ଖଲ୍ଲିକୋଟ , ୨୬/୧୨-ଖଲ୍ଲିକୋଟ ଅଞ୍ଚଳ ରୁ ଗତ କିଛି ଦିନ ଧରି ବିଭିନ୍ନ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ କରିଥିବା ଘଟଣାରେ ସ୍ୱାମୀ ସ୍ତ୍ରୀଙ୍କୁ ଗିରଫ କରିଛି ପୁଲିସ। ଗିରଫ ଦମ୍ପତି ହେଉଛନ୍ତି ରମ୍ଭା ଥାନା ଅନ୍ତର୍ଗତ ସାନ ଘାଟି ଓଡ଼ିଆରପି କଲୋନୀ ର କୃଷ୍ଣ ଚନ୍ଦ୍ର ବେହେରା(୨୮) ଓ ତାଙ୍କ ପତ୍ନୀ ଦିପ୍ତିମୟୀ ବେହେରା (୨୬)। ସେମାନେ ଦିନରେ ଶ୍ରମିକ ଭାବେ କାମ କରନ୍ତି ଓ ରାତିରେ ମନ୍ଦିର ଗୁଡିକୁ ଟାର୍ଗେଟ କରନ୍ତି।
ଘନ ଘନ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ କରିବା ଘଟଣା ଭକ୍ତ ମାନଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଥିଲା। ଏପରିକି ପଥରା ବୁଢ଼ୀ ଠାକୁରାଣୀ ମନ୍ଦିରର ହୁଣ୍ଡି ବକ୍ସକୁ ଟେକି ନେଉଥିବା ଦୃଶ୍ୟ ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଥିଲା। ସିସିଟିଭି ଫୁଟେଜରେ ଜଣେ ପୁରୁଷ ଏକ ନାଲି ରଙ୍ଗର ସ୍କୁଟି ଚଳାଉଥିବା ବେଳେ ଜଣେ ମହିଳା ନାଲି ରଙ୍ଗର ଜ୍ୟାକେଟ ପିନ୍ଧି ହୁଣ୍ଡି ବକ୍ସକୁ ଧରି ବସିଥିବା ଦେଖିବାକୁ ମିଳିଥିଲା । ଏହାକୁ ଆଧାର କରି ପୁଲିସ ତଦନ୍ତ ଚଳାଇଥିଲା। ଏ ସମ୍ପର୍କରେ ଖଲ୍ଲିକୋଟ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଆଜି କେଶପୁର ନିକଟରେ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ନାଲି ରଙ୍ଗର ସ୍କୁଟିକୁ ଦେଖି ସନ୍ଦେହରେ ଅଟକାଇଥିଲେ। ସ୍କୁଟିକୁ ଚେକିଂ କରିବା ବେଳେ ଡ଼ିକି ଭିତରେ ଖୁଚୁରା ପଇସା ଭରି ହୋଇ ରହିଥିବା ପୁଲିସ ଦେଖିବାକୁ ପାଇଥିଲା। ଥାନାକୁ ନେଇ ଜେରା କରିବା ପରେ ସେମାନେ ସବୁ କଥା ମାନିଥିବା କହିଛନ୍ତି ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଓ ଛତ୍ରପୁର ଏସଡିପିଓ ଗୌରହରୀ ସାହୁ।
ଦମ୍ପତି ଖଲ୍ଲିକୋଟ ଥାନା ଅନ୍ତର୍ଗତ ପଥରା ବୁଢ଼ୀ ଠାକୁରାଣୀ ମନ୍ଦିର ସହ ବାଣିଆ ଗ୍ରାମରେ ଥିବା ବାବା ବାଣେଶ୍ୱର ମନ୍ଦିର, କେଶପୁର ଠାରେ ଥିବା ଗୁପ୍ତେଶ୍ୱର ମନ୍ଦିର, ରମ୍ଭା ଥାନା ଅନ୍ତର୍ଗତ ପାଲୁର ଗ୍ରାମରେ ଥିବା ଅଳେଶ୍ୱର ମନ୍ଦିର ଓ ନିମସୋଳା ଗ୍ରାମରେ ଥିବା ଉଦୟନାଥ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ କରିଥିବା ସ୍ୱୀକାର କରିଥିବା କହିଛନ୍ତି ଛତ୍ରପୁର ଏସଡିପିଓ ଗୌରହରୀ ସାହୁ। ସେମାନଙ୍କ ନିକଟରୁ ଚୋରି ସମୟରେ ଅଭିଯୁକ୍ତ ଦିପ୍ତିମୟୀ ବେହେରା ପିନ୍ଧିଥିବା ନାଲି ରଙ୍ଗର ଜ୍ୟାକେଟ ସହ ଚୋରିରେ ବ୍ୟବହାର ହୋଇଥିବା ନାଲି ରଙ୍ଗର ଟିଭିଏସ ଜୁପିଟର ସ୍କୁଟି , ୩ ଟି ମୋବାଇଲ ଫୋନ, ଗୋଟିଏ ଲୁହା ରଡ଼ ଜବତ କରିଛି। ହୁଣ୍ଡି ଭାଙ୍ଗି ଚୋରି କରିଥିବା କିଛି ଟଙ୍କା ଖର୍ଚ୍ଚ କରିଦେଇଥିବା ବେଳେ ୧୫ ହଜାର ୩୪୨ ଟଙ୍କାର କଏନ ଓ ୧୪ ହଜାର ୫୩୧ ମୋଟ ୨୯ ହଜାର ୮୭୩ ଟଙ୍କା, ୨୨୦ ମିଳିଗ୍ରାମ ଓଜନ ର ଗୋଟିଏ ସୁନା ଛୁଞ୍ଚି, ଦୁଇଟି ରୁପା ଲକେଟ ପୋଲିସ ଜବତ କରିଛି। ପଥରା ବୁଢ଼ୀ ଠାକୁରାଣୀ ମନ୍ଦିର ରୁ ଟେକି ନେଇଥିବା ହୁଣ୍ଡୀ ବକ୍ସ କୁ ଏକ ପୋଖରୀ ଭିତରୁ ଉଦ୍ଧାର କରାଯାଇଥିବା ଛତ୍ରପୁର ଏସଡିପିଓ କହିଛନ୍ତି।