ଭୁବନେଶ୍ୱର,୨୭/୦୨: ସ୍ନାତକୋତ୍ତର  (ପିଜି) ନାମଲେଖା ପାଇଁ ଆସନ୍ତା ମାର୍ଚ୍ଚ ୧୩ରୁ ଆରମ୍ଭ ହେବ ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା  (ସିୟୁଇଟି) । ଏପ୍ରିଲ୍‌ ୧ ଯାଏ ଏହି ପରୀକ୍ଷା ଚାଲିବ ।  ୧୫୭ ବିଷୟରେ ପରୀକ୍ଷା ହେବ । ମୋଟ୍‌ ୪୩ଟି  ସିଫ୍ଟରେ ପରୀକ୍ଷା ହେବ । ଗୋଟିଏ ସିଫ୍ଟ ପରୀକ୍ଷା ୯୦  ମିନିଟ୍‌ର ହେବ । ଏନେଇ ନ୍ୟାସନାଲ ଟେଷ୍ଟିଂ  ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ସୂଚନା ଦିଆଯାଇଛି । 

ଏନ୍‌ଟିଏ ପକ୍ଷରୁ କୁହାଯାଇଛି, ସିୟୁଇଟି ପିଜି  ପାଇଁ ମୋଟ ୪ ଲକ୍ଷ ୧୨ ହଜାର ୨୪ ଜଣ ଶିକ୍ଷାର୍ଥୀ  ପଞ୍ଜୀକରଣ କରିଛନ୍ତି । ପରୀକ୍ଷା କମ୍ପ୍ୟୁଟର ବେସଡ୍‌ ଟେଷ୍ଟ  (ସିବିଟି) ମୋଡ୍‌ରେ କରାଯିବ । ପ୍ରଶ୍ନ ଉଭୟ ଇଂରାଜୀ  ଓ ହିନ୍ଦୀ ଭାଷାରେ ଆସିବ । ୪୧ଟି ଭାଷା ପରୀକ୍ଷା ସେହି  ଭାଷାରେ କରାଯିବ । ସେହିପରି ଏମ୍‌ଟେକ୍‌ ଓ ହାୟର  ସାଇନ୍ସର ପରୀକ୍ଷା ପାଇଁ ପ୍ରଶ୍ନ କେବଳ ଇଂରାଜୀରେ  ଆସିବ । ଆଚାର୍ଯ୍ୟ ପରୀକ୍ଷାର ସଂସ୍କୃତ ପେପରର  ପ୍ରଶ୍ନ ସଂସ୍କୃତରେ ଆସିବ । ଭାରତୀୟ ଜ୍ଞାନ ସିଷ୍ଟମ୍‌  ଓ ବୌଦ୍ଧ ଦର୍ଶନର ପ୍ରଶ୍ନ ହିନ୍ଦୀ, ଇଂରାଜୀ ଓ ସଂସ୍କୃତ  ଭାଷାରେ ଆସିବ । ହିନ୍ଦୁ ଷ୍ଟଡିଜ୍‌ ପେପରର ପ୍ରଶ୍ନ ହିନ୍ଦୀ ଓ  ଇଂରାଜୀରେ ଆସିବ । ଏସଂପର୍କିତ ସମସ୍ତ ସୂଚନା ଏନ୍‌ଟିଏ  ୱେବ୍‌ସାଇଟ୍‌ www.nta.ac.inରେ ରହିଛି ।