ରାୟପୁର,୨୧।୧୨: ଭାରତରେ ଯେତେବେଳେ କୌଣସି ହିନ୍ଦୁ ଯୋଡିଙ୍କର ବିବାହ ହୁଏ ତେବେ ପଣ୍ଡିତ ମନ୍ତ୍ର ପଢନ୍ତି। ଅଗ୍ନି ହୋମକୁଣ୍ଡକୁ ସାକ୍ଷୀ ରଖି ସାତ ଜନ୍ମ ଏକାଠି ରହିବାକୁ ପରସ୍ପର ପ୍ରତିଜ୍ଞା ନିଅନ୍ତି। କିନ୍ତୁ ଛତିଶଗଢର ଯଶୀପୁର ଜିଲ୍ଲା କାପୁ ଗାଁରେ ଏକ ଅଦ୍ଭୁତ ମାମଲା ସାମନାକୁ ଆସିଛି,ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଦମ୍ପତ୍ତି ବିବାହ ବେଳେ ପାରମ୍ପାରିକ୍ ରୀତି-ନୀତିର ପାଳନ କରିବା ବଦଳରେ ଭାରତୀୟ ସମ୍ବିଧାନର ଶପଥକୁ ନେଇ ଜନ୍ମ-ଜନ୍ମର ବନ୍ଧନରେ ବାନ୍ଧିବାର ନିଷ୍ପତ୍ତି ନେଇଛି। 

ଏହି ଯୋଡି ୧୮ ଡିସେମ୍ବରରେ ବିବାହ କରିବା ବେଳେ ପାରମ୍ପାରିକ ରୀତିନୀତିକୁ ବାଦ୍ ଦେଇଥିଲେ।ଦୁହିଁଙ୍କ ବିବାହ ଏବେ ବହୁ ଲୋକଙ୍କୁ ପ୍ରଭାବିତ କରିଛି। କନ୍ୟା ପ୍ରତିମା ଲହରେ ଓ ବର ଇମାନ ଲହରେ ବିବାହ କୌଣସି ପାରମ୍ପରିକ ରୀତିନୀତିରେ ନକରିବାର ନିଷ୍ପତ୍ତି ନେଇଥିଲେ। ବାହାଘରରେ ‘ମଙ୍ଗଳ ସୁତ୍ର’ ଓ ‘ସିନ୍ଦୁର’ ନୁହେଁ ଦରକାର ପଡିଥିଲା ସମ୍ବିଧାନର। ଦୁହେଁ ସମ୍ବିଧାନକୁ ହାତରେ ନେଇ ଜୀବନ ସାରା ଏକାଠି ରହିବାର ଶପଥ ନେଇଥିଲେ। ସେମାନେ ଭାରତୀୟ ସମ୍ବିଧାନର ନିର୍ମାତା ଡକ୍ଟର ବି.ଆର ଆମ୍ବେଦକାରଙ୍କ ଫଟୋ ଆଗରେ ଜୀବନସାରା ଏକାଠି ରହିବାର ପ୍ରତିଜ୍ଞା ନେଇଥିଲେ।

ବର ଇମାନ ଲହରେ କହିଛନ୍ତି, ଏହି ପଦକ୍ଷେପ ମୁଖ୍ୟ ଭାବରେ ଅଜଥା ଖର୍ଚ୍ଚରୁ ରକ୍ଷା ପାଇବା ପାଇଁ ନିଆଯାଇଛି। ଏଭଳି ବିବାହରେ ଅଯଥା ଖର୍ଚ୍ଚା ହୁଏନି। ଆମ ଦୁହିଁଙ୍କ ପରିବାରର ଅନୁମତି ପରେ ଆମେ ଏହି ନିଷ୍ପତ୍ତି ନେଇଥିଲୁ, ଯେପରି ମାତ୍ରାଧିକ ଖର୍ଚ୍ଚରୁ ରକ୍ଷା ପାଇହେବ। ଦମ୍ପତ୍ତିଙ୍କ ବିବାହ ପୁରା ଅଞ୍ଚଳରେ ଚର୍ଚ୍ଚାର ବିକ୍ଷୟ ପାଲଟିଛି। ବହୁ ଲୋକ ଏହି ଆୟୋଜନରେ ପ୍ରଭାବିତ ହୋଇଛନ୍ତି। ସେମାନେ ଏହି ବିବାହକୁ ସାର୍ଥକ ଦୃଷ୍ଟିକୋଣ ବୋଲି କହିଛନ୍ତି। ସେ କହିଛନ୍ତି, ଏଭଳି ବିବାହରୁ ସମାଜକୁ ପ୍ରେରଣା ମିଳିପାରିବ।  କେବଳ ସେତିକି ନୁହେଁ ଦୁହିଁଙ୍କ ବାପା-ମା’ ମଧ୍ୟ ଖୁସି ପ୍ରକାଶ କରିଛନ୍ତି।