ଭୁବନେଶ୍ୱର,୨୭/୧୨ : ଅଦିନିଆ ବର୍ଷାରେ ୧୫ ଜିଲ୍ଲାରେ ବ୍ୟାପକ ଫସଲ କ୍ଷତି ହୋଇଥିବା ବେଳେ ୨୧ ଜିଲ୍ଲାରେ ଧାନ ସହିତ ପନିପରିବା ଚାଷ ନଷ୍ଟ ହୋଇଛି । ପ୍ରାଥମିକ ଭାବେ ଏଭଳି ଆକଳନ କରାଯାଇଛି । ତେବେ ଅମଳ ସମୟରେ ଚାଷ ନଷ୍ଟ ହେବାକୁ ସହଜରେ ଗ୍ରହଣ କରିପାରୁନି ଚାଷୀ । ବର୍ଷ ଯାକ ବହୁ କଷ୍ଟ ସହିତ ଧାର କରଜରେ ବୁଡ଼ି କରିଥିବା ଚାଷ ଆଖି ଆଗରେ ନଷ୍ଟ ହେଉଥିବା ଦେଖି ଚାଷୀ ବରଦାସ୍ତ କରିପାରୁନି । କିଏ ହୃଦଘାତର ଶିକାର ହେଲାଣି ତ ଆଉ କିଏ ଆତ୍ମହତ୍ୟା କଲାଣି । ଗୁରୁବାର ଅଦିନିଆ ବର୍ଷାରେ ଚାଷ ନଷ୍ଟ ଯୋଗୁଁ ୩ ଜଣ ଚାଷୀଙ୍କ ପ୍ରାଣ ଯାଇଛି । ଗଞ୍ଜାମ ଜିଲ୍ଲା ବଡ଼ମାଧବପୁରର ଚାଷୀ ବନମାଳି ପେଣ୍ଠେଇ ପାଇଖାନା ଘରେ ଆତ୍ମହତ୍ୟା କରିଥିବାର ଖବର ମିଳିଛି । ତାଙ୍କର ବୟସ ୬୪ ବର୍ଷ ବୋଲି ଜଣାଯାଇଛି । ସେ ୪ ଏକର ଜମିରେ ଚାଷ କରିଥିଲେ । ନିଜର ୨ ଏକର ହୋଇଥିବା ବେଳେ ଆଉ ୨ ଏକର ଜମିରେ ଭାଗ ଚାଷୀ ହିସାବରେ ଚାଷ କରୁଥିଲେ । ଅଦିନିଆ ଲଗାଣ ବର୍ଷାରେ ଚାଷ ଉଜୁଡ଼ି ଯାଇଥିବାରୁ ଚିନ୍ତାରେ ପଡ଼ିଥିଲେ । ପ୍ରାୟ ଦୁଇ ଲକ୍ଷ ଟଙ୍କା ଅନ୍ୟମାନଙ୍କ ଠାରୁ ଧାର କରଜ କରି ଚାଷ କରିଥିଲେ । ସେହି ଟଙ୍କା ସୁଝିବା ବାବଦରେ କଷ୍ଟ ସହି ନ ପାରି ଆତ୍ମହତ୍ୟା କରିଥିଲେ । 

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ସନ୍ଥପୁରା ଗ୍ରାମର ଭାବଗ୍ରାହୀ ମଲ୍ଲିକ(୫୨) ନିଜ ଧାନବିଲରେ ପାଣି ଦେଖିବା ପରେ ଫସଲ ନଷ୍ଟର ଆଶଙ୍କା କରିଥିଲେ । ଭାବଗ୍ରାହୀଙ୍କର ଅଳ୍ପ ପରିମାଣର ନିଜସ୍ୱ ଜମି ଥିବା ବେଳେ ସେ ଗ୍ରାମର କିଛି ବ୍ୟକ୍ତିଙ୍କ ଜମି ଭାଗରେ ନେଇ ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ । ଧାର କରଜ କରି ସେ ଏବର୍ଷ ଧାନ ଫସଲ କରିଥିଲେ । ବର୍ଷା ଯୋଗୁଁ ପାଣିରେ ଭାସୁଥିବା ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ଆଶଙ୍କା କରି ସେ ଚିନ୍ତିତ ହୋଇପଡ଼ିଥିଲେ । ବିଲରୁ ଘରକୁ ଫେରି ଧାରକରଜ କିପରି ଶୁଝିବେ ବୋଲି କହି ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ । ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । 

ଜଗତସିଂହପୁର ଜିଲ୍ଲାର ଚାନ୍ଦପୁରା ଗ୍ରାମର ଚାଷୀ ଧ୍ରୁବ ଚରଣ ସ୍ୱାଇଁ(୭୨)ଙ୍କର ମଧ୍ୟ ଅଦିନିଆ ବର୍ଷାରେ ପାଚିଲା ଧାନ ଗଜା ହେବା ଦେଖିବା ପରେ ହୃଦ୍‌ଘାତରେ ମୃତ୍ୟୁ ଘଟିଛି । ଧ୍ରୁବଙ୍କର ପ୍ରାୟ ୩ ଏକର ଜମିର ଧାନ ଫସଲ ଉଜୁଡ଼ିଯାଇଛି । ହାତ ଉଧାରି କରି ସାରମସଲା ଦେଇ ଫସଲ ଅମଳ ଆଶାରେ ବସିଥିବା ଧ୍ରୁବ ବୁଧବାର ସକାଳେ ବିଲକୁ ଯାଇଥିଲେ । କିନ୍ତୁ ପାଣିରେ ଧାନ ବୁଡ଼ି ଗଜା ହୋଇଥିବା ଦେଖି ମନଦୁଃଖରେ ଘରକୁ ଫେରିଥିଲେ । କେମିତି ଧାର ଟଙ୍କା ଶୁଝିବେ ସେଇ ଚିନ୍ତାରେ ଭାଙ୍ଗି ପଡ଼ିଥିଲେ । ରାତିରେ କିଛି ନ ଖାଇ ନ ପିଇ ଶୋଇଥିଲେ । ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରିବାର ଲୋକେ ପ୍ରଥମେ ତାଙ୍କୁ ନାଉଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ଡାକ୍ତରଖାନାକୁ ନେଇ ଯାଇଥିଲେ । କଟକରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । 

ଅଦିନିଆ ବର୍ଷା ଯୋଗୁଁ ଏହି ୩ ଜଣ ଚାଷୀ ନୁହେଁ ୨୧ ଜିଲ୍ଲାର ବହୁ ଚାଷୀ ଏବେ ଚିନ୍ତାରେ । ବିଶେଷ କରି ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଦେବଗଡ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ, ପୁରୀ ଏବଂ ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଫସଲ କ୍ଷୟକ୍ଷତି ହୋଇଥିବା ବିଭାଗ ପକ୍ଷରୁ ପ୍ରାଥମିକ ଆକଳନ କରାଯାଇଛି । ଉପକୂଳ ଓ ଦକ୍ଷିଣ ଓଡ଼ିଶାର ୧୫ଟି ଜିଲ୍ଲାରେ ଅଧିକ କ୍ଷତି ହୋଇଥିବା ସୂଚନା ମିଳୁଛି । ଅନେକ ଚାଷୀ ଅମଳ କରି କ୍ଷେତରେ ଧାନ ରଖିଥିବା ବେଳେ ଅଦିନିଆ ବର୍ଷା ଯୋଗୁଁ କ୍ଷେତରେ ହିଁ ବୁଡ଼ିଯାଇଛି । ଆଉ କିଛି ଚାଷୀ ଧାନ ନ କାଟି ପାରି ଛାଡ଼ିଥିଲେ ବି ତାହା ଲଗାଣ ବର୍ଷାରେ ଭାଙ୍ଗି ନଷ୍ଟ ହୋଇଛି । ଯେଉଁ ଚାଷୀ ଖଳାକୁ ବି ନେଇଛନ୍ତି, ତାଙ୍କର ବି ବର୍ଷାରେ ଭିଜି ନଷ୍ଟ ହୋଇଛି । କ୍ଷତିଗ୍ରସ୍ତ ସମସ୍ତ ବୀମାଭୁକ୍ତ ଚାଷୀଙ୍କୁ ଉଚିତ କ୍ଷତି ପୂରଣ ଦିଆଯିବ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି । ସେମାନଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ନିୟମ ଅନୁଯାୟୀ ସହାୟତା ରାଶି ମିଳିବ । ତେବେ ଅମଳ ହୋଇଥିବା ଫସଲ କ୍ଷେତରେ ବିଡା ବନ୍ଧା ଅବସ୍ଥାରେ କିମ୍ୱା ଖଳାରେ ଅମଳର ୧୪ ଦିନ ମଧ୍ୟରେ କ୍ଷତି ହୋଇଥିଲେ ମିଳିପାରିବ ବୋଲି କୁହାଯାଇଛି । ଏ ନେଇ ଚାଷୀମାନେ କ୍ଷତି ହେବାର ୭୨ ଘଣ୍ଟା ମଧ୍ୟରେ କୃଷି ରକ୍ଷକ ପୋର୍ଟାଲ କିମ୍ୱା କୃଷି ରକ୍ଷକ ହେଲ୍ପଲାଇନ ନମ୍ୱର ୧୪୪୪୭ରେ ସୂଚନା ଦେବାକୁ ସମବାୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । 

ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଏଫଏକ୍ୟୁ ନଥିବା ଚାଉଳ ଏଫସିଆଇ ନେବନି । ଚାଉଳ ପଡି ରହି ନଷ୍ଟ ହେବ । କେତେ କୋହଳ କରିହେବ ତାହା ସମ୍ପୃକ୍ତ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ । ରାଜସ୍ୱ ମନ୍ତ୍ରୀ ସ୍ପଷ୍ଟ କହିଛନ୍ତି, ଯେଉଁମାନଙ୍କର କ୍ଷତି ହେବ ସେମାନେ କ୍ଷତିପୂରଣ ପାଇବେ । ଜିଲ୍ଲାପାଳମାନଙ୍କୁ ଏ ବାବଦରେ ନିର୍ଦ୍ଦେଶ ଦିଆଯାଇଛି । ଚାଷୀଙ୍କୁ ନ ଫେରାଇ, ଯେତେ ସମ୍ଭବ ନେବାକୁ କୁହାଯାଇଛି । ଜିଲ୍ଲା ସ୍ତରରେ ଚାଷୀ, ମିଲର, ପ୍ରଶାସନ ବସି ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ।