ସଇଁତଳା, ୨୮।୭: ବଲାଙ୍ଗୀର ଜିଲ୍ଲାରେ ଦିନକୁ ଦିନ ଦାଦନ ଶ୍ରମିକ ସମସ୍ୟା ବଢ଼ି ଚାଲିଛି ।  ଗତ ଛଅ ମାସ ଭିତରେ ୪ରୁ ଅଧିକ ଦାଦନ ଶ୍ରମିକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଛନ୍ତି।   ପୁଣି ଆଉ ଜଣେ ଶ୍ରମିକ ଗୁଜୁରାଟର ବେକାନେରଠାରେ ମୃତ୍ୟୁ ଘଟିଛି।  ତେବେ ମୃତଦେହ ଗାଁକୁ ଆଣିବାରେ ବାଧକ ସାଜିଛି ଅର୍ଥ।  ୭ ଦିନ ହେଲା ଗୁଜରାଟରୁ ଗାଁକୁ ମୃତଦେହ ଆସି ପାରୁ ନାହିଁ। ଗୁଜରାଟରେ  ମୃତଦେହକୁ ଜଗି ରହିଛି ଝିଅ ।

ସଇଁତଳା ବ୍ଲକ ବୁଢା ବାହାଲ ପଞ୍ଚାୟତ ଅନ୍ତର୍ଗତ ରେମୁଣ୍ଡା ଗାଁର ପୃଥ୍ୱୀରାଜ କୁମ୍ଭାର  (୪୫) କିଛି ବର୍ଷ ହେଲା ଗୁଜୁରାଟର ବେକାନେରଠାରେ ଏକ ଘରୋଇ କମ୍ପାନୀରେ ଶ୍ରମିକ  ଭାବେ କାର୍ଯ୍ୟ କରୁଥିଲେ। କୌଣସି କାରଣରୁ ଦେହ ଅସୁସ୍ଥ ହେବାରୁ କମ୍ପାନୀ ପକ୍ଷରୁ ବେକାନେର ଡାକ୍ତରଖାନରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।  ଏନେଇ   ଗତ ୨୨ ତାରିଖରେ  ପରିବାର ଲୋକଙ୍କୁ ଖବର  ଦେବା ପରେ  ମୃତକଙ୍କ ଝିଅ ଓ ଜଣେ ସମ୍ପର୍କୀୟ ସହ ଗୁଜୁରାଟକୁ ଯାଇ ଶବ ଆଣିବାକୁ ଯାଇଥିଲେ।  କମ୍ପାନୀ ପକ୍ଷରୁ  ଗାଡି ଭଡା ବାବଦକୁ କୌଣସି  ସହାୟତା   ନଦେବାରୁ ଡାକ୍ତରଖାନାରେ ବାପାଙ୍କ ଶବ  ପାଖରେ  ୭ ଦିନ ହେଲା ଝିଅ ଜଗି ରହିଛି ।  ଟଙ୍କା ଅଭାବରୁ ଗାଁକୁ ଶବ ଆସିପାରୁନାହିଁ  । ଏନେଇ ସଇଁତଳା ବ୍ଲକ ପ୍ରଶାସନଙ୍କୁ ପରିବାର ଲୋକେ ଶବ ଆଣିବାକୁ ଗୁହାରି କରିଥିଲେ ମଧ୍ୟ କେହି ଶୁଣିନଥିବା ଅଭିଯୋଗ ଆଣିଛନ୍ତି । ଏନେଇ ସଇଁତଳା ତହସିଲଦାର ଆଶିଷ ଏକ୍କାଙ୍କୁ ପଚାରିବାରୁ  ଆମ ପାଖରେ ସରକାରୀ ସହାୟତା ବା ରେଡକ୍ରସ ପାଣ୍ଠି ନାହିଁ  ବୋଲି କହିବା ସହ  ମୁଁ  ଏଭଳି ଅନ୍ୟ କେଶରେ ମୋ ଦରମାରୁ ୩୦ ହଜାର  ଟଙ୍କା ଦେଇସାରିଛି  ସରକାରୀ ଟଙ୍କା ଆସିଲେ ସହାୟତା ଦିଆଯିବ ବୋଲି କହିଛନ୍ତି ।

ସେହିପରି  ଚଳିତ ଜୁଲାଇ ୬ ତାରିଖରେ ସଇଁତଳା ବ୍ଲକ ବିବିନା ପଞ୍ଚାୟତ ଛୋକରବାଞ୍ଜି ଗାଁର ଗିରିଧାରୀ ପଧାନ (୩୧ବର୍ଷ) ଗୁଜୁରାଟରେ ଠିକା ଶ୍ରମିକ ଭାବେ କାମ କରୁଥିବା ବେଳେ ତାଙ୍କର  ମୃତ୍ୟୁ ଘଟିଥିଲା।  ଜୁଲାଇ ୮ ତାରିଖରେ  ଗାଁକୁ ଶବ ଫେରିଥିଲା । ସେହିପରି ସଇଁତଳା ବ୍ଲକ ଧରବଗଡ଼ ପଞ୍ଚାୟତ ପେଣ୍ଡରାମାଲ ଗାଁର ପର୍ଖିତ ମାଝୀଙ୍କ ୨୦ ବର୍ଷୀୟ ପୁଅ ଜଗନି ମାଝୀ ଗତ ୨ ମାସ ତଳେ ଗୁଜରାଟର ଭୁଜ ଅଞ୍ଚଳକୁ ଏକ ଠିକା ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ। ତେବେ ୪ ଦିନ ତଳେ ସେଠାରେ କୌଣସି କାରଣରୁ ତାଙ୍କ ମୃତ୍ୟୁ ହୋଇଥିଲା। ପଇସା ପତ୍ର ଅସୁବିଧା ଯୋଗୁଁ ମୃତ୍ୟୁର ୪ ଦିନ ବିତି ଯାଇଥିଲେ ମଧ୍ୟ ତାଙ୍କ ଶବ ଗାଁକୁ ଫେରି ନଥିଲା । ତେବେ ବହୁ କଷ୍ଟ କରି ପଇସା ପତ୍ର ସଂଗ୍ରହ କରି ପରିବାର ଲୋକେ ପଠାଇବା ପରେ ମୃତଦେହ ଗାଁକୁ ଫେରିଥିଲା। ଜଗନ ପରିବାରର ରୋଜଗାରିଆ ପୁଅ ହୋଇଥିବାରୁ ଏବେ ପରିବାରର ମେରୁଦଣ୍ଡ ଭାଙ୍ଗି ପଡ଼ିଛି । 

 ସେହିପରି ଆମ୍ବପାଲି ପଞ୍ଚାୟତ ଆମ୍ବପାଲି ଗାଁର କିଶୋର ମାଝୀ (୪୦ବର୍ଷ) ୪ ମାସ ତଳେ ଶିକନ୍ଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିବା ବେଳେ ସେଠାରେ କୌଣସି କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଦିନକୁ ଦିନ ଦାଦନ ଶ୍ରମିକ ବେଆଇନ ଭାବେ ଚାଲାଣ ହୋଉଥିବା ବେଳେ ଏହାକୁ ରୋକିବା ପାଇଁ ଫେଲ୍‌ ମାରିଛି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ । ତେବେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଓ ମନରେଗା ଯୋଜନାର ସଠିକ ଉପଯୋଗ କରିବା ପାଇଁ ସଧାରଣରେ ଦାବି ହେଉଛି।