ଭୁବନେଶ୍ୱର,୧୨/୦୯: ଆଜି ପଞ୍ଚଦଶ ଉପରାଷ୍ଟ୍ରପତି ଭାବେ ଶପଥ ନେବେ ନବନିର୍ବାଚିତ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ। ସକାଳ ୧୦ଟାରେ ରାଷ୍ଟ୍ରପତି ଭବନର ଗଣତନ୍ତ୍ର ମଣ୍ଡପରେ ଶପଥ ନେବେ । ପଦ ଓ ଗୋପନୀୟତାର ଶପଥପାଠ କରାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେହି ସମାରୋହରେ ଏନ୍ଡିଏର ବରିଷ୍ଠ ନେତାମାନେ ସାମିଲ ହେବେ ।ଏହି ସମାରୋହରେ ଦେଶର ଅନେକ ମୁଖ୍ୟମନ୍ତ୍ରୀ, ବରିଷ୍ଠ ରାଜନେତାଙ୍କୁ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଛି । ଏହି ସମାରୋହରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରାଷ୍ଟ୍ରପତିଙ୍କ ଦପ୍ତରରୁ ନିମନ୍ତ୍ରଣ ଆସିଛି । ଏଥି ପାଇଁ ମୁଖ୍ୟମନ୍ତ୍ରୀ ମାଝୀ ଗୁରୁବାର ସନ୍ଧ୍ୟା ୮.୧୫ରେ ଦିଲ୍ଲୀ ଯାଇଛନ୍ତି ।
ମଙ୍ଗଳବାର ଅନୁଷ୍ଠିତ ନିର୍ବାଚନରେ ଏନ୍ଡିଏ ପ୍ରାର୍ଥୀ ରାଧାକ୍ରିଷ୍ଣନ୍ ‘ଇଣ୍ଡି’ ମେଣ୍ଟର ପ୍ରାର୍ଥୀ ସୁଦର୍ଶନ ରେଡ୍ଡୀଙ୍କୁ ୧୫୨ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାଜିତ କରିଥିଲେ । ରାଧାକ୍ରିଷ୍ଣନ୍ଙ୍କୁ ୪୫୨ ଖଣ୍ଡ ଭୋଟ୍ ମିଳିଥିବାବେଳେ ରେଡ୍ଡୀଙ୍କୁ ୩୦୦ ଭୋଟ୍ ମିଳିଥିଲା । ୧୫ଟି ଭୋଟ୍କୁ ନାକଚ କରାଯାଇଥିଲା । ସେପଟେ ନିର୍ବାଚନରେ ଅତି କମ୍ରେ ୧୪ ଜଣ ବିରୋଧୀ ସାଂସଦ ଏନ୍ଡିଏ ସପକ୍ଷରେ କ୍ରସ୍ ଭୋଟିଂ କରିଥିବା ଆକଳନ କରାଯାଉଛି । କାରଣ ଏନ୍ଡିଏ ନିକଟରେ ୪୨୭ଜଣ ସାଂସଦ ଥିଲେ । ୱାଇଏସଆର୍ କଂଗ୍ରେସର ୧୧ଜଣ ସାଂସଦ ଏନ୍ଡିଏକୁ ସମର୍ଥନ ଦେଇଥିଲେ । ଏହାକୁ ମିଶାଇ ଏନ୍ଡିଏର ମୋଟ ୪୩୮ ଖଣ୍ଡ ଭୋଟ୍ ହେବା କଥା । କିନ୍ତୁ ରାଧାକ୍ରିଷ୍ଣନ୍ଙ୍କୁ ଅଧିକ ୧୪ ଖଣ୍ଡ ଅର୍ଥାତ୍ ୪୫୨ ଭୋଟ୍ ମିଳିଛି । ଏଭଳିସ୍ଥଳରେ ବିରୋଧୀ ଦଳ ପକ୍ଷରୁ ୧୪ଟି କ୍ରସ୍ ଭୋଟିଂ ହେବା ସହ କିଛି ବିରୋଧୀ ସାଂସଦ ଜାଣିଶୁଣି ଅମାନ୍ୟ ଭୋଟ୍ ଦେଇଥିବା ବିଜେପି ଦାବି କରିଛି ।
ସୂଚନାଯୋଗ୍ୟ ଯେ ଏନଡିଏ ପ୍ରାର୍ଥୀ ଶ୍ରୀ ରାଧାକ୍ରିଷ୍ଣନ ବିରୋଧୀ ମେଣ୍ଟ ପ୍ରାର୍ଥୀ ସୁଦର୍ଶନ ରେଡ୍ଡୀଙ୍କୁ ହରାଇ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି ।