ଭୁବନେଶ୍ୱର,୨୮/୧୦:  ସମ୍ଭାବ୍ୟ ବାତ୍ୟା ପାଇଁ ସମସ୍ତ ସ୍କୁଲ  ଛୁଟି ଘୋଷଣା ହୋଇଛି । ବିଭିନ୍ନ  ବିଭାଗ ସତର୍କତା ଅବଲମ୍ବନ  କରୁଛନ୍ତି । ହେଲେ ଆର୍‌ଆଇ, ଅମିନ  ପରୀକ୍ଷାକୁ ସ୍ଥଗିତ କିମ୍ବା ବାତିଲ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଉନି ।  ପ୍ରବଳ ବର୍ଷା ହେବାର ସମ୍ଭାବନା  ରହିଛି, ବିଶେଷ କରି ଦକ୍ଷିଣ  ଓଡ଼ିଶାକୁ ହାଇଆଲର୍ଟ କରାଯାଇଛି। ଏପରି ସ୍ଥିତିରେ ପରୀକ୍ଷାର୍ଥୀମାନେ କିପରି ପରୀକ୍ଷା ଦେବାକୁ ଯିବେ ବୋଲି ପ୍ରଶ୍ନ କରିଛନ୍ତି ନିଯୁକ୍ତି ଆଶାୟୀ ।

ପରୀକ୍ଷାର୍ଥୀଙ୍କ ଅଭିଯୋଗ, ବର୍ଷା  ପାଇଁ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳମାନେ ନିଜ ଆଡ଼ୁ ଛୁଟି ଘୋଷଣା କରିଛନ୍ତି । ସତର୍କ ରହିବାକୁ ନିର୍ଦ୍ଦେଶ  ଦେଇଛନ୍ତି । ଗଜପତି, ରାୟଗଡ଼ାମାଲକାନାଗିରି ଜିଲ୍ଲାରେ ଭୂସ୍ଖଳନର  ଆଶଙ୍କା ମଧ୍ୟ କରାଯାଇଛି । ପ୍ରବଳ ବର୍ଷା ଥିବା ବେଳେ ଗମନାଗମନର  ଅସୁବିଧା ହେବ । ଏଭଳି ସ୍ଥିତିରେ  କେଉଁ ଭଳି ଭାବେ ପରୀକ୍ଷା ହେବ । ପରୀକ୍ଷାର୍ଥୀ ଆଦିତ୍ୟ ଜେନାଙ୍କ କହିବା  କଥା, ଏନେଇ ଓଏସ୍‌ଏସ୍‌ଏସ୍‌ସି  ହେଲ୍ପଲାଇନ ନମ୍ବରରେ ଯୋଗାଯୋଗ  କଲେ ସେମାନେ କହୁଛନ୍ତି, କୌଣସି  ଚିଠି ହୋଇନି ମାନେ ପରୀକ୍ଷା ହେବ ।  ଯେଉଁମାନେ ପରୀକ୍ଷା ଦେଇ ନ  ପାରିବେ ତେବେ ସେମାନେ ଏକ  ଆପ୍ଲିକେସନ ଦେଲେ ସେମାନଙ୍କୁ  ପରୀକ୍ଷା ପାଇଁ ଅନ୍ୟ ଏକ ତାରିଖ  ଦିଆଯିବ । ଗତ ୮ ତାରିଖରୁ ଆରମ୍ଭ  ହୋଇଥିବା ଏହି ପରୀକ୍ଷା ଆସନ୍ତା  ମାସ ୧୩ ତାରିଖରେ ସରିବ ।