ନୂଆଦିଲ୍ଲୀ – ବ୍ରାଜିଲରେ ରହୁଥିବା ଗିସ୍ଲେନେ ସିଲଭା ଡି ଡେସ୍‌ ନିଜ ପିତାଙ୍କର ହତ୍ୟା ପରେ ନ୍ୟାୟ ପାଇଁ ଲଢେଇ କରିଥିଲେ, ତାହା କୌଣସି ଫିଲ୍ମର କାହାଣୀ ଠାରୁ କମ୍‌ ନୁହେଁ। ୧୯୯୯ରେ ଯେବେ ଗିସ୍ଲେନ କେବଳ ୯ ବର୍ଷର ହୋଇଥିଲେ, ସେତେବେଳେ ତାଙ୍କ ପିତାଙ୍କୁ ତାଙ୍କର ବନ୍ଧୁ ରେମୁଣ୍ଡୋ ଅଲଭେସ ଗୋମ୍ସ ପାଖାପାଖି ୨୦ ଡଲାରର ବିବାଦ ଯୋଗୁଁ ନିର୍ମମ ଭାବେ ହତ୍ୟା କରି ଥିଲା। ଏହି ଦୁଃଖଦ ଘଟଣା ଗିସ୍ଲେନେଙ୍କ ପରିବାରର ଦୁନିଆ ବଦଳାଇ ଦେଇଥିଲା। ପରିବାର ଅର୍ଥାଭାବରେ ପଡ଼ିଲା, ହେଲେ ଜଣେ କୁନି ପିଲାର ହୃଦୟରେ ନିଜ ପିତାଙ୍କୁ ନ୍ୟାୟ ଦେବାର ଶପଥ ଜନ୍ମ ନେଇଥିଲା।

ଗିସ୍ଲେନେଙ୍କ ମାଆ ବିଷମ ପରିସ୍ଥିତିରେ ନିଜ ଝିଅଙ୍କ ଲାଳନ ପାଳନ କରିଥିଲେ ଏବଂ ନୈତିକତାର ପାଠ ପଢାଇ ଥିଲେ। କିନ୍ତୁ ଜାସ୍ଲିନଙ୍କ ମନରେ ପ୍ରତିଶୋଧର ନିଆଁ ଜଳୁଥିଲା , ଯାହାକୁ ସେ ସଠିକ ରାସ୍ତା ଦେଲେ। ମାଆଙ୍କ ଶିକ୍ଷା ଅନୁସାରେ ,ଗିସ୍ଲେନେ ଜୀବନରେ ନୈତିକତା ଓ ସଠିକ୍‌ ରାସ୍ତାକୁ ବାଛି ନେଲେ। ୧୮ ବର୍ଷ ବୟସରେ ଗିସ୍ଲେନେ ଆଇନ ପାଠ ପଢିଲେ ଏବଂ ନିଜ ଜୀବନର ଉଦ୍ଦେଶ୍ୟକୁ ସ୍ପଷ୍ଟ କଲେ। ଗିସ୍ଲେନେଙ୍କର ଲକ୍ଷ୍ୟ ଏବେ ନିଜ ପିତାଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ଦେବାର ଥିଲା। 

ଆଇନ ପାଠ ପୂରା କରିବା ପରେ ,ଗିସ୍ଲେନେ ପୁଲିସ ଫୋର୍ସରେ ଭର୍ତ୍ତି ହୋଇ, ହତ୍ୟା ମାମଲାର ତଦନ୍ତ ବିଭାଗରେ କାମ କରିବା ଆରମ୍ଭ କଲେ। ଏବେ ଗିସ୍ଲେନେଙ୍କ ଉଦ୍ଦେଶ୍ୟ ନିଜ ପିତାଙ୍କ ହତ୍ୟାକାରୀ ରେମୁଣ୍ଡୋ ଅଲୱେସ ଗୋମ୍ସକୁ ଖୋଜି ବାହାର କରିଥିଲେ। ଗୋମ୍ସ ଗତ ୧୩ ବର୍ଷରୁ ଫେରାର ଥିଲା। ୨୦୧୩ରେ କୋର୍ଟ ଗୋମ୍ସକୁ ଦୋଷୀ ସାବ୍ୟସ୍ତ କରିଥିଲେ। ହେଲେ ସେପର୍ଯ୍ୟନ୍ତ ସେ ଧରାପଡ଼ି ନଥିଲା।

ଗିସ୍ଲେନେ ବର୍ଷ ବର୍ଷ ଧରି ଧୈର୍ଯ୍ୟ ଓ ପ୍ରତିବଦ୍ଧତା ସହ ଏହି ମିଶନରେ କାମ କଲେ। ଶେଷରେ ଗତ ମାସରେ ସେ ଗୋମ୍ସର ଠିକଣାକୁ ଖୋଜି ପାଇଲେ ଏବଂ ତାକୁ ଗିରଫ କରିଥିଲେ। କୋର୍ଟ ଗୋମ୍ସକୁ ୧୨ ବର୍ଷର ସଜ୍ଜା ଶୁଣାଇ ଥିଲେ ଏବଂ ଏହିପରି ଗିସ୍ଲେନେ ଓ ତାଙ୍କ ପିତାଙ୍କୁ ନ୍ୟାୟ ମିଳିଲା।

ଏହି ପୂରା ଘଟଣାକ୍ରମ ପରେ ଗିସ୍ଲେନେ ଭାବପ୍ରବଣ ହୋଇ କହିଥିଲେ, ମୁଁ ମୋ ବାପାଙ୍କ ହତ୍ୟାକାରୀକୁ ଧରିବାର ଯେଉଁ ସଙ୍କଳ୍ପ ନେଇଥିଲି , ଆଜି ତାହା ପୂରଣ ହେଲା। ହେଲେ ମୁଁ ଲୋକଙ୍କୁ କହିବାକୁ ଚାହୁଁଛି କି, ପ୍ରତିଶୋଧର ଭୁଲ ରାସ୍ତା ଆପଣାଇବା ଜରୁରୀ ନୁହେଁ। ନ୍ୟାୟ ପ୍ରଣାଳୀରେ ବିଶ୍ୱାସ ରଖିବା ଉଚିତ୍। ଗିସ୍ଲେନେ ଡି ଡେଉସଙ୍କର ଏହି ନିଆରା କାହାଣୀ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।