋଇଯିବା ଘଟଣାରେ ପ୍ରସୂତି ସ୍ତବ୍ଧ  ହୋଇଯାଇଛନ୍ତି । ତାଙ୍କ ଆଖିରୁ ଲୁହ ଶୁଖୁନାହିଁ ।  ପ୍ରସବ ପାଇଁ ଅସ୍ତ୍ରୋପଚାର ହୋଇଥିବାରୁ ୫ଦିନ ପରେ  ତାଙ୍କର ଡିସ୍‌ଚାର୍ଜ ହୋଇଥାଆନ୍ତା । ଅସ୍ତ୍ରୋପଚାରକୁ  ତିନିଦିନ ବିତିଥିବାବେଳେ ଆଉ ଦୁଇଦିନ ପରେ  ପ୍ରସୂତିଙ୍କୁ ଡିସ୍‌ଚାର୍ଜ କରାଯିବ । ଏହାରି ମଧ୍ୟରେ  ନବଜାତକକୁ ଉଦ୍ଧାର କରାଗଲେ ସେମାନେ ଖୁସିରେ  ଘରକୁ ଫେରିବେ ବୋଲି ମୋହନ କହିଛନ୍ତି ।  ଅପରପକ୍ଷେ ପୁଲିସ ଟିମ୍‌ ମୋହନ ଓ ତାଙ୍କ ସ୍ତ୍ରୀଙ୍କୁ  ଭେଟି ବିଭିନ୍ନ ଦିଗକୁ ନେଇ ପଚରାଉଚରା କରିଛି ।  ନବଜାତକ ମିଳିଯିବ ବୋଲି ଆଶ୍ୱାସନା ଜଣାଇଛି ।