ନୂଆଦିଲ୍ଲୀ ୦୨/୦୪: ଚୀନ୍ ଏକ ସ୍ୱତନ୍ତ୍ର ବିମାନ ପ୍ରସ୍ତୁତ କରିଛି । ନାଁ ଚାଙ୍ଗୟିଙ୍ଗ୍-୮ । ଏହା ଏକ କାର୍ଗୋ ଡ୍ରୋନ୍ । ଦାବି ଯେ ଏହା ବିଶ୍ୱର ସବୁଠୁ ଅଧିକ ଓଜନ ଉଠାଇ ଉଡ଼ିପାରେ । ଏହାର ଅନେକ ସାମର୍ଥ୍ୟ ମଧ୍ୟ ରହିଛି । ଚାଙ୍ଗୟିଙ୍ଗ୍-୮ ଡ୍ରୋନ୍ ଛୋଟ ରନ୍‌ୱେରେ ସହଜରେ ଉଡ଼ିପାରେ । ଗତ ମଙ୍ଗଳବାର ଏହାର ସଫଳ ପରୀକ୍ଷଣ ହୋଇଛି । ଆଗାମୀ ଦିନରେ ସମସ୍ତ ପରୀକ୍ଷଣ ଶେଷ କରି ଏହାକୁ ଲଞ୍ଚ କରାଯିବ । ଚାଙ୍ଗୟିଙ୍ଗ୍-୮କୁ ଖାସ୍‌କରି ଡେଲିଭରୀ ପାଇଁ ନିର୍ମାଣ କରାଯାଇଛି । ଦୂରବର୍ତ୍ତୀ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯିବ ଏବଂ ଓଜନଦାର ସାମଗ୍ରୀ ଡେଲିଭରୀ ହୋଇପାରିବ ।

ଚାଙ୍ଗୟିଙ୍ଗ୍-୮ ଏକ ବଡ଼ ଆକାରଯୁକ୍ତ ବିମାନ । ଓଜନ ୩.୫ ଟନ୍ । ନିଜ ଓଜନର ସାମଗ୍ରୀ ଉଠାଇ ଏହା ଉଡ଼ିପାରିବ । ଏହାର ଏୟାରଫ୍ରେମ୍ ୧୭ ମିଟର ଲମ୍ବା ଏବଂ ପଙ୍ଖ ପ୍ରାୟ ୨୫ ମିଟର ଯାଏ ଲମ୍ବିଛି । ଏଥିରେ ୧୮ ହଜାର ଲିଟର ଭଲ୍ୟୁମ୍ ଭରାଯାଇ ପାରିବ । ସାମଗ୍ରୀ ରଖିବା ଓ ଉତାରିବା ପାଇଁ କାର୍ଗୋ ଡ୍ରୋନ୍ରେ ଆଗ ଓ ପଛରେ ଗେଟ୍ ଦିଆଯାଇଛି । ଏଥିରେ ଦୁଇଟି ଟର୍ବୋପ୍ରୋପ୍ ଇଞ୍ଜିନ ଦିଆଯାଇଛି । ଛୋଟ ଓ ମୌଳିକ ସୁବିଧାଯୁକ୍ତ ରନ୍‌ୱେରେ ଏହା ସହଜରେ ଉଡ଼ିବା ସହ ଓହ୍ଲାଇ ପାରିବ । ଉଭୟ ନାଗରିକ ଓ ସୈନ୍ୟ କାର୍ଯ୍ୟରେ ଏହାର ଉପଯୋଗ ହୋଇପାରିବ । ପେଲୋଡ୍ କନ୍‌ଫିଗ୍ରେସନ୍‌କୁ ଏହା ବଦଳାଇ ପାରିବ ଏବଂ ଅନେକ ମିଶନରେ ଏହାକୁ ପ୍ରୟୋଗ କରାଯାଇ ପାରିବ । ନିର୍ମାତା ଏହାକୁ ଆପାତକାଳ ଯୋଗାଯୋଗ, ଜଳବାୟୁ ଅଧ୍ୟୟନ ଓ ବୈଦ୍ୟୁତିକ ଯାଞ୍ଚ ଆଦି ନିମନ୍ତେ ମୁତୟନ କରିପାରିବେ । ବିପର୍ଯ୍ୟୟ ଓ ଜଟିଳ କ୍ଷେତ୍ରରେ ଯୋଗାଣରେ ଏହାର ଉପଯୋଗ ହୋଇପାରିବ ।

ଆହୁରି ପଢ଼ନ୍ତୁ...ଭୟଙ୍କର ଅନୁଭୂତି ବଖାଣିଲେ ନୌସେନା କ୍ୟାପ୍ଟେନ୍: ଡ୍ରୋନ୍, ମିସାଇଲ ବିସ୍ଫୋରଣରେ ସମୁଦ୍ରରେ ଫସି ରହିଥିଲେ ୮୦ ଦିନ