କଟକ,୨୭/୦୩ : କଟକ ସହରରେ ବିବାହ, ବ୍ରତ କିମ୍ବା ଭୋଜିଭାତ କାର୍ଯ୍ୟକ୍ରମ କରିବାକୁ ହେଲେ ଚିନ୍ତା ବଢ଼ାଉଛି କଲ୍ୟାଣ ମଣ୍ଡପ। କାରଣ ଏଠାରେ ସରକାରୀ କଲ୍ୟାଣ ମଣ୍ଡପରେ ତାଲା ଝୁଲୁଛି । ଏଣେ ଏହାର ଫାଇଦା ଉଠାଉନ୍ତି ଘରୋଇ ମଣ୍ଡପ । ଅସ୍ଥାୟୀ ଲାଇସେନ୍ସରେ ମନଇଚ୍ଛା ଦର ନେଉଛନ୍ତି । ଏହାସତ୍ତେ୍ୱ ପ୍ରଶାସନର ଏ ଦିଗରେ କୌଣସି ପଦକ୍ଷେପ ନେଉ ନ ଥିବାରୁ ସାଧାରଣଲୋକ ଚିନ୍ତାରେ ପଡ଼ିଛନ୍ତି । ଲୋକେ ଏବେ ବିଭିନ୍ନ କାର୍ଯ୍ୟକ୍ରମ କଲ୍ୟାଣ ମଣ୍ଡପରେ ଆୟୋଜନ କରିବାକୁ ପସନ୍ଦ କରୁଛନ୍ତି । ତେବେ ଏହାକୁ ଦୃଷ୍ଟିରେ ରଖି କଟକ ସହରରେ ସିଏମ୍‌ସିର ନିଜସ୍ୱ ୨ଟି କଲ୍ୟାଣ ମଣ୍ଡପ ରହିଥିଲା । ଗୋଟିଏ ଚୌଧୁରୀବଜାର ଓ ଅନ୍ୟଟି ଗୋପାଳପୁରରେ ରହିଥିଲା । ଏହାକୁ ବର୍ଷକ ବାରମାସ ବୁକିଂ କରିବା ସହିତ କମ୍‌ ଟଙ୍କାରେ ସାଧାରଣ ଲୋକମାନେ ବ୍ୟବହାର କରିପାରୁଥିଲେ । ତେବେ ଦୀର୍ଘ ବର୍ଷ ହେବ ଏହାକୁ ମରାମତି କରାଯିବା ଆଳରେ ତାଲା ପକାଇ ରଖାଯାଇଛି । 

ପ୍ରଥମେ ଚୌଧୁରୀବଜାର ସ୍ଥିତ ଦୁଇ ମହଲା ବିଶିଷ୍ଟ କଲ୍ୟାଣ ମଣ୍ଡପକୁ କରୋନା ବେଳେ ଅର୍ଥାତ୍‌ ୨୦୨୦-୨୧ ମସିହାରେ ବନ୍ଦ କରାଯାଇଥିଲା । ସେଥିରେ ହାଇକୋର୍ଟରେ ମାମଲା ଚାଲିବାରୁ ତାହାକୁ ମରାମତି କରାଯାଇ ଖୋଲିବାକୁ ତତ୍କାଳୀନ କମିସନର ଅନନ୍ୟା ଦାସ ନିର୍ଦ୍ଦେଶ ଦେଇଥିଲେ । ସବୁ କାମ ହେବା ଭିତରେ ନୂଆ କାଉନ୍‌ସିଲ୍‌ ଆସିବାରୁ ହଠାତ୍‌ କେବଳ ଉପର ମହଲା ପାଇଁ ବୁକିଂ ଆରମ୍ଭ ହେଲା । କିନ୍ତୁ ଦିନ କେଇଟା ପରେ ଏହାକୁ ପୁଣି ନୂଆ ରୂପ ଦେବା ପାଇଁ ଯୋଜନା ହେଲା । ଏହାକୁ ଦୁଇ ଭାଗରେ ପୁନରୁଦ୍ଧାର ପାଇଁ ନ୍ୟାସ୍‌ନାଲ୍‌ ପ୍ରୋଜେକ୍ଟ କନ୍‌ଷ୍ଟ୍ରକସନ୍‌ କର୍ପୋରେସନ ଲିମିଟେଡ୍‌(ଏନ୍‌ପିସିସି)କୁ ଟେକି ଦିଆଗଲା । ଏଥିରେ କେବଳ ବିଲ୍ଡିଂ ପାଇଁ ୧.୭୩ କୋଟି ଓ ପାର୍କିଂ ଆଦି ପାଇଁ ୨.୭୦ କୋଟି ଖର୍ଚ୍ଚ ହେବାକୁ ସ୍ଥିର ହେଲା । ୨୦୨୩ ମସିହାରେ ଏପ୍ରିଲ୍‌ ମାସରେ ସିଏମ୍‌ସି ପୁଣି ବୁକିଂ ବନ୍ଦ କରି ଶୁଭ ଦେଇଥିଲା । ବର୍ଷକ ମଧ୍ୟରେ କାମ ସାରିବାକୁ କୁହାଯାଇଥିଲେ ତାହା ହେଲାନାହିଁ । 

ପରେ ଏହା ୨୦୨୪ ମସିହା ଜୁଲାଇ ୩୦ ତାରିଖକୁ ଧାର୍ଯ୍ୟ ହେଲା । କିନ୍ତୁ ତାହା ହୋଇପାରିଲାନାହିଁ । ଏପଟେ ପୁନରୁଦ୍ଧାର କାର୍ଯ୍ୟ ପାଖାପାଖି ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲାବେଳେ ଉଦ୍‌ଘାଟନକୁ ନେଇ ଅଧିକାରୀ ଓ କାଉନ୍‌ସିଲ୍‌ ମଧ୍ୟରେ ସମନ୍ୱୟ ଅଭାବ ପରିଲକ୍ଷିତ ହେଉଛି । ଏଣେ ଗୋପାଳପୁର ସ୍ଥିତ କଲ୍ୟାଣ ମଣ୍ଡପ ରକ୍ଷଣାବେକ୍ଷଣ ଅଭାବରୁ ବନ୍ଦ ପଡ଼ିଛି । ସେହିଭଳି ବେଲିଭ୍ୟୁ ଛକ ନିକଟରେ ଥିବା ପୁଲିସ କଲ୍ୟାଣ ମଣ୍ଡପ ବିବାଦ କାରଣରୁ ବନ୍ଦ ରହିଛି । ଏଭଳି ସ୍ଥିତିରେ ସହରରେ ପ୍ରତ୍ୟେହ ନୂଆ ନୂଆ ବେସରକାରୀ କଲ୍ୟାଣ ମଣ୍ଡପ ଗଢ଼ି ଉଠୁଛି । ସେମାନେ କାର୍ଯ୍ୟକ୍ରମ ପାଇଁ ଲୋକମାନଙ୍କ ଠାରୁ ମନଇଚ୍ଛା ଭଡ଼ା ନେଉଛନ୍ତି । କାର୍ଯ୍ୟକ୍ରମ ପାଇଁ ସର୍ବନିମ୍ନ ୪୦ ହଜାର ଟଙ୍କା ହାଙ୍କୁଛନ୍ତି । ଏହା ଜଣେ ସାଧାରଣ ବ୍ୟକ୍ତି ପାଇଁ ବୋଝ ପାଲିଟିଛ । ଏନେଇ ସିଏମ୍‌ସି କମିସନର ଅନାମ ଚରଣ ପାତ୍ର କହିଛନ୍ତି ଯେ, କାମ ଶେଷ ହୋଇଛି । କଲ୍ୟାଣ ମଣ୍ଡପ ଖୁବ୍‌ ଶୀଘ୍ର କାର୍ଯ୍ୟକ୍ଷମ କରାଯିବ ।

ଏହି ଖବରଟିକୁ ପଢନ୍ତୁ-ରାସ୍ତା କାର୍ଯ୍ୟରେ ମହାଦୁର୍ନୀତି ! ଯନ୍ତ୍ରୀଙ୍କ ସହ ମିଶି ଲୁଟୁଛନ୍ତି ଠିକା ସଂସ୍ଥା