ଭୁବନେଶ୍ୱର,୩୧/୦୫: ୨୦୨୧ ଓ ୨୦୨୨  ଶିକ୍ଷାବର୍ଷରେ ରାଜ୍ୟ ସରକାର ଡିପ୍ଲୋମା ଇନ୍‌ ଏଲିମେଣ୍ଟାରୀ ଏଜୁକେସନ (ଡିଇଏଲ୍‌ଇଡି) ତଥା  ସିଟି ପାଠ୍ୟକ୍ରମ ବନ୍ଦ କରିଦେଲେ । ଛାତ୍ରଛାତ୍ରୀଙ୍କ ଦାବି  ଓ ଅଭିଯୋଗ ପରେ ୨୦୨୩-୨୫ ଶିକ୍ଷାବର୍ଷ ପାଇଁ  ନାମଲେଖା ହେଲା । ଏହାପରେ ଗତ ବର୍ଷ ଅର୍ଥାତ୍‌  ୨୦୨୪-୨୬ ଶିକ୍ଷା ବର୍ଷ ପାଇଁ ନାମଲେଖା ହେବ ନ  ହେବ ସେ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା ।  

ଶେଷରେ ଜୁନ୍‌ ମାସରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେଲା । ଚଳିତବର୍ଷ ଉଚ୍ଚଶିକ୍ଷା ବିଭାଗ ମାର୍ଚ୍ଚ  ୨୪ ତାରିଖରୁ ବିଏଡ୍‌, ଏମ୍‌ଏଡ୍‌ ନାମଲେଖା ପାଇଁ  ପ୍ରକ୍ରିୟା ଆରମ୍ଭ କରିଛି । ଏପରିକି ଏହାର ପ୍ରବେଶିକା  ପରୀକ୍ଷା ଆଉ ୨ ଦିନ ପରେ ହେବ । କିନ୍ତୁ ବିଦ୍ୟାଳୟ  ଓ ଗଣଶିକ୍ଷା ବିଭାଗ ସିଟି ନାମଲେଖା ନେଇ ସ୍ପଷ୍ଟତା  ଆଣିନି । ଚଳିତବର୍ଷ ନାମଲେଖା ହେବ ନା ନାହିଁ ତାକୁ  ନେଇ ଚିନ୍ତାରେ ଶିକ୍ଷାର୍ଥୀ । 

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ  ଯୁକ୍ତ ଦୁଇ ପରୀକ୍ଷା ଫଳ ଗତ ୨୧ ତାରିଖରୁ ପ୍ରକାଶ  ପାଇଛି । ସେହିପରି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା  ପରିଷଦ ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ  ମେ ୧୩ରୁ ପ୍ରକାଶ ପାଇଛି । ଯୁକ୍ତ ତିନି ନାମଲେଖା  ପାଇଁ ଏପ୍ରିଲ ୧୬ରୁ ଆବେଦନ ଆରମ୍ଭ ହୋଇଥିଲେ  ହେଁ ଏଯାବତ୍‌ ରହିଥିବା ସିଟ୍‌ଠୁ କମ୍‌ ପିଲା ଆବେଦନ  କରିଛନ୍ତି । ପିଜି ନାମଲେଖା ପାଇଁ ୩୦,୮୦୨ ସିଟ୍‌  ଥିବା ବେଳେ ଏହାର ୨ ଗୁଣା ଅର୍ଥାତ୍‌ ୬୨ ହଜାର  ପିଲା ଆବେଦନ କରିଛନ୍ତି । କିନ୍ତୁ ବିଏଡ୍‌ ନାମଲେଖା  ପାଇଁ ୨୭୫୦ ସିଟ୍‌ ଥିବା ବେଳେ ଏହାର ୪୮ ଗୁଣା  ପିଲା ଆବେଦନ କରିଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି  ଶିକ୍ଷାର୍ଥୀମାନେ ନିଯୁକ୍ତିର ଅଧିକ ଆଶା ଥିବା କୋର୍ସ  କରିବାକୁ ଇଚ୍ଛୁକ ହେଉଛନ୍ତି । 

୨୦୨୪-୨୬ ଶିକ୍ଷାବର୍ଷରେ ୩୦ ଜିଲ୍ଲାର ୬୮ଟି  ପ୍ରତିଷ୍ଠାନରେ ୬୫୫୦ ସିଟି ସିଟ୍‌ ପାଇଁ ନାମଲେଖା  ହୋଇଥିଲା । ଏଥିପାଇଁ ୭୫,୯୨୩ ଜଣ ପିଲା  ପଞ୍ଜୀକରଣ କରିଥିଲେ । ୬୩, ୭୭୮ଜଣ ଆବେଦନ  କରିଥିଲେ । ଅର୍ଥାତ୍‌ ଉପଲବ୍ଧ ସିଟ୍‌ର ୧୨ ଗୁଣା  ଅଧିକ ଆବେଦନ କରିଥିଲେ । କୌଣସି ସ୍ଥାନରେ  ସିଟ୍‌ ଖାଲି ପଡ଼ିନଥିଲା । ବରଂ ଯୁକ୍ତ ତିନିରେ ସିଟ୍‌  ଖାଲି ପଡ଼ିଥିଲା । ଏଥିରୁ ସ୍ପଷ୍ଟ ଯେ ପିଲାମାନେ ସିଟି  ନାମଲେଖା ପାଇଁ ଆଗ୍ରହୀ ଅଛନ୍ତି । ସିଟି ନାମଲେଖା  ପାଇଁ ଦାୟିତ୍ୱରେ ଥିବା ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ  (ଏସ୍‌ସିଇଆର୍‌ଟି) ନାମଲେଖା ସଂପର୍କିତ କୌଣସି  ସୂଚନା ଦେଇନାହିଁ । ଫଳରେ ପିଲାଙ୍କ ମଧ୍ୟରେ  ଅସନ୍ତୋଷ ପ୍ରକାଶ ପାଇଛି ବୋଲି ଶିକ୍ଷାବିତ୍‌ କହିଛନ୍ତି ।  ଏସ୍‌ସିଇଆର୍‌ଟିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,  ଚଳିତବର୍ଷ ନାମଲେଖା ସମ୍ଭାବନା ରହିଛି । ଏଥିପାଇଁ  ସରକାରଙ୍କ ପାଖରୁ ଅନୁମତି ମିଳିସାରିଛି । ବିଜ୍ଞପ୍ତି  ପ୍ରକାଶ ପୂର୍ବରୁ ଆନୁସଙ୍ଗିକ ପ୍ରସ୍ତୁତି ଆରମ୍ଭ ହୋଇଛି ।