କଟକ, ୧୧/୦୫: କଟକ କମିସନ୍ରେଟ୍ ପୁଲିସକୁ ଆଇନ ଶୃଙ୍ଖଳା ନିୟନ୍ତ୍ରଣ, ପାଟ୍ରୋଲିଂ, ଟ୍ରାଫିକ୍ ପରିଚାଳନା ଓ ଅପରାଧ ଧରପଗଡ଼ ଆଦି କାର୍ଯ୍ୟରେ ସହାୟତା ଲାଗି ୧୦୩୯ ଜଣ ହୋମ୍ଗାର୍ଡ ନିୟୋଜିତ ଅଛନ୍ତି । ନିୟୋଜିତ ହୋମ୍ଗାର୍ଡମାନଙ୍କୁ ସହରର ଥାନାର କାର୍ଯ୍ୟ ପରିସୀମା ଅନୁସାରେ ନିୟୋଜିତ କରାଯାଇଛି । କମିସନ୍ରେଟ୍ ରେକର୍ଡ ପତ୍ରରେ ଥାନା ସ୍ତରରେ ଥିବା ହୋମ୍ଗାର୍ଡଙ୍କ ସଂଖ୍ୟା ବାସ୍ତବ ତଥ୍ୟଠାରୁ ଅଲଗା ରହିଛି । ହୋମ୍ଗାର୍ଡଙ୍କ ମୂଳ ଡ୍ୟୁଟି ଗୋଟିଏ ସ୍ଥାନରେ ଗଡ଼ୁଥିବା ବେଳେ ବାସ୍ତବରେ ସେ ଅନ୍ୟତ୍ର କାମ କରୁଛନ୍ତି । ପୁଲିସ ଅଧିକାରୀମାନଙ୍କ ଘରେ ଅନେକ ହୋମ୍ଗାର୍ଡ କାମ କରୁଥିବା କମିସନ୍ରେଟ୍ ପୁଲିସରେ ଚର୍ଚ୍ଚା ହେଉଛି । ୩ ଶହରୁ ଅଧିକ ହୋମଗାର୍ଡ ଥାନାରେ ହାଜରା ଦେବା ବଦଳରେ ଅଫିସର୍ଙ୍କ ଘରେ ଏବେ ଉପସ୍ଥିତି ଜଣାଉଛନ୍ତି । କମିସନ୍ରେଟ୍ ପୁଲିସରେ ଏପରି ବିଚିତ୍ର ସ୍ଥିତି ଚର୍ଚ୍ଚାର ବିଷୟ ହୋଇଛି ।
ଆଇପିଏସ୍ ଅଫିସର୍ଙ୍କ ଘରେ ମାଳମାଳ ସିପାହୀ, କନଷ୍ଟେବଲ୍ ନିୟୋଜିତ ହେବା ପରି କଟକ କମିସନ୍ରେଟ୍ର ହୋମ୍ଗାର୍ଡମାନେ ଉପରିସ୍ଥ ଅଧିକାରୀମାନଙ୍କ ଘରେ ବର୍ଷବର୍ଷ ହେଲା କାମ କରିଆସୁଥିବା ଖବର ମିଳିଛି । ଥାନା ଅଧିକାରୀଙ୍କଠାରୁ ଆରମ୍ଭ କରି ଅନ୍ୟ ଉପରିସ୍ଥ ଅଧିକାରୀଙ୍କ ପାଖରେ ଏକାଧିକ ହୋମ୍ଗାର୍ଡ ନିୟୋଜିତ ଅଛନ୍ତି। କଟକ କମିସନ୍ରେଟ୍ ୧ ହଜାର ୩୯ ହୋମ୍ଗାର୍ଡଙ୍କ ମଧ୍ୟରୁ ପ୍ରାୟ ୩ ଶହରୁ ଅଧିକ ହୋମ୍ଗାର୍ଡ ବର୍ଷ ବର୍ଷ ହେଲା ଥାନା ମାଟି ମାଡ଼ି ନ ଥିବା ଖବର ମିଳିଛି । ଥାନାକୁ ନ ଆସି ଉପରିସ୍ଥ ଅଫିସର୍ମାନଙ୍କ ଘର କାମଧନ୍ଦା, ପରିବା, ସଉଦା କିଣିବାଠାରୁ ଆରମ୍ଭ କରି ଘରୋଇ କାମରେ ନିୟୋଜିତ ଥିବା ଜଣାଯାଇଛି । ହୋମ୍ଗାର୍ଡମାନଙ୍କୁ ବ୍ୟକ୍ତିଗତ କାମରେ ଖଟାଇବାକୁ ନେଇ ସମ୍ପୃକ୍ତ କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କରୁଥିଲେ ମଧ୍ୟ ଚାକିରି ନିୟମିତ ନ ଥିବାରୁ ସେମାନେ ପାଟି ଚୁପ୍ କରିବାକୁ ବାଧ୍ୟ ହେଉଛନ୍ତି । ଦିନକୁ ୮ ଘଣ୍ଟା ଡ୍ୟୁଟି କଲେ ୬୨୮ ଟଙ୍କା ଭତ୍ତା ମିଳିବ । ଅଫିସର୍ ବିଗିଡ଼ିଗଲେ ଦୈନିକ ଭତ୍ତା ଗଣ୍ଡାକ ହରାଇବାର ଆଶଙ୍କା ରହିଛି । ତେଣୁ ଇଚ୍ଛା ନ ଥିଲେ ମଧ୍ୟ ଅନେକ ହୋମ୍ଗାର୍ଡ ଅଫିସର୍ମାନଙ୍କ ଘର କାମଧନ୍ଦା କରିବାକୁ ବାଧ୍ୟ ହେଉଛନ୍ତି ।
ଅଧିକ ପଢ଼ନ୍ତୁ :- Balianta Mob Lynching: ମୋ’ ଭଣଜାର ମୃତ୍ୟୁ ପାଇଁ ସେହି ୨ ଝିଅ ଓ ପୁଲିସ କର୍ମଚାରୀ ଦାୟୀ, ସୋସିଆଲ୍ ମିଡିଆରେ ବର୍ଷିଲେ ସୌମ୍ୟଙ୍କ ମାମୁ
ମିଳିଥିବା ସୂଚନାନୁସାରେ, ବର୍ଷକ ତଳେ କଟକ କମିସନ୍ରେଟ୍ରେ ମୋଟ ୯୩୯ ହୋମ୍ଗାର୍ଡ ପଦବି ଥିଲା । ପୁଲିସ ଦାୟିତ୍ୱ ଓ ପାଟ୍ରୋଲିଂ ଆଦି ସ୍ଥିତିକୁ ଦୃଷ୍ଟିରେ ଗତବର୍ଷ ଆଉ ୧୦୦ ପଦବି ବଢ଼ିଥିଲା । ବୃଦ୍ଧି ପାଇଥିବା ୧୦୦ ହୋମ୍ଗାର୍ଡଙ୍କୁ ନିଯୁକ୍ତି କରାଯିବା ପରେ ଏହାର ସଂଖ୍ୟା ୧ ହଜାର ଟପିଛି । ଏଥିରେ ପାଖାପାଖି ୯୦ ମହିଳା ହୋମ୍ଗାର୍ଡ ମଧ୍ୟ ନିୟୋଜିତ ଅଛନ୍ତି । କମିସନ୍ରେଟ୍ ଥାନା ସ୍ତରରେ ୩୭୮ ଜଣ ହୋମ୍ଗାର୍ଡ ନିୟୋଜିତ ଥିବା ୱେବ୍ଚାଇଟ୍ ତଥ୍ୟରେ ଉଲ୍ଲେଖ ରହିଛି । କେତେକ ଥାନାରେ ହୋମ୍ଗାର୍ଡ ନିୟୋଜିତ ନାହାନ୍ତି ବୋଲି ୱେବ୍ସାଇଟ୍ରେ ତଥ୍ୟ ରହିଥିଲେ ହେଁ ବାସ୍ତବରେ ସମ୍ପୃକ୍ତ ଥାନାରେ ୨୦ରୁ ଅଧିକ ହୋମ୍ଗାର୍ଡ ନିୟୋଜିତ ଅଛନ୍ତି । କମିସନରେଟ୍ ତଥ୍ୟର ତାଳମେଳ ନଥିବା ଏବଂ ବାସ୍ତବ ତଥ୍ୟ ଅନୁସାରେ ଥାନା ସ୍ତରରେ ହୋମ୍ଗାର୍ଡ ନଥିବା ଜଣାପଡ଼ିଛି । ହୋମ୍ଗାର୍ଡ ଡ୍ୟୁଟି ବଣ୍ଟନରେ ଅନିୟମିତତା ଥିବାରୁ ତଥ୍ୟରେ ତାଳମେଳ ରହୁନି । ଏ ସମ୍ପର୍କରେ କଟକ କମିସନ୍ରେଟ୍ର ଡେପୁଟି କମାଣ୍ଡାଣ୍ଟ୍ ବିଷ୍ଣୁପ୍ରସାଦ ମିଶ୍ରଙ୍କ ପ୍ରତିକ୍ରିୟା ନେବା ପାଇଁ ଏକାଧିକ ଥର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କଲ୍ ରିସିଭ୍ ନ କରିବାରୁ ତାହା ସମ୍ଭବ ହୋଇପାରି ନାହିଁ ।