ଅସ୍ତରଙ୍ଗ,୨୭/୧୦: ବାତ୍ୟା ମୋନ୍ଥାକୁ ନେଇ ଚିନ୍ତାରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ର ଚାଷୀକୂଳ । ବର୍ଷା ଓ ପବନରେ କ୍ଷୟକ୍ଷତି ଆଶଙ୍କା ଥିବାରୁ ତରବରିଆ ଭାବେ ଧାନ କାଟି ନେଉଛନ୍ତି । ଅପରପକ୍ଷରେ ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀମାନେ କୂଳକୁ ଫେରି ଆସୁଛନ୍ତି । ଡଙ୍ଗା ଓ ଜାଲ ସୁରକ୍ଷିତ ସ୍ଥାନକୁ ନେଉଥିବା ଦେଖିବାକୁ ମିଳିଛି ।
କିଛି ବର୍ଷ ହେଲା ଅକ୍ଟୋବର ମାସରେ ବାରମ୍ବାର ବାତ୍ୟାର ସମ୍ମୁଖୀନ ହେଉଛନ୍ତି ଉପକୂଳବାସୀ । ଏଥିରେ ବହୁ ଧନଜୀବନ ହାନୀ ହେବା ସହ ଫସଲ କ୍ଷତି ହେଉଛି । ଅକ୍ଟୋବରରେ ଧାନ ଫସଲ ପାଚିବା ସହ ଅମଳ ସମୟ ଆସି ଯାଇଥାଏ । ବର୍ଷକର ଝାଳବୁହା ପରିଶ୍ରମର ଫଳ ସ୍ୱରୂପ ସୁନାର ଫସଲକୁ ଅମଳ କରି ସାଇତି ରଖିଥାନ୍ତି ଚାଷୀ । ହେଲେ କିଛି ବର୍ଷ ହେଲା ଏହି ସମୟରେ ବାତ୍ୟା ଯୋଗୁଁ ଫସଲ କ୍ଷତି ସହି ଚାଷୀଙ୍କ ମେରୁଦଣ୍ଡ ଦୋହଲି ଯାଉଛି । ଚଳିତ ବର୍ଷ ମଧ୍ୟ ଧାନ ଫସଲ କିଛି ସ୍ଥାନରେ ପାଚିଥିବା ବେଳେ ଅନେକ ଜମିରେ ଫୁଲ ଧରିଲାଣି । ଏଭଳି ସ୍ଥିତିରେ ବାତ୍ୟା ଆଶଙ୍କା ଯୋଗୁଁ ଧାନ ଫସଲ ଉଜୁଡ଼ିଯିବା ଚିନ୍ତାରେ ଚାଷୀଙ୍କ ନିଦ ହଜିଗଲାଣି ।
ଅସ୍ତରଙ୍ଗ ବ୍ଲକ ମତ୍ସ୍ୟ ବିଭାଗ ପକ୍ଷରୁ ନୂଆଗଡ଼, ଡାଳୁଅକଣି, ସହନ, ସୁଦିକେଶର, ପାଟସୁନ୍ଦରପୁର, ଅସନ, ନଗର, କାଳିଆକଣ ସମେତ ବିଭିନ୍ନ ସ୍ଥାନରେ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି । ସଜାଗ ରହିବା ସହ ଜାଲ, ଡଙ୍ଗାକୁ ସୁରକ୍ଷିତ ସ୍ଥାନକୁ ଆଣିବାକୁ ବିଭାଗ ପକ୍ଷରୁ କୁହାଯାଇଛି । ବେଗୁନିଆବସ୍ତ ଗ୍ରାମରେ ଚାଷୀମାନେ ଧାନକୁ ତରବରିଆ ଭାବେ କାଟି ନେଉଛନ୍ତି । ବ୍ଲକର ୬ ହଜାର ହେକ୍ଟରରୁ ଅଧିକ ଜମିରେ ଧାନ ଚାଷ ହୋଇଛି । ଧାନ କେଣ୍ଡା ଧରିବା ଆରମ୍ଭ ହେଲାଣି । ଯଦି ଲଘୁଚାପଜନିତ ବର୍ଷା ହୁଏ ତେବେ ଅନେକ କ୍ଷତି ହେବ । ଧାନ ପାଣିରେ ପଡ଼ିଲେ କିମ୍ବା ପଟୁ ମାଡ଼ିଗଲେ ନଷ୍ଟ ହେବାର ସମ୍ଭାବନା ରହିଛି । ଅପରପକ୍ଷରେ ୩୦ ତାରିଖ ପର୍ଯ୍ୟନ୍ତ ବାତ୍ୟା ପାଇଁ ସମୁଦ୍ର ଅଶାନ୍ତ ରହିବ । ସେଥିପାଇଁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।