ନୂଆଦିଲ୍ଲୀ, ୨।୪: ଇରାନ ଓ ଆମେରିକା ମଧ୍ୟରେ ବଢୁଥିବା ଉତ୍ତେଜନା ଏବେ ବିଶ୍ୱ ଅର୍ଥନୀତିକୁ ଦୋହଲାଇ ଦେଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଶକ୍ତ ବୟାନ ପରେ ଗ୍ଲୋବାଲ ମାର୍କେଟରେ ଅଶୋଧିତ ତୈଳ ଦରରେ ନିଆଁ ଲାଗିଛି । ମାତ୍ର କିଛି ଘଣ୍ଟା ମଧ୍ୟରେ ତୈଳ ଦର ବ୍ୟାରେଲ ପିଛା ୧୦୫ ଡଲାର ଅତିକ୍ରମ କରିଥିବାବେଳେ ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ହ୍ରାସ ଘଟିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଇରାନ ଯୁଦ୍ଧକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ବୋଧନରେ ଟ୍ରମ୍ପ କହିଛନ୍ତି ଯେ, ଆମେରିକା କେବେବି ଇରାନକୁ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ହେବାକୁ ଦେବ ନାହିଁ । ସେ ସ୍ପଷ୍ଟ କରିଛନ୍ତି ଆଗାମୀ ୨ ରୁ ୩ ସପ୍ତାହ ମଧ୍ୟରେ ଇରାନ ବିରୋଧରେ ବଡ଼ ସୈନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ହୋର୍ମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ସୁରକ୍ଷିତ କରାଯିବ । ଯେଉଁ ଦେଶମାନେ ସେହି ରାସ୍ତା ଦେଇ ତୈଳ ଆମଦାନୀ କରୁଛନ୍ତି, ସେମାନଙ୍କୁ ମଧ୍ୟ ସୁରକ୍ଷା ପାଇଁ ଆଗକୁ ଆସିବାକୁ ପଡ଼ିବ ।
ଏହା ବି ପଢ଼ନ୍ତୁ... ଚୀନ୍ର ସବୁଠୁ ଶକ୍ତିଶାଳୀ କାର୍ଗୋ ଡ୍ରୋନ୍, ଥରକେ ନେଇ ପାରିବ ଏତେ ଟନ୍ ଓଜନ
ତେଲ ଦର ଆକାଶଛୁଆଁ:
ଟ୍ରମ୍ପଙ୍କ ଏହି ଘୋଷଣା ପରେ ତୈଳ ଦରରେ ବଡ଼ ଧରଣର ଉଲ୍ଲଂଘନ ଦେଖିବାକୁ ମିଳିଛି । ବୁଧବାର ସୁଦ୍ଧା ୧୦୦ ଡଲାର ତଳେ ଥିବା ବ୍ରେଣ୍ଟ କ୍ରୁଡ୍ ଏବେ ୫% ବୃଦ୍ଧି ପାଇ ୧୦୬.୨୨ ଡଲାରରେ ପହଞ୍ଚିଛି । ସେହିପରି ଆମେରିକୀୟ ବେଞ୍ଚମାର୍କ କ୍ରୁଡ୍ ମଧ୍ୟ ୪.୨% ବୃଦ୍ଧି ପାଇ ୧୦୪.୩୬ ଡଲାର ଛୁଇଁଛି । ଭାରତ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ, କାରଣ ଦେଶର ତୈଳ କ୍ରୟ ବଜେଟ୍ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ । ତୈଳ ଦର ବୃଦ୍ଧିର ପ୍ରଭାବ ସିଧାସଳଖ ଏସୀୟ ସେୟାର ବଜାର ଉପରେ ପଡ଼ିଛି । ଜାପାନରେ ୧.୪% ହ୍ରାସ ପାଇ ୫୩,୦୦୪.୮୧ ସ୍ତରକୁ ଖସିଛି । ଦକ୍ଷିଣ କୋରିଆରେ ୩.୪% ର ବଡ଼ ଧରଣର ହ୍ରାସ ଘଟିଛି । ସେହିଭଳି ହଂକଂରେ ୦.୮% ତଳକୁ ଖସିଛି ।
ଭାରତୀୟ ବଜାର ପାଇଁ ବିପଦ ଘଣ୍ଟି:
ଭାରତୀୟ ବଜାରରେ ମଧ୍ୟ କଳା ବାଦଲ ଦେଖାଦେଇଛି । ଗିପ୍ଟ ନିପ୍ଟି ପ୍ରାୟ ୪୫୦ ପଏଣ୍ଟ ହ୍ରାସ ପାଇବାର ସଙ୍କେତ ଦେଉଛି । ଯଦି ତୈଳ ଦର ଏହିପରି ଭାବେ ପ୍ରତି ଘଣ୍ଟାରେ ବୃଦ୍ଧି ପାଏ, ତେବେ ଭାରତୀୟ ଶେୟାର ବଜାରରେ ଏକ ବଡ଼ କ୍ରାସ୍ ହେବାର ସମ୍ଭାବନା ରହିଛି । ସାଧାରଣ ଲୋକଙ୍କ ପାଇଁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବାର ଆଶଙ୍କା ମଧ୍ୟ ବଢ଼ିଯାଇଛି ।