ପାରଳାଖେମୁଣ୍ଡି, ୧୮।୨: ଓଡ଼ିଆ ନାଟକ ଏବଂ ରଙ୍ଗମଞ୍ଚର ଆଦ୍ୟ ଭୂମି ବୋଲି ପାରଳାଖେମୁଣ୍ଡିକୁ କୁହାଯାଏ । ଏହି ମାଟିରେ ଏବେ ରଙ୍ଗମଞ୍ଚର ଅଭାବ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନରେ ବାଧକ ସାଜୁଛି । ସୋମବାର ଓଡ଼ିଆ ଜାତିପ୍ରାଣ ଆପନ୍ନା ପରିଚ୍ଛାଙ୍କ ୧୪୮ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳନ କରାଯାଇଥିବା ବେଳେ ଶତାୟୁ ପୁରୁଣା ରଙ୍ଗମଞ୍ଚ ଜରାଜୀର୍ଣ୍ଣ ହୋଇ ପଡ଼ି ରହିଛି । ତେଲୁଗୁ ଭାଷା କାରଣରୁ ଗଜପତି ଜିଲ୍ଲା ସଦର ମହକୁମାରେ ଓଡ଼ିଆ ସଂସ୍କୃତି ପ୍ରଭାବିତ ହେଉଥିବା ବେଳେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କରାଯାଇପାରୁ ନାହିଁ । ତଥ୍ୟ ଓ ଗବେଷଣା ଅନୁଯାୟୀ ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କ ରାଜବାଟୀ ମଧ୍ୟରେ ଏବଂ ପରେ ବର୍ତ୍ତମାନର ରାଜଗୁରୁ ସାହି ନିକଟ ରସିକରାଜ ମଠ ଭିତରେ ନିର୍ମିତ ପଦ୍ମନାଭ ରଙ୍ଗାଳୟ ହିଁ ପ୍ରଥମ ଓଡ଼ିଆ ରଙ୍ଗମଞ୍ଚ । ନାଟ୍ୟକାର ରଘୁନାଥ ପରିଚ୍ଛାଙ୍କ ରଚିତ ଗୋପୀନାଥ ବଲ୍ଲଭ ହିଁ ପ୍ରଥମ ଓଡ଼ିଆ ନାଟକ ବୋଲି ଜଣାଯାଏ ।

ପାରଳା ସହରରେ ୧୮୭୮ ମସିହାରେ ଜନ୍ମିତ ଆପନ୍ନା ପରିଚ୍ଛା ଏକାଧାରରେ ଜଣେ କବି, ଲେଖକ, ନାଟ୍ୟକାର ଓ ଶିକ୍ଷକ ଥିଲେ । ସଂସ୍କୃତିପ୍ରେମୀ ରଘୁନାଥ ପରିଚ୍ଛା, ଅନ୍ଧ ଆପନ୍ନା, ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ସଂସ୍ପର୍ଶରେ ଆସି ଗୋପୀନାଥ ବଲ୍ଲଭ ମାଧ୍ୟମରେ ଓଡ଼ିଆ ନାଟକର ମୂଳଦୁଆ ପକାଇଥିଲେ । ନାଟକ ପ୍ରଦର୍ଶନ ପାଇଁ ୧୯୦୪ ମସିହାରେ ରଙ୍ଗମଞ୍ଚ ମଧ୍ୟ ନିର୍ମାଣ କରିଥିଲେ । ଏକଦା ପାରଳା ମାଟିରେ ବିଜୟ ବସନ୍ତ, ଗୋଷ୍ଠ ମିଳନ, ନବଲୀଳା ବିଳାସ ଆଦି ୧୩ ଗୋଟି ପ୍ରମୁଖ ନାଟକ ପଦ୍ମନାଭ ରଙ୍ଗାଳୟରେ ମଞ୍ଚସ୍ଥ ହୋଇ ଲୋକପ୍ରିୟ ହୋଇଥିଲା । ଦୀର୍ଘ ବର୍ଷ ପରେ କର୍ପୁର ଉଡ଼ି କନା ପଡ଼ି ରହିଛି । ଏପରିକି ସ୍ୱାଧୀନତା ପରେ ନାଟକର ଏହି ଏନ୍ତୁଡ଼ିଶାଳରେ ଭଲ ରଙ୍ଗମଞ୍ଚଟିଏ କି ଭଲ ସଂସ୍କୃତି ଭବନଟିଏ ତିଆରି ହୋଇପାରିନି । ପ୍ରଶାସନିକ ଅଣଦେଖା ହେଉ କି ଦୃଢ଼ ଦାବି ଉପସ୍ଥାପନାରେ ଅବହେଳା ହେଉ ତାହା ସମ୍ଭବ ହୋଇପାରୁନି । ପୁରୁଣା ରଙ୍ଗମଞ୍ଚ କୌଣସିମତେ ତିଷ୍ଠି ରହିଛି । କିନ୍ତୁ ପର୍ଯ୍ୟାପ୍ତ ସ୍ଥାନ ଅଭାବରୁ ଅଧିକ ଦର୍ଶକଙ୍କ ସମାଗମ ହୋଇପାରୁନି । କେବଳ ଅଭ୍ୟାସ ପାଇଁ କୌଣସିମତେ ଉକ୍ତ ରଙ୍ଗମଞ୍ଚକୁ ବଞ୍ଚାଇ ରଙ୍ଗ ଦେଇ ରଖାଯାଇଛି । ୧୯୯୨ ମସିହାରେ ନୂତନ ଜିଲ୍ଲା ଗଠନ ପରେ ପାରଳା ମାଟିରେ ଓଡ଼ିଆ ଭାଷା ସଂସ୍କୃତିର ବିକାଶ ହୋଇପାରିବ ବୋଲି ଜିଲ୍ଲାବାସୀ ଆଶା ରଖିଥିଲେ । କିନ୍ତୁ, ଏଯାବତ୍ ଜିଲ୍ଲାରେ ସଂସ୍କୃତି ଭବନଟିଏ ନିର୍ମାଣ ହୋଇପାରିନି ।

୨୦୨୩ ମସିହାରେ ଏଥିପାଇଁ ଅନୁଦାନ ଆସିଥିଲା । କିନ୍ତୁ ଉପଯୁକ୍ତ ସ୍ଥାନ ଚୟନ ଅଭାବରୁ ଦୀର୍ଘ ବର୍ଷ ହେବ ତାହା ପଡ଼ି ରହିଥିଲା । ଏବେ ପ୍ରଶାସନ ସହର ଠାରୁ ତିନି କିମି ଦୂରରେ ଏକ ସ୍ଥାନ ନିରୂପଣ କରି କାମ ଆରମ୍ଭ କରିଛି । ତାହା କେତେ ଉପଯୋଗୀ ହୋଇପାରିବ ବୋଲି ପ୍ରଶ୍ନ କରୁଛନ୍ତି ବୁଦ୍ଧିଜୀବୀ ଓ ସଂସ୍କୃତିପ୍ରେମୀ । ସହର ମଧ୍ୟରେ ବିଭିନ୍ନ ସରକାରୀ କୋଠା ଓ ଅନୁଷ୍ଠାନ ଗୃହ ଅବହେଳିତ ହୋଇ ପଡ଼ି ରହିଛି । ସେଥିରୁ ଗୋଟିଏକୁ ସଂସ୍କୃତି ଭବନ ଭାବେ ବିକଶିତ କରାଯାଇଥିଲେ ତାହା ଉପଯୋଗୀ ସାବ୍ୟସ୍ତ ହୋଇପାରନ୍ତା । ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ ଏ ନେଇ କୌଣସି ମତାମତ ଦେଇପାରିବେ ନାହିଁ ବୋଲି କହିଛନ୍ତି । ସେପଟେ ମଞ୍ଚ କଳାକାର ଓ ସଂସ୍କୃତିପ୍ରେମୀ ତଥା ବୁଦ୍ଧିଜୀବୀମାନେ ଅନୁଦାନ ଅର୍ଥରେ ସହର ମଧ୍ୟରେ ଏକ ସୁନ୍ଦର ସଂସ୍କୃତି ଭବନ ନିର୍ମାଣ କରିବାକୁ ଦାବି କରିଛନ୍ତି ।