ନୂଆଦିଲ୍ଲୀ: ପୁଣି ହାରିଲା ମୁମ୍ବାଇ । ଗାଏକ୍ବାଡଙ୍କ ଦମଦାର ପ୍ରଦର୍ଶନ । ଓ୍ବିକେଟରେ ମୁମ୍ବାଇକୁ ପରାସ୍ତ କଲା CSK । ୧୬୦ ରନର ବିଜୟ ଲକ୍ଷ୍ୟକୁ ୧୧ ବଲ ପୂର୍ବରୁ ଜିତି ନେଇଛି ଚେନ୍ନାଇ । ସିଏସକେର ଅଧିନାୟକ ଋତୁରାଜ ଗାଏକ୍ବାଡ ଏବଂ କାର୍ତ୍ତିକ ଶର୍ମାଙ୍କ ଅର୍ଦ୍ଧଶତକ ବଳରେ ଦଳ ସହଜ ବିଜୟ ହାସଲ କରିଛି । ମୁମ୍ବାଇ ପକ୍ଷରୁ ବୁମରା ଏବଂ ଗଜଲଫର ଗୋଟିଏ ଲେଖାଏଁ ଓ୍ବିକେଟରେ ସନ୍ତୁଷ୍ଟ ହୋଇଛନ୍ତି । ଚେନ୍ନାଇ ଏହି ବିଜୟ ସହ ଚତୁର୍ଥ ବିଜୟ ହାସଲ କରିଛି । ସେପଟେ ମୁମ୍ବାଇ ୯ଟି ମ୍ୟାଚରୁ ମାତ୍ର ୨ଟି ଜିତି ପଏଣ୍ଟ ଟେବୁଲର ନବମ ସ୍ଥାନରେ ରହିଛି ।
୧୬୦ ରନକୁ ପିଛା କରୁଥିବା ଚେନ୍ନାଇର ସଞ୍ଜୁ ସାମସନ ମାତ୍ର ୯ ରନ୍ କରି ବୁମରାଙ୍କ ବଲରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ । ପରେ ଗାଏକ୍ବାଡ ଉରଭିଲ୍ ପଟେଲ କିଛି ସମୟ ସାଥ ଦେଇଥିଲେ । ସେ ୧୨ ବଲରୁ ୨୪ ରନ କରିଥିଲେ । ମାତ୍ର ଗାଏକ୍ବାଡ ୪୮ ବଳରୁ ୬୭ ଏବଂ କାର୍ତ୍ତିକ ଶର୍ମା ୪୦ ବଲରୁ ୫୪ ରନ କରି ଦଳକୁ ବିଜୟୀ କରାଇଛନ୍ତି ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଦଳ ଚେପକରେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ଦଳ ୭ ଓ୍ବିକେଟ ବିନିମୟରେ ୧୫୯ ରନ୍ କରିପାରିଥିଲା । ଓପନର ଓ୍ବିଲ୍ ଜ୍ରାକ୍ସ ମାତ୍ର ୧ ରନ୍ କରି କମ୍ବୁଜଙ୍କ ବଲରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ । ପରେ ନମନ ଧୀର ଏବଂ ରିକଲଟନ୍ ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ । ରିକଲଟନ ୩୭ ରନ କରିଥିବାବେଳେ ନମନ ଧୀର ୫୭ ରନ୍ କରିଥିଲେ ।
ଏହାପରେ ଦଳର ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସୂର୍ଯ୍ୟକୁମାର ଯାଦବ ୨୧, ତିଲକ ବର୍ମା ୫ ରନ କରିଥିଲେ । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୨୩ ବଲରୁ ୧୮ ରନ କରିଥିଲେ । ଦଳ ପକ୍ଷରୁ ନମନ ଧୀର ସର୍ବାଧିକ ୩୭ ବଲରୁ ୫୭ ରନ୍ କରିଛନ୍ତି । CSK ପକ୍ଷରୁ କମ୍ବୁଜ ସର୍ବାଧିକ ୩ ଓ୍ବିକେଟ ଅକ୍ତିଆର କରିଥିଲେ । ବାକି ବୋଲରଙ୍କ ମଧ୍ୟରେ ନୂର ଅହମ୍ମହ ୨ ଓ୍ବିକେଟ୍ ଅକ୍ତିଆର କରିଥିଲେ ।
ଏହାସହ ପଢ଼ନ୍ତୁ : ଲଣ୍ଡନରେ ଆମ୍ବ ବିକ୍ରି କରୁଥିବା ଭାରତୀୟ ମହିଳାଙ୍କ ଭିଡିଓ ଭାଇରାଲ