କଟକ,୨୧/୦୨: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଖେଳକୁ ନେଇ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । କ୍ୟାମ୍ପସ୍‌ରେ ଉଭୟପକ୍ଷ ମୁହାଁମୁହିଁ ହୋଇଥିବା ବେଳେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଗଣ୍ଡଗୋଳରେ କିଛି ଛାତ୍ର ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ସ୍ଥିତିକୁ ନିୟନ୍ତ୍ରଣ କରିବାକୁ କ୍ୟାମ୍ପସ୍‌ରେ ପୁଲିସ୍ ମୁତୟନ ରହିଛନ୍ତି।

ସୂଚନା ଅନୁଯାୟୀ, ଦୁଇଦିନ ତଳେ ରେଭେନ୍ସା କ୍ରିକେଟ୍ ପଡ଼ିଆରେ ଇଷ୍ଟ ହଷ୍ଟେଲ୍ ଏବଂ ନ୍ୟୁ ହଷ୍ଟେଲ ମଧ୍ୟରେ ଏକ ଅନ୍ତବିଶ୍ୱବିଦ୍ୟାଳୟ ଭଲିବଲ୍ ମ୍ୟାଚ୍ ଆୟୋଜନ ହୋଇଥିଲା। ଏହି ମ୍ୟାଚ୍‌ରେ କୌଣସି ଏକ ଘଟଣାକୁ ନେଇ ଉଭୟ ହଷ୍ଟେଲ୍‌ର ଟିମ୍ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଶୁକ୍ରବାର ହୋଇଥିବା ଆଉ ଏକ ମ୍ୟାଚରେ ଉଭୟ ଟିମ୍ ମୁହାଁମୁହିଁ ହୋଇଥିବା ବେଳେ ପୂର୍ବ ଘଟଣାକୁ କେନ୍ଦ୍ର କରି ଉଭୟ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ପୁଣି ଯୁକ୍ତିତର୍କ ସହ ଗଣ୍ଡଗୋଳ ହୋଇଥିଲା । ଏହି ମ୍ୟାଚରେ ଇଷ୍ଟ ହଷ୍ଟେଲ୍ ଛାତ୍ର ବିଜୟୀ ହୋଇଥିବା ବେଳେ ଅନ୍ୟ ଏକ ଗୋଷ୍ଠୀର କିଛି ଛାତ୍ର ହଷ୍ଟେଲ ସମ୍ମୁଖରେ ଏକାଠି ହୋଇ ପାଟିତୁଣ୍ଡ କରିଥିଲେ । ଯାହାକୁ ନେଇ ଗଣ୍ଡଗୋଳ ଆହୁରି ତୀବ୍ର ହୋଇଥିବା ବେଳେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ କ୍ୟାମ୍ପସ୍‌ରେ ପୁଲିସ ପହଞ୍ଚିଥିଲା । ସନ୍ଧ୍ୟା ସମୟରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମାଲଗୋଦାମ ଥାନା ପକ୍ଷରୁ ଥାନା ଅଧିକାରୀ ଏବଂ ଏସିପି ହଷ୍ଟେଲ୍‌ରେ ପହଞ୍ଚି ଛାତ୍ରଙ୍କ ସହିତ ଆଲୋଚନା କରିଛନ୍ତି । ତେବେ ଏହି ଘଟଣା ସମ୍ପର୍କରେ ହଷ୍ଟେଲ ୱାର୍ଡେନ୍ କିମ୍ବା ରେଭେନ୍ସା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।