କଟକ,୩୦/୦୩: ଓଡ଼ିଶାର ପ୍ରସିଦ୍ଧ ସାଂସ୍କୃତିକ ଓ  ବାଣିଜ୍ୟିକ ମେଳା ‘ବାଲିଯାତ୍ରା’କୁ ୟୁନେସ୍କୋ ବିଶ୍ୱ ଐତିହ୍ୟ  ମାନ୍ୟତା ପ୍ରଦାନ ପ୍ରକ୍ରିୟା ପାଦେ ଆଗେଇଛି । ଦୀର୍ଘ ଦିନ  ଧରି ୟୁନେସ୍କୋ ମାନ୍ୟତା ପାଇଁ ହୋଇ ଆସୁଥିବା  ଦାବିକୁ ସାକାର କରିବା ଲାଗି ରାଜ୍ୟ ସରକାର ଗୋଟିଏ ପାଦ ଆଗକୁ ବଢାଇଛନ୍ତି । କଟକ  ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା  ଏ ସଂପର୍କିତ ସମସ୍ତ ଦଲିଲ୍‌, ଦସ୍ତାବିଜ୍‌କୁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ କେନ୍ଦ୍ର ସଂସ୍କୃତି  ମନ୍ତ୍ରାଳୟକୁ ପଠାଯାଇଛି । କେନ୍ଦ୍ର ସଂସ୍କୃତି  ମନ୍ତ୍ରାଳୟ ଏହି ଦସ୍ତାବିଜ୍‌ ୟୁନେସ୍କୋକୁ  ପଠାଇବ । ପ୍ରକ୍ରିୟା ଆଗେଇବା ପରେ ବାଲିଯାତ୍ରା ବିଶ୍ୱ ଐତିହ୍ୟ  ମାନଚିତ୍ରରେ ସ୍ଥାନ ପାଇବାର ଆଶା ପୁଣି ଉଜ୍ଜୀବିତ ହୋଇଛି ।  

ଏସିଆ ମହାଦେଶର ସର୍ବବୃହତ ମୁକ୍ତାକାଶ ବାଣିଜ୍ୟିକ ମେଳା  ଭାବେ ବାଲିଯାତ୍ରାର ସ୍ଥାନ ସ୍ୱତନ୍ତ୍ର । ଏହି ମେଳାକୁ ୟୁନେସ୍କୋ  ମାନ୍ୟତା ଦେବା ଲାଗି ଗତ ଦୁଇ ବର୍ଷ ତଳେ କେନ୍ଦ୍ର ସଙ୍ଗୀତ  ନାଟକ ଏକାଡେମୀ ଏବଂ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ, ରାଜ୍ୟ  ସଂସ୍କୃତି ବିଭାଗକୁ ଚିଠି ଲେଖିଥିଲା । ଏଥିପାଇଁ ଆବଶ୍ୟକ  ଦସ୍ତାବିଜ୍‌ ଦାଖଲ ପାଇଁ ମଧ୍ୟ କୁହାଯାଇଥିଲା । ଜିଲ୍ଲା ପ୍ରଶାସନ  ପକ୍ଷରୁ ଏକ କମିଟି ଗଠନ କରାଯାଇ ବାଲିଯାତ୍ରା ସମ୍ପର୍କିତ  ବିଭିନ୍ନ ତଥ୍ୟ ସଂଗ୍ରହ କରାଯାଇଥିଲା । ଏଥିପାଇଁ ପ୍ରଶାସନକୁ  ବହୁତ କସରତ କରିବାକୁ ପଡ଼ିଥିଲା । ଏବେ ୟୁନେସ୍କୋ ମାନ୍ୟତା ପାଇଁ ଦିଆଯାଇଥିବା ଫର୍ମ ପୂରଣ କରାଯିବା ସହ  ଆବଶ୍ୟକ ଡକ୍ୟୁମେଣ୍ଟ୍‌, ଭିଡିଓ, ଫଟୋଚିତ୍ର ଆଦି ପଠାଯାଇଛି ।  

ୟୁନେସ୍କୋ ମାନ୍ୟତା ପାଇବା ପାଇଁ ବିଭିନ୍ନ ଅନୁଷ୍ଠାନମାନଙ୍କର  ‘କନ୍‌ସେଣ୍ଟ୍‌’ ବା ସମ୍ମତିପତ୍ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ତାହାର  ଆବଶ୍ୟକତା ଅଧିକ । ଏଥିରେ ସେସବୁକୁ ସଂଲଗ୍ନ କରାଯାଇଛି ।  ଜିଲ୍ଲା ତଥା ରାଜ୍ୟର ୭୦ଟି ବିଭିନ୍ନ ବୃହତ ସାଂସ୍କୃତିକ,  ବ୍ୟବସାୟିକ, ସାମାଜିକ ଓ ଅର୍ଥନୈତିକ ଅନୁଷ୍ଠାନ ଏହି  ସମ୍ମତିପତ୍ର ପ୍ରଦାନ କରିଛନ୍ତି । ଏଥିସହ କଟକ ସାଂସଦ  ଭର୍ତ୍ତୃହରି ମହତାବ, ବାରବାଟୀ-କଟକ ବିଧାୟିକା  ସୋଫିଆ ଫିର୍ଦ୍ଦୋସ, ଚୌଦ୍ୱାର-କଟକ ବିଧାୟକ ସୌଭିକ୍‌  ବିଶ୍ୱାଳ ଏବଂ କଟକ ସଦର ବିଧାୟକ ପ୍ରକାଶ ସେଠୀ,  ମେୟର ସୁବାସ ସିଂହ ଏଥିପାଇଁ ସମ୍ମତିପତ୍ର ପ୍ରଦାନ କରିଛନ୍ତି ।  

ଏସବୁକୁ ବାଦ୍‌ ଦେଲେ ବାଲିଯାତ୍ରାର ଲମ୍ବା ଇତିହାସ,  ଐତିହ୍ୟ, କେବେ ବାଲିଯାତ୍ରା ଆରମ୍ଭ ହୋଇଥିଲା, ବାଲିଯାତ୍ରା  ପଛର କାରଣ, ବାଲିଯାତ୍ରା ଦ୍ୱାରା ଦେଶଦେଶ ଭିତରେ ଥିବା  ପୁରୁଣା ସମ୍ପର୍କ ପୁଣି କିପରି ଉଜ୍ଜୀବିତ ହୋଇପାରିଛି, ବାଲିଯାତ୍ରା  କିପରି ଓଡ଼ିଶାର ସାଂସ୍କୃତିକ ତଥା ବାଣିଜ୍ୟିକ ପ୍ରାଣକେନ୍ଦ୍ର ପାଲଟିଛି।  ଏସବୁ ସଂକ୍ରାନ୍ତରେ ମଧ୍ୟ ଦସ୍ତାବିଜରେ ବିସ୍ତୃତ ସୂଚନା ପ୍ରଦାନ  କରାଯାଇଛି ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ  କହିଛନ୍ତି । କଟକ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏ ସମସ୍ତ  କାର୍ଯ୍ୟ ହୋଇଥିଲା । ରାଜ୍ୟ ସରକାର ଏଥିପାଇଁ ସବୁପ୍ରକାର  ସହାୟତା ଯୋଗାଇ ଦେଇଥିଲେ । ସମସ୍ତ ଡକ୍ୟୁମେଣ୍ଟ୍‌ ସହ  ଭିଡିଓ ଏବଂ ଫଟୋଚିତ୍ର କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ  ହୋଇଛି ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ଏଥିରେ ଜାତିସଂଘ  ଭାରତର ଜାତୀୟ କାର୍ଯ୍ୟକାରୀ ସଦସ୍ୟ ଡ. ଦ୍ୱୀପାୟନ ପଟ୍ଟନାୟକ  ବି ସହଯୋଗ କରିଛନ୍ତି । 

ଉଲ୍ଲେଖଯୋଗ୍ୟ, ୨୦୨୧ରେ ପଶ୍ଚିମବଙ୍ଗର  ଦୁର୍ଗାପୂଜା, ୨୦୨୩ରେ ଗୁଜରାଟର ଗର୍‌ବା ନୃତ୍ୟକୁ ବିଶ୍ୱ  ଐତିହ୍ୟ ମାନ୍ୟତା ପ୍ରଦାନ କରାଯାଇଛି । ୨୦୨୪ରେ ମଙ୍ଗୋଲିଆ  ଦେଶର ପାର୍ସି ନବବର୍ଷ ଉତ୍ସବକୁ ବି ମାନ୍ୟତା ମିଳିପାରିଛି ।