ନୂଆଦିଲ୍ଲୀ ୦୩/୦୨: ସଉକ ବଡ଼, ମୂଲ୍ୟ ଯାହା ହେଉ ପଛେ । ଏହାର ସଦ୍ୟ ଉଦାହରଣ ହେଉଛି ଗାଡ଼ିର ଏକ ନମ୍ବର ପ୍ଲେଟ୍, ଯାହାର ନିଲାମ ସମସ୍ତଙ୍କୁ ଚକିତ କରିଛି । କାର୍‌ଠୁ ଏହା ଅଧିକ ମୂଲ୍ୟରେ ବିକ୍ରି ହୋଇଛି । ‘ଡିଡିସି ୦୦୦୧’ ନମ୍ବର ପ୍ଲେଟ୍ ୨.୦୮ କୋଟି ଟଙ୍କାରେ ନିଲାମ ହୋଇଛି । ଏଥିସହିତ ଏହା ଦେଶର ସବୁଠୁ ମହଙ୍ଗା ନମ୍ବର ପ୍ଲେଟ୍ ହୋଇଛି । ପ୍ରି-ଓନ୍‌ଡ ଲକ୍‌ଜରି କାର୍ ବିଜ୍‌ନେସରେ ସାମିଲ ବିଗ୍ ବୟ ଟଏଜ୍‌ର ନୂଆ ନିଲାମ ଘର ଉଦ୍‌ଘାଟନ ଅବସରରେ ଏହି ନିଲାମ ହୋଇଛି ।

ଆହୁରି ପଢ଼ନ୍ତୁ...ଡୋନାଲ୍ଡ ଟ୍ରମ୍ପ ସେୟାର କଲେ ଇଣ୍ଡିଆ ଟୁଡେ ମାଗାଜିନ କଭର, ଜାଣନ୍ତୁ ହ୍ୱାଇଟ୍ ହାଉସ୍ ଯାଏ କିପରି ପହଞ୍ଚିଲା ଫଟୋ ?

ବିଗ୍ ବୟ ଟଏଜ୍‌ର ପ୍ରତିଷ୍ଠାତା ଓ ପ୍ରବନ୍ଧନ ନିର୍ଦ୍ଦେଶକ ଜତିନ ଆହୁଜାଙ୍କ ପାଖରେ ଏହି ନମ୍ବର ପ୍ଲେଟ୍ ଥିଲା । ଆନ୍ଧ୍ରପ୍ରଦେଶର ଗୁଣ୍ଟୁରର ଗ୍ରାହକ କିରଣ କୋଲପାକୁଲା ସର୍ବାଧିକ ୨.୦୮ କୋଟି ଟଙ୍କା ନିଲାମ ଡାକିଥିଲେ । ଏଥିସହିତ ‘ଡିଡିସି ୦୦୦୧’ ନମ୍ବର ପ୍ଲେଟ୍ ଭାରତରେ ଅଦ୍ୟାବଧି ନିଲାମ ହୋଇଥିବା ସବୁଠୁ ମହଙ୍ଗା ପଞ୍ଜିକୃତ ପ୍ଲେଟ୍ ହୋଇଛି । ଜତିନ ଆହୁଜା ଗଣମାଧ୍ୟମକୁ କହିଛନ୍ତି, ସଂଗ୍ରାହକ ଏବେ କେବଳ କାର୍ ନୁହେଁ, ଏହା ସହ ଜଡ଼ିତ ଦୁର୍ଲଭ ଓ ମୂଲ୍ୟବାନ ଉପକରଣ ପ୍ରତି ମଧ୍ୟ ରୁଚି ଦେଖାଉଛନ୍ତି ।

ବିଗ୍ ବୟ ଟଏଜ୍ର ଔପଚାରିକ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ରେ ଦେଶର ଏହି ସବୁଠୁ ମହଙ୍ଗା ନିଲାମର କିଛି ଫଟୋ ଶେୟାର କରାଯାଇଛି । ଏହା ପୂର୍ବରୁ ଭାରତର ସବୁଠୁ ମହଙ୍ଗା ନମ୍ବର ପ୍ଲେଟ୍ର ରେକର୍ଡ ‘ଏଚ୍ଆର୍୮୮ବି୮୮୮୮’ ନାଁରେ ଥିଲା । ଗତ ନଭେମ୍ବରରେ ଏକ ସରକାରୀ ନିଲାମରେ ତାହା ୧.୧୭ କୋଟିରେ ବିକ୍ରି ହୋଇଥିଲା । ତା’ପୂର୍ବରୁ ‘କେଏଲ୍ ୦୭ ଡିଜି ୦୦୦୭’ ସବୁଠୁ ମହଙ୍ଗା ନମ୍ବର ପ୍ଲେଟ୍ ଭାବେ ୪୬ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା ।