ଅନୁଗୁଳ,୨୪/୦୯: ବେଆଇନ୍ ବାଣ ବିରୁଦ୍ଧରେ ଅନୁଗୁଳ ପୁଲିସ୍ର ବଡ଼ ଆକ୍ସନ୍ । ବେଆଇନ୍ କାରବାର ରୋକିବାକୁ ପୁଲିସ୍ ଚଳାଇଛି ଅପରେସନ୍ ଅଗ୍ନି । ଗତ ଦୁଇ ଦିନ ମଧ୍ୟରେ ଜିଲ୍ଲାର ବିଭିନ୍ନ ଥାନା ଇଲାକାରେ ଜୋରଦାର ଚଢ଼ଉ କରି ଜବତ କରାଯାଇଛି ୫ ହଜାର ୭୧୦ କିଲୋ ବାଣ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ କୋଟି ଟଙ୍କା ହେବ । ଏ ସଂକ୍ରାନ୍ତରେ ମୋଟ୍ ୧୫ଟି ମାମଲା ରୁଜୁ କରିବା ସହିତ ବନ୍ଧା ହୋଇଛନ୍ତି ୧୩ ଅଭିଯୁକ୍ତ । ୨ ଜଣଙ୍କୁ ନୋଟିସ୍ ଦେଇ ଛଡାଯାଇଛି । ଏହି ଅପରେସନ୍ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ମଙ୍ଗଳବାର ସନ୍ଧ୍ୟାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍ପି ରାହୁଲ୍ ଜୈନ୍ ।
ଅପରେସନ୍ ଅଗ୍ନିରେ ଦୁଇ ଦିନ ହେଲା ଜୋରଦାର ଧରପଗଡ଼ ଚଳାଇଛି ସ୍ପେଶାଲ୍ ସ୍କ୍ୱାଡ୍ ଓ ବିଭିନ୍ନ ଥାନା ପୁଲିସ୍ । ତାଳଚେର ଥାନା ପୁଲିସ୍ ସର୍ବାଧିକ ୬ଟି ମାମଲା ରୁଜୁ କରିବା ସହିତ ପ୍ରାୟ ୩୦୦ କିଲୋ ବାଣ ଜବତ କରିଛି । ଯାହାର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ । ଏଥିସହିତ ବେଆଇନ୍ କାରବାରରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରାଯାଇଛି । ସେହିପରି ଅନୁଗୁଳ ଥାନାରେ ୩ଟି ମାମଲା, ଛେଣ୍ଡିପଦାରେ ୨ଟି ମାମଲା, ବାଗେଡିଆ ଥାନାରେ ଗୋଟିଏ ମାମଲା, ଏନ୍ଟିପିସିରେ ଗୋଟିଏ ଓ ସଦର ଥାନା ପକ୍ଷରୁ ୨ଟି ମାମଲା ରୁଜୁ କରାଯାଇଥିବା ସୂଚନା ଦେଇଛନ୍ତି ଏସ୍ପି । କେଉଁଠି ବାଣ ତିଆରି ବେଳେ ତ ଆଉ କେଉଁଠି ବାଣ ଚାଲାଣ ଓ ବାଣ ମହଜୁଦ କରାଯାଇଥିବା ଅବସ୍ଥାରେ ପୁଲିସ୍ ଚଢ଼ଉ କରିଥିଲା । ଏକ ଲାଇସେନ୍ସପ୍ରାପ୍ତ ଗୋଦାମରେ ଚଢ଼ଉ କରାଯାଇ ଜଣକୁ ଗିରଫ କରାଯାଇଛି । ତାଙ୍କ ଲାଇସେନ୍ସ ବାତିଲ୍ କରିବାକୁ ପ୍ରକ୍ରିୟା ଚାଲିଥିବା ଏସ୍ପି ଶ୍ରୀ ଜୈନ୍ ସୂଚନା ଦେଇଛନ୍ତି । ଆଗକୁ ବେଆଇନ୍ ବାଣ ଓ ବିସ୍ଫୋରକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଜାରିବ । ଏଥିସହ ସବୁଜ ବାଣ ଫୁଟାଇବା ପାଇଁ ଏସ୍ପି ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ରମାକାନ୍ତ ମହାଳିକ, ଟାଉନ୍ ଥାନା ଅଧିକାରୀ ଧିରେଶ ଦାଶ ଓ ଏସ୍ଆଇ ଅୟସକାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।