ଚେନ୍ନାଇ,୨୧/୦୧: ଆଇଆଇଟି ମାଡ୍ରାସ(ଚେନ୍ନାଇ) ର ନିର୍ଦ୍ଦେଶକ ପ୍ରଫେସର ଭି କାମକୋଟିଙ୍କର ଏକ ଭିଡିଓ  ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି । 

ସେଥିରେ  ସେ କହୁଛନ୍ତି ଯେ, ଗୋମୂତ୍ରରେ ଔଷଧୀୟ ଗୁଣ ରହିଛି । ଏହା  ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଫଙ୍ଗାଲ ଭାବେ କାମ କରିଥାଏ । ଅନେକ ରୋଗ ବି ଠିକ୍‌ କରିପାରେ । ସେଥିମଧ୍ୟରେ ପାଚନ ସମସ୍ୟା, ଆଇବିଏସ୍‌ ଅର୍ଥାତ୍‌ ଇରିଟେବଲ ବାଉଲ ସିଣ୍ଡ୍ରୋମ ବି  ସାମିଲ । ତେଣୁ ଆମକୁ ଗୋମୂତ୍ରର ଔଷଧୀୟ ଗୁଣକୁ ସ୍ୱୀକାର କରିବାକୁ ପଡ଼ିବ । 

ଜାନୁଆରୀ ୧୫ ତାରିଖରେ ଚେନ୍ନାଇରେ ଏକ କାର୍ଯ୍ୟକ୍ରମରେ ଗୋମୂତ୍ରର ଔଷଧୀୟ ଗୁଣ ସଂପର୍କରେ କହିଥିଲେ ପ୍ରଫେସର କାମକୋଟି । ସେଠାରେ ଜଣେ ସନ୍ନ୍ୟାସୀଙ୍କର  କାହାଣୀକୁ ଉଦାହରଣସ୍ୱରୂପ ବି ଦର୍ଶାଇଥିଲେ । ସନ୍ନ୍ୟାସୀଙ୍କୁ  ପ୍ରବଳ ଜ୍ୱର ହୋଇଥିବାବେଳେ ଗୋମୂତ୍ର ପିଇବାର ୧୫ ମିନିଟ୍‌  ପରେ ସେ ଠିକ୍‌ ହୋଇଯାଇଥିବା କାମକୋଟି ପ୍ରକାଶ କରିଥିଲେ ।