କଟକ ୦୪/୧୦: କଟକ ଦୁର୍ଗା ଭସାଣିରେ ଗୋଷ୍ଠୀ ସଂଘର୍ଷ। ଝାଞ୍ଜିରମଙ୍ଗଳା ମେଢ଼ ଉପରକୁ ଢ଼େଲା ଓ ବୋତଲ ମାଡ଼। ଦରଘା ବଜାର ଥାନା ଉପରେ ଢ଼େଲା ଫିଙ୍ଗିଲେ । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରୁ ପୁଲିସ ନାକେଦମ୍। ଭସାଣି ବେଳେ ସ୍ଥିତି ଅଣାୟତ୍ତ ହେବାରୁ ଲାଠି ଚାର୍ଜ କଲା ପୁଲିସ। ଗଣ୍ଡଗୋଳ ବେଳେ ପୁଲିସ ଓ ଗଣ୍ଡଗୋଳକାରୀ ଆହତ। କଟକ ଡିସିପିଙ୍କ ସମେତ ପୁଲିସ କର୍ମଚାରୀ ଢ଼େଲା ମାଡ଼ରେ ଆହତ ହୋଇଛନ୍ତି। ଚାପା ଉତ୍ତୋଜନା ଦୃଷ୍ଟିରୁ ଘଟଣାସ୍ଥଳରେ ପୁଲିସ ମୁତୟନ। ମେଢ଼ ଛାଡ଼ି ପଲେଇଥିଲେ କିଛି ପୂଜା କମିଟି ।
ସୂଚନା ଅନୁଯାୟୀ, ମା’ଙ୍କ ବିଦାୟ ବେଳାକୁ ସ୍ମରଣୀୟ କରିବାକୁ ଯଥାସମ୍ଭବ ଆଡ଼ମ୍ବରପୂର୍ଣ୍ଣ ବ୍ୟବସ୍ଥା କରିଥିଲେ ଆୟୋଜକ ପୂଜା କମିଟିମାନେ । ନାଚଗୀତରେ ମସଗୁଲ୍ ହୋଇ, ଭାଇଚାରାର ବାର୍ତ୍ତା ଦେଇ ମା’ ଜଗତଜନନୀଙ୍କ ବିସର୍ଜନ କରାଯାଇଛି । ରାତି ୧ଟା ୨୦ ସୁଦ୍ଧା ଦେବୀଗଡ଼ାରେ ୭୦ଟି ମେଢ଼ ବିସର୍ଜିତ ହୋଇଥିବା ବେଳେ ଆଉ କେତୋଟି ଧାଡ଼ିରେ ଥିବା ଦେଖିବାକୁ ମିଳିଛି । କମିସନରେଟ୍ ପୁଲିସ ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଭସାଣି ଯାତ୍ରାକୁ ଶୃଙ୍ଖଳିତ କରିବାକୁ ପ୍ରଚେଷ୍ଟା କରୁଥିଲେ। ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ଦରଘା ବଜାର ହାତି ପୋଖରୀ ପାଖରେ ଝାଞ୍ଜିରମଙ୍ଗଳା ମେଢ଼ ଯାଉଥିବା ବେଳେ ଛାତ ଉପରୁ ଅଚାନକ ଢ଼େଲା ଓ କାଚ ମାଡ଼ ହୋଇଥିଲା। ଏହି ପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ପୁଲିସ ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଥିବା ବେଳେ ଗଣ୍ଡଗୋଳକାରୀ ଓ ପୁଲିସ ମୁହାଁମୁହିଁ ପରିସ୍ଥିିତି ହୋଇଥିଲା। ପରେ ପୁଲିସ ଲାଠି ଚାର୍ଜ କରିଥିଲା । ଯେଉଁଥିରେ ଗଣ୍ଡଗୋଳକାରୀ ଆହତ ହୋଇଥିବା ବେଳେ ଏକାଧିକ ପୁଲିସ କର୍ମଚାରୀଙ୍କ ସହ କଟକ ଡିସିପି ଆହତ ହୋଇଛନ୍ତି। ଗଣ୍ଡଗୋଳ ପରେ କିଛି ପୂଜା କମିଟି ରାସ୍ତାରେ ମେଢ଼ ଛାଡ଼ି ଚାଲିଯାଇଥିଲେ। ଆଜି ସକାଳୁ ପୁଲିସ ସହାୟତା ମେଢ଼ ଗୁଡ଼ିକୁ ଦେବୀଗଡ଼ାରେ ବିର୍ସଜନ କରାଯାଉଛି।