ଆଠଗଡ଼,୨୨/୦୮: କଟକ ଜିଲ୍ଲାର ଦୁର୍ଦ୍ଦାନ୍ତ ଅପରାଧୀକୁ ଧରିଲା ପୁଲିସ । ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଅପରାଧ କରୁଥିବା ପପୁ ଚୌଧୁରୀକୁ (୨୫ ବର୍ଷ)ବଡମ୍ବା ପୁଲିସ ଗିରଫ କରିଛି । ଅଭିଯୁକ୍ତ ପପୁ ବଡମ୍ବା ଥାନା ଅନ୍ତର୍ଗତ ସୁନପାଳ ଅଞ୍ଚଳର ବୋଲି ଜଣାପଡ଼ିଛି ।
ସୂଚନା ମୁତାବକ, ଅଭିଯୁକ୍ତ ପପୁ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିଲା । ବେଆଇନ ଅସ୍ତ୍ରଶସ୍ତ୍ର ରଖି ଡକାୟତି କରି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଥିଲା । ଯାହାକୁ ନେଇ ପପୁ ନାଁରେ ଏକାଧିକ ମାମଲା ମଧ୍ୟ ରୁଜୁ ହୋଇଥିଲା । ବିଭିନ୍ନ ଥାନାରେ ଚୋରି, ଡକାୟତି, ବେଆଇନ ଅସ୍ତ୍ରଶସ୍ତ୍ର ରଖିବା, ଯୌତୁକ ନିର୍ଯାତନା ଏବଂ ଦୁଷ୍କର୍ମ ଭଳି ୭ ଟି ମାମଲା ଅଭିଯୁକ୍ତ ନାଁରେ ରହିଛି । ଦୀର୍ଘ ଦିନ ଧରି ପୁଲିସ ନଜରରୁ ବଞ୍ଚି ଅପରାଧ କରୁଥିବା ବେଳେ ଏବେ ଶେଷରେ ଧରାପଡ଼ିଛି ପପୁ । ବଡମ୍ବା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ଏନେଇ ବଡ଼ମ୍ବା ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ସୂଚନା ଦେଇଛନ୍ତି।