ଭୁବନେଶ୍ୱର, ୨୭/୦୫ : ସାରା ଦେଶରେ ଏବେ ‘କକ୍ରୋଚ ଜନତା ପାର୍ଟି’ (ସିଜିପି) ଟ୍ରେଣ୍ଡରେ ଅଛି । ସୋସିଆଲ ମିଡିଆରେ ଏହି ଅଜବ ଦଳର ପୋଷ୍ଟଗୁଡି଼କ ବେଶ୍ ରୋଚକ ହେଉଛି । ଯୁବପିଢ଼ି ବି ବାଇଆ । ଏସବୁ ପୋଷ୍ଟକୁ ସେୟାର, କମେଣ୍ଟ କରିବାରେ ସେମାନଙ୍କ ସମୟ ବିତି ଯାଉଛି । ଯାହାର ଫାଇଦା ଉଠାଇବା ଆରମ୍ଭ କରିଛନ୍ତି ସାଇବର ଅପରାଧୀ । ସିଜିପିର ବରିଷ୍ଠ ନେତା ସାଜି ଅପରାଧୀ ଲୋକଙ୍କୁ ନାନା ମେସେଜ ପଠାଉଛନ୍ତି । ଯାହାକୁ କ୍ଲିକ୍ କରିବା ମାତ୍ରେ ଲୋକଙ୍କ ମୋବାଇଲ୍କୁ କିଛି ସନ୍ଦିଗ୍ଧ ଏପିକେ ଫାଇଲ୍ ଆପେ ପଳାଇ ଆସୁଛି । ଆଉ ଫୋନଟି ହ୍ୟାକ୍ ହୋଇଯାଉଛି । ଏହାପରେ ଅପରାଧୀ ଗୋପନୀୟ ତଥ୍ୟ ନେଇ ବ୍ଲାକମେଲ୍ କରୁଛନ୍ତି । ଏମିତିକି ବ୍ୟାଙ୍କ ଆକାଉଣ୍ଟ ଓ ଅନଲାଇନ୍ ଟଙ୍କା ନେଣଦେଣ ଆପ୍କୁ ବ୍ୟବହାର କରି ଟଙ୍କା ପୋଛି ନେଉଛନ୍ତି ।
ଏହି ଖବରଟିକୁ ପଢନ୍ତୁ- କକ୍ରୋଚ୍କୁ ହାଲୁକାରେ ନିଅନାହିଁ, ତେଲୁଗୁ ଦେଶମ ପାର୍ଟିର ପରାମର୍ଶ
କିଛି ଲୋକ ଏହି ସାଇବର ଠକେଇ ଓ ବ୍ଲାକ୍ମେଲ୍ର ଶିକାର ହେବା ପରେ ଭୁବନେଶ୍ୱରସ୍ଥିତ ସାଇବର ଓ ଅର୍ଥନୈତିକ ଅପରାଧ ଥାନାର ଦ୍ୱାରସ୍ଥ ହୋଇଛନ୍ତି । କିନ୍ତୁ କେହି ଆର୍ଥିକ ଠକେଇର ଶିକାର ହୋଇନାହାନ୍ତି । ସେମାନଙ୍କ ଫୋନ୍ରୁ ଫଟୋ, ଭିଡିଓ, କଣ୍ଟାକ୍ଟ ନମ୍ବର ସହ ଅନ୍ୟାନ୍ୟ ତଥ୍ୟ ଚୋରି ହୋଇ଼ଛି । ଏପିକେ ଫାଇଲ୍ ଓ ଅନ୍ୟ ସନ୍ଦିଗ୍ଧ ମେସେଜ୍ଠୁ ଦୂରେଇ ରହିବାକୁ ପୁଲିସ ପରାମର୍ଶ ଦେଇଛି । ସାଇବର ଏକ୍ସପର୍ଟ ଲିଙ୍ଗରାଜ ସେଠୀଙ୍କ କହିବା ମୁତାବକ, ସପ୍ତାହକ ଭିତରେ ଏହି ଦଳର ଏକ୍ସ ପେଜ୍ରେ ୧ ଲକ୍ଷରୁ ଅଧିକ ଓ ଇନ୍ଷ୍ଟାଗ୍ରାମ ପେଜ୍ରେ ୨୨ ଲକ୍ଷରୁ ଅଧିକ ଫଲୋଅର୍ସ ହୋଇଗଲେଣି । ପଞ୍ଜାବ ପୁଲିସ ଏନେଇ ସଚେତନତା ଅଭିଯାନ ଆରମ୍ଭ କଲାଣି । ଯଦି କୌଣସି ଅଜଣା ନମ୍ବରରୁ କଲ୍ ବା ମେସେଜ ଆସୁଛି । ଏହାକୁ କ୍ଲିକ୍ କରିବା ପୂର୍ବରୁ ବୈଧତା ଯାଞ୍ଚ କରିନିଅନ୍ତୁ । ଅଜଣା ୱେବ୍ସାଇଟ୍ କିମ୍ବା ପୋର୍ଟାଲ୍ରେ ଆପଣଙ୍କ ଗୋପନୀୟ ତଥ୍ୟ ଦିଅନ୍ତୁ ନାହିଁ । ଏପିକେ ଫାଇଲ୍ ଦେଖିବା ମାତ୍ରେ ଡିଲିଟ୍ କରନ୍ତୁ । ଆଦୌ କ୍ଲିକ୍ କରନ୍ତୁ ନାହିଁ।