ଭୁବନେଶ୍ୱର,୨୩।୧୦ :   ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ମାଡ଼ି ଆସୁଛି ବାତ୍ୟା ଦାନା।  ପାରାଦୀପ ଠାରୁ ୪୬୦ କି.ମି ଓ ଧାମରାରୁ ୪୯୦ କିଲୋମିଟର ଦୂରରେ  ରହିଛି ଦାନା। ଏହା ଘନୀଭୂତ ହୋଇ ଗୁରୁବାର ସକାଳେ ଭୀଷଣ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି।  ତେବେ ଗୁରୁବାର ସନ୍ଧ୍ୟାରେ ଓଡ଼ିଶା ଉପକୂଳରେ ପହଞ୍ଚିବ ଦାନା। ଗୁରୁବାର ରାତି ଓ ଶୁକ୍ରବାର ସକାଳ ସୁଦ୍ଧା ବାତ୍ୟା ସିଭିୟର ସାଇକ୍ଲୋନରେ ପରିଣତ ହୋଇ ଲ୍ୟାଣ୍ଡଫଲ୍ କରିବ। ଭିତରକନିକା-ଧାମରା ମଧ୍ୟରେ କରିପାରେ ଲ୍ୟାଣ୍ଡଫଲ୍ । ତେବେ  ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ପ୍ରାୟ ୫ ଘଣ୍ଟା ରହିବ।  ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତି  ଏହି ସୂଚନା ଦେଇଛନ୍ତି। ଲ୍ୟାଣ୍ଡଫଲ୍ ସମୟରେ ପବନର ଗତି ରହିବ ୧୦୦ରୁ ୧୧୦ କିମି। ଝଟକା ପବନର ବେଗ ରହିବ ୧୨୦ କିମି ରହିପାରେ।

ବାତ୍ୟା ପ୍ରଭାବରେ ଗୁରୁବାର ପ୍ରବଳ ବର୍ଷା ହେବ । ସେଥିପାଇଁ ୭ ଜିଲ୍ଲାକୁ ରେଡ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡିକ ହେଲା  ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ ଓ ଜଗତସିଂହପୁର। ଏସବୁ ଜିଲ୍ଲାରେ ୨୦ ସେମିରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୫ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା- କେନ୍ଦୁଝର, ଢ଼େଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ।   ସେହିପରି ୬ଟି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। 

ସେହିପରି ଶୁକ୍ରବାର ୪ ଜିଲ୍ଲାରେ ରେଡ୍‌ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା  ମୟୁରଭଞ୍ଜ, କେନ୍ଦୁଝର , ବାଲେଶ୍ୱର ଓ ଭଦ୍ରକ। ସେହିପରି ୬ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା  ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର। ସେହିପରି ୬ ଜିଲ୍ଲାକୁ ୟେଲ୍ଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।