ପାରାଦୀପ,୧୪/୯: କୋଇଲା ବୋଝେଇ ଟ୍ରେନରୁ ଯୁବତୀଙ୍କ ମୃତଦେହ ଉଦ୍ଧାର। ତଦନ୍ତ କରୁଛି ଆଦର୍ଶ ଥାନା ପୁଲିସ। ତେବେ ଯୁବତୀ ଜଣଙ୍କୁ କିଏ ମାରିଛି କିମ୍ବା ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରୁଛି ପୁଲିସ । ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।
ସୂଚନା ଅନୁସାରେ, ଟ୍ରେନ୍ ନମ୍ବର ବିପିକିୟୁ ପି-୨୨ ଏମସିଏଲ ସାଇଲୋ ସମ୍ବଲପୁରରୁ କୋଇଲା ଲୋଡ୍ କରି ପାରାଦୀପ ଅଭିମୁଖେ ଆସୁଥିଲା। ଟ୍ରେନଟି ରବିବାର ସକାଳ ୭ଟା ୩୦ରେ ପାରାଦୀପରେ ପହଞ୍ଚିଥିଲା। ପାରାଦୀପର କୋଲ୍ ସାଇଟରେ ପହଞ୍ଚିବା କ୍ଷଣି କର୍ମଚାରୀମାନେ ଏକ ମୃତଦେହ ଥିବା ଦେଖିବାକୁ ପାଇଥିଲେ। ସେମାନେ ତୁରନ୍ତ ଜେଏସଡବ୍ଲ୍ୟୁ ଇନଫ୍ରା କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। କମ୍ପାନୀ ପକ୍ଷରୁ ଆଦର୍ଶ ଥାନାରେ ଜଣାଇବା ପରେ ପୁଲିସ ଅପରାହ୍ନ ୨ଟାରେ ଘଟଣାସ୍ଥଳ ପହଞ୍ଚି ତଦନ୍ତ କରୁଛି ।