ଭୁବନେଶ୍ୱର,୨୫/୦୩: ଦଶପଲ୍ଲା (କୁଞ୍ଜବନଗଡ଼ ଲୋକକଳାଗ୍ରାମ, ମହାବୀର କ୍ଷେତ୍ର) ର ଭାରତ ପ୍ରସିଦ୍ଧ ଐତିହାସିକ ଲଙ୍କାପୋଡ଼ି ଯାତ୍ରାକୁ କେନ୍ଦ୍ର ସରକାର ଆନୁଷ୍ଠାନିକ ଭାବରେ ଏକ ସାଂସ୍କୃତିକ  ଐତିହ୍ୟ ମହୋତ୍ସବ ଭାବରେ ସ୍ୱୀକୃତି ଦିଅନ୍ତୁ । ଏହାର ସଂରକ୍ଷଣ ଏବଂ ପ୍ରଚାର ସୁନିଶ୍ଚିତ କରାଯିବା ସହ ଏହାକୁ ଏକ ସ୍ଥାୟୀ ମାନ୍ୟତା ପ୍ରଦାନ କରନ୍ତୁ । କାରଣ  ଏହା ୨୦୦ ବର୍ଷରୁ ଅଧିକ ଓଡ଼ିଶାର ପ୍ରଥମ ମୁକ୍ତମଞ୍ଚ ଅଭିନୟ ବୋଲି କେନ୍ଦ୍ର ସରକାରଙ୍କ ନିକଟରେ ଦାବି  ରଖିଛନ୍ତି କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ।  

କନ୍ଧମାଳ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଦଶପଲ୍ଲା ବିଧାନସଭା କ୍ଷେତ୍ରରେ ଆସନ୍ତା ଏପ୍ରିଲ୍‌  ୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଲଙ୍କାପୋଡ଼ି ଯାତ୍ରା । ଏହି ଅବସରରେ କେନ୍ଦ୍ର ସଂସ୍କୃତି ଓ  ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍‌ଙ୍କୁ  ସୌଜନ୍ୟମୂଳକ ଭାବେ ସାକ୍ଷାତ କରି ଏହି ଐତିହାସିକ ଯାତ୍ରାରେ ଯୋଗଦେବା ପାଇଁ ସାଂସଦ ଶ୍ରୀ  ପାଣିଗ୍ରାହୀ ନିମନ୍ତ୍ରଣ କରିଛନ୍ତି । ଏଥିସହିତ ପ୍ରସିଦ୍ଧ  ଲଙ୍କାପୋଡ଼ି ଯାତ୍ରା ସମ୍ପର୍କରେ ଏହାର ଐତିହାସିକ  ଗୁରୁତ୍ୱ ଏବଂ ସାଂସ୍କୃତିକ ସମୃଦ୍ଧିକୁ ଦୃଷ୍ଟିରେ ରଖି  ଅନେକ ପ୍ରସ୍ତାବ ସହ ଦାବି ଉପସ୍ଥାପନ କରିଛନ୍ତି ।  

ଦାବିପତ୍ରରେ ସାଂସଦ ଶ୍ରୀ ପାଣିଗ୍ରାହୀ ଉଲ୍ଲେଖ  କରିଛନ୍ତି କି, ୧୮୦୨ ମସିହାରେ ରାଜା ତ୍ରିଲୋଚନ  ଭଞ୍ଜଙ୍କ ଦ୍ୱାରା ଆରମ୍ଭ ହୋଇ ୧୮୦୫ ମସିହାରେ  ରାଜା କୃଷ୍ଣଚନ୍ଦ୍ର ଭଞ୍ଜଙ୍କ ଦ୍ୱାରା ପରିବର୍ଦ୍ଧିତ ହୋଇଥିବା  ଏହି ଲଙ୍କାପୋଡ଼ି ଉତ୍ସବ, ଆଜି ଏକ ଗୁରୁତ୍ୱପୂର୍ଣ୍ଣ  ସାଂସ୍କୃତିକ ପରମ୍ପରାରେ ପରିଣତ ହୋଇଛି । ଯାହା  ପ୍ରତିବର୍ଷ ହଜାର ହଜାର ପରିଦର୍ଶକଙ୍କୁ ଆକର୍ଷିତ  କରିଥାଏ । ତେଣୁ ଏ ବିଷୟରେ ଦର୍ଶକଙ୍କୁ ଜଣାଇବା  ଏବଂ ସ୍ଥାନୀୟ ଅର୍ଥନୀତିକୁ ପ୍ରୋତ୍ସାହନ କରିବା  ପାଇଁ ରାସ୍ତା, ପରିମଳ, ବାସସ୍ଥାନ ସୁବିଧା ସମେତ  ସ୍ଥାନୀୟ ଭିତ୍ତିଭୂମିକୁ ଉନ୍ନତ କରିବା ପାଇଁ ପଦକ୍ଷେପ  ନିଆଯାଉ । ଏହାର ପର୍ଯ୍ୟଟନକୁ ଆକର୍ଷିତ କରିବା  ପାଇଁ ଲଙ୍କାପୋଡ଼ି ଯାତ୍ରା ମହୋତ୍ସବର ସଙ୍ଗଠନ,  ଭିତ୍ତିଭୂମି ବିକାଶ ଏବଂ ପ୍ରଚାରମୂଳକ କାର୍ଯ୍ୟକଳାପ  ପାଇଁ ସମର୍ପିତ ଆବଶ୍ୟକୀୟ ସହାୟତା ପାଣ୍ଠି ଯୋଗାଇ  ଦିଆଯାଉ ବୋଲି ସାଂସଦ ଶ୍ରୀ ପାଣିଗ୍ରାହୀ କହିଛନ୍ତି । 

ଏତଦ୍‌ବ୍ୟତୀତ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ  ଐତିହ୍ୟକୁ ପ୍ରଦର୍ଶନ କରି ଜାତୀୟ ଏବଂ ଅନ୍ତର୍ଜାତୀୟ  ପର୍ଯ୍ୟଟନ ସର୍କିଟ୍‌ରେ ଏହି ମହୋତ୍ସବକୁ ପ୍ରଦର୍ଶିତ  କରିବା ପାଇଁ ପର୍ଯ୍ୟଟନ ବିଭାଗ ସହ ଯୋଡ଼ାଯାଉ ।  ଏପରିକି ପର୍ଯ୍ୟଟନ ମନ୍ତ୍ରଣାଳୟ ବାର୍ଷିକ ସାଂସ୍କୃତିକ  ଉତ୍ସବ, ମହୋତ୍ସବ କ୍ୟାଲେଣ୍ଡର୍‌ରେ ମଧ୍ୟ ସ୍ଥାନିତ କରିବା  ପାଇଁ ସାଂସଦ ଶ୍ରୀ ପାଣିଗ୍ରାହୀ ଦାବି ରଖିଛନ୍ତି । ଯାହାଦ୍ୱାରା  ଏହାର ବିଶ୍ୱବ୍ୟାପୀ ପ୍ରଚାର, ପ୍ରସାର ହୋଇପାରିବ ।  

ଲଙ୍କାପୋଡ଼ି ଯାତ୍ରା କମିଟି ସମ୍ପାଦକ ସୂର୍ଯ୍ୟମଣି  ଦାଶ କହିଛନ୍ତି, ଚଳିତ ବର୍ଷ ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କ  ୨୨୩ତମ ପ୍ରସିଦ୍ଧ ଐତିହାସିକ ଲଙ୍କାପୋଡ଼ି ଯାତ୍ରା୨୦୨୫ ଅନୁଷ୍ଠିତ ହେବ । ପାରମ୍ପରିକ ରୀତିରେ ପବିତ୍ର  ଶ୍ରୀରାମ ନବମୀଠାରୁ ଏପ୍ରିଲ୍‌ ୬ରୁ ଆରମ୍ଭ ହୋଇ ୨୩  ତାରିଖରେ ଉଦ୍‌ଯାପିତ ହେବ । ଶାସ୍ତ୍ରୋକ୍ତ ବିଧିମତେ  ଶ୍ରୀରାମଙ୍କ ଜନ୍ମରୁ ରାଜ୍ୟାଭିଷେକ ପର୍ଯ୍ୟନ୍ତ ୧୮ଦିନ  ଶ୍ରୀଜିଉମାନଙ୍କ ପୂଜାର୍ଚ୍ଚନା ଓ ଲୀଳା ଅଭିନୟ ଅନୁଷ୍ଠିତ  ହେବ । ଯାତ୍ରାର ମୁଖ୍ୟ ଉତ୍ସବ ୨୨ ଓ ୨୩ ତାରିଖରେ ୨  ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହେବ । ଚଳିତ ବର୍ଷ  ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେବାର  କାର୍ଯ୍ୟକ୍ରମ ରହିଛି । ବର୍ତ୍ତମାନ ଏହି ଉତ୍ସବ ଯେମିତି  ଯାହା ହେଇ ଚାଲି ଆସିଛି। କିନ୍ତୁ ସ୍ୱତନ୍ତ୍ର ଅନୁଦାନ କି  ସ୍ୱତନ୍ତ୍ର ମାନ୍ୟତା ମିଳିନାହିଁ । ଏନେଇ ଆମେ ଉଭୟ  କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି ରଖୁଛୁ । ଦୁଇଦିନ ତଳେ ପ୍ରସ୍ତୁତି ବୈଠକରେ ବି ଆମେ ଏହା  ଉପରେ ଆଲୋଚନା କରିଛୁ । ତା’ ପୂର୍ବରୁ ଆମର  ସଭାପତି ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ କେନ୍ଦ୍ର  ନିକଟରେ ଏବଂ ଉପଦେଷ୍ଟା ବିଧାୟକ ରମେଶ  ଚନ୍ଦ୍ର ବେହେରା ରାଜ୍ୟ ସରକାରଙ୍କ ନିକଟରେ  ଦାବି ରଖି ସାରିଛନ୍ତି ବୋଲି ଶ୍ରୀ ଦାଶ କହିଛନ୍ତି।