ନୂଆଦିଲ୍ଲୀ,୨୦/୦୩:  ଫେବ୍ରୁଆରୀ ୨୮ରେ ଯେତେବେଳେ ଆମେରିକା ଏବଂ ଇସ୍ରାଏଲ ପ୍ରଥମ ଥର ପାଇଁ ଇରାନ ଉପରେ ଆକ୍ରମଣ କଲେ, ବିଶ୍ଳେଷକମାନେ ଅନୁମାନ କରିଥିଲେ ଯେ, ବ୍ୟାରେଲ ପିଛା ତୈଳ ଦର ୧୦୦ ଡଲାର ପାର୍‌ କରିବ । ଯୁଦ୍ଧର ୩ ସପ୍ତାହ ହୋଇନାହିଁ, ବଜାର ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ଆଗକୁ ତୈଳ ଦର ଭୟଙ୍କର ସ୍ତରକୁ ଚାଲିଯିବ । ଏହା ୧୫୦ ଡଲାର ଏପରିକି ୨୦୦ ଡଲାର ବି ପାର୍‌ କରିବା ଅସମ୍ଭବ ନୁହେଁ । ମାର୍ଚ୍ଚ ୯ରେ ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ୍‌ ଦର ୧୨୦ ଡଲାର ଛୁଇଁଗଲା ଏବଂ ମାର୍ଚ୍ଚ ୧୩ ପରଠାରୁ ଏହା ୧୦୦ ଡଲାର ତଳକୁ ଖସିନାହିଁ । 

ମାର୍ଚ୍ଚ ୧୮ରେ ଇରାନ୍‌ର ସାଉଥ୍‌ ପାର୍ସ ଗ୍ୟାସ୍‌ଫିଲ୍ଡରେ ଇସ୍ରାଏଲ୍‌ର ଆକ୍ରମଣ ପରେ ଇରାନ ଆଜି କତାର, ସାଉଦି ଆରବ ଏବଂ ୟୁଏଇରେ ତୈଳ ଓ ଗ୍ୟାସ ଫ୍ୟାସିଲିଟିଗୁଡ଼ିକରେ ଆକ୍ରମଣ କରିଛି । ଏସବୁ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ୍‌ ଦର ଆଜି ବ୍ୟାରେଲ ପିଛା ୧୧୯ ଡଲାର ଡେଇଁଯାଇଥିଲା । ଅବଶ୍ୟ ପରେ ୧୧୪ ଡଲାରରେ ବନ୍ଦ ହୋଇଛି । ହୋର୍ମୁଜ ଜଳମାର୍ଗ ନ ଖୋଲିବା ପର୍ଯ୍ୟନ୍ତ ତୈଳ ଦର ବଢ଼ିଚାଲିବ । କାରଣ ଏହି ପଥ ଦେଇ ବିଶ୍ୱର ୨୦% ତୈଳ ଯାଇଥାଏ, ଯାହାକି ଏବେ ଠପ ହୋଇଯାଇଛି । ଯୋଗାଣ ବାଧାପ୍ରାପ୍ତ ହେବା ଫଳରେ ଦର ବଢ଼ିବା ସ୍ୱାଭାବିକ । ତୈଳ ବଜାର ବିଷ୍ଳେଶକ ବନ୍ଦେ ଇନ୍‌ସାଇଟ୍‌ସ ପ୍ରତିଷ୍ଠାତା ବନ୍ଦନା ହରି କୁହନ୍ତି, ଓମାନ ଏବଂ ଦୁବାଇ ଭଳି ବେଞ୍ଚ୍‌ମାର୍କ ମିଡିଲ୍‌ ଇଷ୍ଟର୍ଣ୍ଣ କ୍ରୁଡ୍‌ ୧୫୦ ଡଲାର ପାର କରିଗଲାଣି । ତେଣୁ ୨୦୦ ଡଲାର ଦୂର ନୁହେଁ । ହୋର୍ମୁଜ ଜଳମାର୍ଗ କେତେ ଲମ୍ବା ସମୟ ପାଇଁ ବନ୍ଦ ରହୁଛି ତାହା ଉପରେ ଅଶୋଧିତ ତୈଳ ଦର ନିର୍ଭର କରେ ।

ହୋର୍ମୁଜକୁ ଖୋଲିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉଦ୍ୟମ ବିଫଳ ହୋଇଛି । ସେ ଅନ୍ତରାଷ୍ଟ୍ରୀୟ ସହାୟତା ପାଇବାରେ ସଫଳ ହୋଇପାରିନାହାନ୍ତି । ରାଷ୍ଟ୍ରଗୁଡ଼ିକ ସୁରକ୍ଷିତ ଭାବେ ହୋର୍ମୁଜ ଅତିକ୍ରମ କରିବା ପାଇଁ ଇରାନ ସହ ଚୁକ୍ତି କରିବାକୁ ଏବେ ଚେଷ୍ଟା କରୁଛନ୍ତି । କେବଳ ଭାରତ, ପାକିସ୍ତାନ, ତୁର୍କୀ ଏବଂ ଚୀନ୍‌ ପତାକାଯୁକ୍ତ ଜାହାଜଗୁଡ଼ିକୁ ଏହି ମାର୍ଗ ଅତିକ୍ରମ କରିବାର ଅନୁମତି ରହିଛି । ଯଦିଓ ରାଷ୍ଟ୍ରଗୁଡ଼ିକ ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି ସହଯୋଗିତାରେ ନିଜ ନିଜର ଆପାତକାଳୀନ ଷ୍ଟକ୍‌ରୁ ୪୦ କୋଟି ବ୍ୟାରେଲ ଅଶୋଧିତ ତୈଳ ବିଶ୍ୱ ବଜାରକୁ ଛାଡ଼ିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି କିନ୍ତୁ ଏହା ସ୍ଥିତିକୁ ଠିକ୍‌ କରିପାରିନାହିଁ । କାରଣ ପରିବହନ ବାଟ ବନ୍ଦ । ସିଙ୍ଗାପୁରଭିତ୍ତିକ ଓସିବିସି ଗ୍ରୁପ୍‌ ରିସର୍ଚ୍ଚ ଅନୁସାରେ, ବିଶ୍ୱ ବଜାର ଏବେ ୧ କୋଟି ବ୍ୟାରେଲ ତୈଳ ଅଭାବ ସ୍ଥିତିର ସାମ୍ନା କରୁଛି । ଉଡ୍‌ ମାକେଞ୍ଜି ବିଶ୍ଳେଷକ ଗତ ସପ୍ତାହରେ କହିଥିଲେ ଯେ, ବ୍ରେଣ୍ଟ କ୍ରୁଡ୍‌ ଖୁବ୍‌ଶୀଘ୍ର ୧୫୦ ଡଲାର ଟପିପାରେ ଏବଂ ଆଗକୁ ୨୦୦ ଡଲାର ଛୁଇଁବାର ସମ୍ଭାବନା ରହିଛି । ଅଶୋଧିତ ତୈଳ ଦର ୧୫୦ ଡଲାର ଛୁଇଁଲେ ଏହା ବିଶ୍ୱ ଅର୍ଥବ୍ୟବସ୍ଥା ଉପରେ ମହଙ୍ଗା ପଡ଼ିବ । 

ଆହୁରି ପଢନ୍ତୁ- ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ସେୟାର ବଜାରରେ ଝଡ଼, ଦିନକରେ ନିବେଶକ ହରାଇଲେ ୧୧.୫ ଲକ୍ଷ କୋଟି ଟଙ୍କା

ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଅନୁସାରେ, ତୈଳ ଦରରେ ପ୍ରତି ୧୦%ର ବୃଦ୍ଧି ବିଶ୍ୱ ବଜାରରେ ମୁଦ୍ରାସ୍ଫୀତିକୁ ୦.୪% ବଢ଼ାଇବ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ୦.୧୫% ଖସାଇବ । ବିଶ୍ୱରେ ଦରଦାମ ସ୍ଥିତି ଉତ୍କଟ ହେବ । ଆମ୍‌ ଆଦ୍‌ମୀଙ୍କ ବଜେଟ୍‌ ବିଗିଡ଼ିଯିବ । ୨୦୦୮ ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା ବେଳେ ବ୍ୟାରେଲ ପିଛା ବ୍ରେଣ୍ଟ କ୍ରୁଡ୍‌ ୧୪୭.୫୦ ଡଲାର ଛୁଇଁଥିଲା । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଶକ୍ତି ବିଶେଷଜ୍ଞ ଆଦି ଇମ୍‌ସିରୋଭିକ୍‌ କୁହନ୍ତି, ବ୍ୟାରେଲ ପିଛା ତୈଳ ଦର ୨୦୦ ଡଲାର ଛୁଇଁଲେ ବିଶ୍ୱ ଅର୍ଥବ୍ୟବସ୍ଥାର ସ୍ଥିତି ଭୟଙ୍କର ହୋଇଯିବ । ବର୍ତ୍ତମାନ ଯେଉଁ ହାରରେ ଦର ବଢୁଛି ଏହି ସ୍ତରରେ ପହଞ୍ଚିବା ଅସମ୍ଭବ ନୁହେଁ । ଏହା ମୁଦ୍ରାସ୍ଫୀତି, ଅଭିବୃଦ୍ଧି, ନିଯୁକ୍ତିକୁ ପ୍ରଭାବିତ କରିବ । କେତେକ କ୍ଷେତ୍ରରେ ଏହା କେବଳ ଇନ୍ଧନ ଅଭାବ ସ୍ଥିତି ଉପୁଯାଇବ ନାହିଁ ବରଂ ସାର, ପ୍ଲାଷ୍ଟିକ୍‌ ଭଳି ସାମଗ୍ରୀ ଅଭାବ ସ୍ଥିତି ଦେଖାଦେବ ।