ପ୍ରମୂଖ ଖବର

ଅଳାବୋଳରେ ମନରେଗା ଦୁର୍ନୀତି!, ଗୋଚରରୁ ରାତିଅଧିଆ ମାଟି ଖୋଳା

Published By : Harapriya Sethi | March 30, 2025 7:37 AM

ବାଲିକୁଦା,୩୦/୩: ଗୋଚରରୁ ରାତି ଅଧରେ ମାଟି ଖୋଳି ନେଇ ମନରେଗା କାମ କରାଯାଉଛି । ଯାହା ସମ୍ପୂର୍ଣ୍ଣ ବେଆଇନ ବୋଲି କୁହାଯାଉଛି । ମୁଣ୍ଡ ବଦଳରେ ଷୁଣ୍ଢରେ ଚାଲିଛି ମହାତ୍ମା ଗାନ୍ଧି ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାମ ବା ମନରେଗା । ଶ୍ରମିକଙ୍କ ସ୍ଥାନରେ ଏଠି କାମ କରୁଛି ମେସିନ । କେବଳ ଯାହା ଶ୍ରମିକ ମାନଙ୍କ ନାମରେ ଥିବା ଜବ୍‌କାର୍ଡକୁ ମଷ୍ଟର ରୋଲ୍‌ରେ ଗୁନ୍ଥି ଲକ୍ଷ ଲକ୍ଷ ଟଙ୍କା ବିଲ୍‌ କରାଯାଉଛି । ଏମିତିରେ ଦେଖିବାକୁ ଗଲେ ଅଳାବୋଳ ପଞ୍ଚାୟତରେ ମନରେଗା ଦୁର୍ନୀତି ସୀମା ପାର କରିବାକୁ ବସିଲାଣି । ୨୫ରୁ ୩୦ ପ୍ରତିଶତ ପିସି ଦେଇ ଦେଲେ ଏଠି ଆପଣାଛାଏଁ ବିଲ୍‌ ହୋଇ ଯାଉଛି । ଏଡିଇଓ ବା ଜିଆର୍‌ଏସ୍‌ଙ୍କଠାରୁ ଆରମ୍ଭ କରି ଯନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ମାଲାମାଲ । ବ୍ଲକ୍‌ ପ୍ରଶାସନ ସବୁ ଜାଣି ସୁଦ୍ଧା ସାଜିଛି ନିରବଦ୍ରଷ୍ଟା । ଯୋଜନାର ବ୍ୟୟ ଅଟକଳଠାରୁ ଯଥେଷ୍ଟ କମ୍‌ ଟଙ୍କାର କାମ କରାଯାଇ ଏହି ପଞ୍ଚାୟତରେ ସରକାରୀ ଅର୍ଥ ହଡ଼ପ କରାଯାଉଛି । ବିନା ସୂଚନା ଫଳକରେ ବି ଏଠି କାମ ଚାଲିଛି । ଏମିତି ଅଭିଯୋଗ ଆଣି ଗୋଚରରୁ ରାତି ଅଧରେ ମାଟି ଖୋଳି ନିଆଯିବାକୁ ନେଇ ଅଳାବୋଳ ଗାଁର କେତେକ ସଚେତନ ନାଗରିକ ଓ ବୁଦ୍ଧିଜୀବୀ ବାଲିକୁଦା ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଲିଖିତ ଅଭିଯୋଗ କରିଛନ୍ତି । 

ସେହିପରି ମନରେଗା କାର୍ଯ୍ୟରୁ ଅଞ୍ଚଳର ଶ୍ରମିକଙ୍କୁ ବଞ୍ଚିତ କରାଯାଇ ମେସିନ୍‌ ଯୋଗେ କରାଯାଉ ଥିବାରୁ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହିତ ଲିଖିତ ଅଭିଯୋଗ କରାଯାଇ ଏହାର ବିଧିବଦ୍ଧ ତଦନ୍ତ କରାଯିବାକୁ ନିବେଦନ କରାଯାଇଛି । ସୂଚନାରୁ ଜଣାଯାଇଛି ଯେ, ପଞ୍ଚାୟତ କାର୍ଯ୍ୟାଳୟ ସନ୍ନିକଟ କୃଷି ସେବା ସମବାୟ ସମିତି କାର୍ଯ୍ୟାଳୟ ପାଖରେ ଥିବା ଏକ ଖାଲକୁ ପୋତିବା ଲାଗି ମନରେଗା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ଓ ସେହି ଖାଲକୁ ପୋତିବା ସକାଶେ ଉକ୍ତ ଗୋଚର କିସମ ଜମିରୁ ରାତି ଅଧରେ ଜେସିବିରେ ମାଟି ଖୋଳି ଟ୍ରାକ୍ଟର ଯୋଗେ ଟ୍ରିପ ଟ୍ରିପ ମାଟି ବୋହି ନିଆ ଯାଇ ଖାଲ ପୋତେଇ କରାଯାଇଛି । ତେବେ ରାତି ଅଧରେ କାହିଁକି ଲୁଚାଇ ଛପାଇ ଏଭଳି କାର୍ଯ୍ୟ କରାଯାଇଛି ତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ପଞ୍ଚାୟତ ଯନ୍ତ୍ରୀ ଓ ଜିଆର୍‌ଏସ୍‌ଙ୍କ କାର୍ଯ୍ୟକଳାପ ସନ୍ଦେହ ବଢ଼ିଛି । ଏ ନେଇ ବିଡିଓ ବିକାଶ ମହାନ୍ତିଙ୍କୁ ପଚାରିବାରୁ ଅଭିଯୋଗ ମୁତାବକ ତଦନ୍ତ କରାଯିବ ବୋଲି କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.