କଟକ, ୦୭/୧୧: ଐତିହାସିକ ବାଲିଯାତ୍ରା ପାଖେଇ ଆସୁଥିଲାବେଳେ ଦିନକୁ ଦିନ ପଡିଆ ଚଳଚଞ୍ଚଳ  ହୋଇପଡୁଛି । ଏହା ମଧ୍ୟରେ ଏଥର ମେଳାରେ ଆକର୍ଷଣ ସାଜିବ ଜାଏଣ୍ଟ୍‌ ଫ୍ରିସବି ଓ ସୁନାମି ଦୋଳି । ଏଥିପାଇଁ ରାଜ୍ୟ ବାହାରୁ ବିଭିନ୍ନ  ଦୋଳି ବ୍ୟବସାୟୀମାନେ ଆସି ପହଞ୍ଚିଥିଲା ବେଳେ ଦୋଳି ଖଞ୍ଜା କାମ ମଧ୍ୟ ଆରମ୍ଭ କରିଦେଇଛନ୍ତି।  

ଚଳିତ ବର୍ଷ ବାଲିଯାତ୍ରା ପାଇଁ ପ୍ଲଟ୍‌  ନିଲାମ ପ୍ରକ୍ରିୟା ଶେଷ ହୋଇଗଲାଣି । ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟ ଚାଲିବା  ସହିତ ଓରମାସ୍‌ ଆଦି ଷ୍ଟଲ୍‌ ବନ୍ଧା  ଜୋର୍‌ଦାର ଚାଲିଛି । ଏହା ମଧ୍ୟରେ ମଧ୍ୟପ୍ରଦେଶ ଓ କୋଲକାତା ଆଦି ସ୍ଥାନରୁ  ବିଭିନ୍ନ ଦୋଳି ବ୍ୟବସାୟୀମାନେ ଟ୍ରକ୍‌ରେ ଜିନିଷ ଆଣି ପଡିଆରେ ଅସ୍ଥାୟୀ ଶିବିର  କରି ରହିବା ଆରମ୍ଭ କରିଦେଇଛନ୍ତି । ଏଥିର ରାମ ଦୋଳି, ଟୟ ଟ୍ରେନ୍‌, ଡିସ୍କୋ ଓ ଡ୍ରାଗନ୍‌ ଆଦି ଦୋଳି ସମେତ  ଆକର୍ଷଣୀୟ ଭାବେ ସୁନାମି ଓ ଜିଆଣ୍ଟ୍‌  ଫ୍ରିସବି ଦୋଳିର ମଜା ନେବେ ଦର୍ଶକ । ଯାହା ସମସ୍ତଙ୍କୁ ନିଆରା ଅନୁଭବ ପ୍ରଦାନ  କରିବ ବୋଲି ବ୍ୟବସାୟୀ ଅବଦୁଲ ସଲାମ ଆଶା ପ୍ରକଟ କରିଛନ୍ତି ।