ବାରଙ୍ଗ,୨୨/୧୧: ସମ୍ବାବ୍ୟ ବାତ୍ୟା ‘ଦାନା’କୁ ଆଖିଆଗରେ ରଖି ନନ୍ଦନକାନନର ଉଭୟ ଉଦ୍ୟାନରେ ପୂର୍ବ ପ୍ରସ୍ତୁତି ଆରମ୍ଭ  ହୋଇଛି । ପ୍ରଥମତଃ ଉଦ୍ଧାର କାର୍ଯ୍ୟ ପାଇଁ ଟିମ ତିଆରି କରାଯାଇଛି ।  ସମସ୍ତ କର୍ମଚାରୀ ମାନଙ୍କୁ ସେହି ଟିମ୍‌ରେ ବିଭିନ୍ନ କାର‌୍ୟ୍ୟ  ବଣ୍ଟାଯାଇଛି । ବାତ୍ୟା ସମୟରେ ନନ୍ଦନକାନନ ମୁଖ୍ୟ ପାଚେରୀ  ଭାଙ୍ଗିବାର ସମ୍ବାବନା ରହିଛି । ତେଣୁ ଜନ୍ତୁ ମାନେ ଯେପରି ବାହାରକୁ  ନବାହାରି ପାରିବେ ସେଥିପାଇଁ ମୁଖ୍ୟ ପାଚେରୀ ଉପରେ ଏକ  ଟିମ୍‌ ବାତ୍ୟା ଆରମ୍ଭରୁ ଶେଷ ପର୍ଯାୟରେ ନଜର ରଖିବେ । ଉଦ୍ୟାନ  ଭିତର ରାସ୍ତା ଓ ଖୁଆଡ଼ ଉପରେ ଗଛ ପଡ଼ିଲେ ତାକୁ ଉଠାଇବା  ବ୍ୟବସ୍ଥା କରାଯିବ । ଏକ ପାଟ୍ରୋଲିଂ ଟିମ୍‌ ସବୁ ସ୍ଥାନ ବୁଲିବ ।  

ବିପଦ ପୂର୍ଣ୍ଣ ଭାବରେ ଥିବା ଗଛ, ଟିଣ ଓ ଅଦରକାରୀ ପଦାର୍ଥ  ମାନଙ୍କୁ ସ୍ଥାନାନ୍ତର କରାଯିବ । ହରିଣ,କୁଜି ହରିଣ,ସମ୍ବର,କୃର୍ଣ୍ଣସାର  ମୃଗ ପ୍ରଭୂତି ତୃଣଭୋଜି ପ୍ରାଣୀଙ୍କୁ ଛାଡ଼ିଦେଲେ ବାତ୍ୟା ପୂର୍ବରୁ  ଅନ୍ୟ ଖୁଆଡ଼ରେ ରହୁଥିବା ଜନ୍ତୁ ମାନଙ୍କୁ ଫିଡ଼ିଂ ଚ୍ୟାମ୍ବରରେ  ରଖାଯିବ । ଆକ୍ୟୁରେୟିମ ଓ ଅନ୍ଧାରୀ ଘରେ ଥିବା ଜେନେରେଟର  ମାନଙ୍କରେ ତେଲ ମହଜୁଦ ରହିବ । ପକ୍ଷୀ ଖୁଆଡ଼ରେ ରହୁଥିବା  ଚଢ଼େଇ ମାନଙ୍କୁ ସୁରକ୍ଷିତ କରାଯିବ । ଚଡ଼େଇ ଖୁଆଡ଼  ଚାରିକଡ଼କୁ ଜରି ପାଲରେ ଆବଦ୍ଧ କରାଯିବ । ବାତ୍ୟା ପ୍ରଭାବକୁ  ଆଖିଆଗରେ ରଖି ନନ୍ଦନକାନନର ଉଭୟ ଉଦ୍ୟାନ ବନ୍ଦ ସମ୍ପର୍କରେ  ପୂର୍ବରୁ ସୂଚନା ଦିଆଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।