ନୂଆଦିଲ୍ଲୀ ୨୬/୦୪:ଆମେରିକା ଓ ଚୀନ୍ରେ ଶୀର୍ଷ ପ୍ରତିରକ୍ଷା ବୈଜ୍ଞାନିକଙ୍କ ମୃତ୍ୟୁ ଓ ନିଖୋଜ ଘଟଣା ବଢୁଛି । ଏହି ବୈଜ୍ଞାନିକ ଆମେରିକା ଓ ଚୀନ୍ର ସୈନ୍ୟ ଶକ୍ତିର ମେରୁଦଣ୍ଡ । ପରମାଣୁ ଟେକ୍ନୋଲୋଜି, ହାଇପରସୋନିକ୍ ଅସ୍ତ୍ର, ଏଆଇ, ସ୍ପେସ୍ ରିସର୍ଚ୍ଚ ଓ ଆଧୁନିକ ଯୁଦ୍ଧାସ୍ତ୍ର ଭଳି ଅତ୍ୟନ୍ତ ସମ୍ବେଦନଶୀଳ କ୍ଷେତ୍ରରେ ଏମାନେ କାମ କରୁଥିଲେ । ଆମେରିକାରେ ଅଦ୍ୟାବଧି ୧୧ ଘଟଣା ସାମ୍ନାକୁ ଆସିଛି, ଅନ୍ୟପକ୍ଷେ ଚୀନ୍ରେ ୯ରୁ ଅଧିକ ବୈଜ୍ଞାନିକଙ୍କ ମୃତ୍ୟୁ ହୋଇଛି । ଏ ଘଟଣାର ପ୍ୟାଟର୍ନ ଦେଖି ଷଡ୍ଯନ୍ତ୍ରର ଆଶଙ୍କା କରାଯାଉଛି ।
ଆମେରିକାରେ ନିଖୋଜ କିମ୍ବା ମୃତ ବୈଜ୍ଞାନିକଙ୍କ ମଧ୍ୟରେ ନାସାର ଇଞ୍ଜିନିୟର, ବାୟୁସେନାର ଜେନେରାଲ ଓ ଲସ୍ ଏଲାମୋସ ଭଳି ପରମାଣୁ ପ୍ରୟୋଗଶାଳାର ବୈଜ୍ଞାନିକ ସାମିଲ । ସବୁଠୁ ଚର୍ଚ୍ଚିତ ମାମଲା ମେଜର ଜେନେରାଲ ୱିଲିୟମ୍ ନୀଲ ମ୍ୟାକ୍କ୍ୟାସଲାଣ୍ଡଙ୍କର । ସେ ୟୁଏଫ୍ଓ (ଅଜ୍ଞାତ ଉଡ଼ନ୍ତା ବସ୍ତୁ)ର ଯାଞ୍ଚ୍ କରିଥିଲେ । ବାୟୁସେନା ରିସର୍ଚ୍ଚ ଲ୍ୟାବ୍ର କମାଣ୍ଡର ମଧ୍ୟ ଥିଲେ । ଗତ ଫେବ୍ରୁଆରୀରେ ସେ ଘରୁ ଚାଲିବାକୁ ବାହାରିଥିଲେ । ତା’ପରେ ନିଖୋଜ ହୋଇଗଲେ । ଫୋନ୍, ଚଷମା ଓ ସ୍ମାର୍ଟୱାଚ୍ ସେ ଘରେ ଛାଡ଼ିଥିଲେ । କେବର ବନ୍ଧୁକ ସାଙ୍ଗରେ ନେଇଥିଲେ । ଅଦ୍ୟାବଧି ତାଙ୍କର ଖବର ମିଳିନାହିଁ ।
ସେହିଭଳି ନାସା ଜେଟ୍ ପ୍ରପଲସନ୍ ଲାବୋରେଟୋରୀର ଏରୋସ୍ପେସ୍ ଇଞ୍ଜିନିୟର ମୋନିକା ରେଜା କାଲିଫର୍ଣ୍ଣିଆ ଜଙ୍ଗଲରେ ସାଙ୍ଗମାନଙ୍କ ସହ ଟ୍ରେକିଂ କରୁଥିଲେ । ହଠାତ୍ ସେ ୩୦ ଫୁଟ ପଛରେ ରହିଗଲେ ଏବଂ ତା’ପରେ ନିଖୋଜ ହୋଇଗଲେ । ଉଦ୍ଧାରକାରୀ ଟିମ୍ ଅନେକ ଦିନ ଧରି ତାଙ୍କୁ ଖୋଜାଖୋଜି କଲା, କିନ୍ତୁ କୌଣସି ସୁରାଗ ମିଳିଲା ନାହିଁ । ସେ ରକେଟ୍ରେ ବ୍ୟବହୃତ ସୁପର-ଅଏଲ୍ ଧାତୁ ଉପରେ କାମ କରୁଥିଲେ । ନାସାର ନ୍ୟୁକ୍ଲିୟର ପ୍ରପଲ୍ସନ ପ୍ରୋଜେକ୍ଟରେ କାମ କରୁଥିବା ୨୯ ବର୍ଷୀୟ ଇଞ୍ଜିନିୟର ଯୋଶୁଆ ଲେ ବ୍ଲାଙ୍କ୍ ନିଜର ଟେସ୍ଲା କାର୍ରେ ଜଳି ପ୍ରାଣ ହରାଇଲେ । ପରିବାରର କହିବା ଅନୁସାରେ, ସେ ଫୋନ୍ ଓ ପର୍ସ ଘରେ ଛାଡ଼ି ଯାଇଥିଲେ । ଲସ୍ ଏଲାମୋସ ପରମାଣୁ ପ୍ରୟୋଗଶାଳାର ପ୍ରଶାସନିକ ସହଯୋଗୀ ମେଲିସା କାସିୟାସ ଓ ଅବସରପ୍ରାପ୍ତ ବୈଜ୍ଞାନି ଆନ୍ଥୋନି ଚାୱେଜ ମଧ୍ୟ ନିଖୋଜ ହୋଇଗଲେ । ଅନେକ ମାମଲାରେ ବୈଜ୍ଞାନିକମାନେ ଘରୁ ଚାଲି ଚାଲି ଯାଇଥିଲେ କିନ୍ତୁ ଆଉ ଫେରିଲେ ନାହିଁ ।
ଚୀନ୍ରେ ମଧ୍ୟ ଏ ପ୍ରକାର ମାମଲା ବଢୁଛି । ଏଠାରେ ଗତ କିଛି ବର୍ଷରେ ଅତିକମ୍ରେ ୯ ବୈଜ୍ଞାନିକଙ୍କ ମୃତ୍ୟୁ ହୋଇଛି । ଅଧିକାଂଶ ମୃତ୍ୟୁ କାର୍ ଦୁର୍ଘଟଣା, ହଠାତ୍ ରୋଗ କିମ୍ବା ଅଜ୍ଞାତ କାରଣ ବୋଲି କୁହାଯାଉଛି । ଆମେରିକାର ରିପବ୍ଲିକାନ୍ ସାଂସଦ ଏରିକ ବର୍ଲିସନ୍ କହିଛନ୍ତି, ଚୀନ୍, ରୁଷ୍ ଓ ଇରାନ ମଧ୍ୟରେ ପରମାଣୁ, ମହାକାଶ ଓ ଉନ୍ନତ ଯୁଦ୍ଧାସ୍ତ୍ରର ରେସ୍ ଚାଲିଛି । କିନ୍ତୁ ଆମେରିକାର ଶୀର୍ଷ ବୈଜ୍ଞାନିକ ନିଖୋଜ ହେଉଛନ୍ତି । ଏହା ବିଦେଶୀ ଅପରେସନ୍ ବୋଲି ସେ ଆଶଙ୍କା କରିଛନ୍ତି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏହାକୁ ଅତି ଗମ୍ଭୀର ମାମଲା କହିଛନ୍ତି । ଏଫ୍ବିଆଇ ପୂରା ମାମଲାର ଯାଞ୍ଚ ଆରମ୍ଭ କରିଛି । ଅନେକ ପୂର୍ବ ଅଧିକାରୀ ଓ ସାଂସଦ କହୁଛନ୍ତି, ଶତ୍ରୁ ଦେଶ ବୈଜ୍ଞାନିକଙ୍କୁ ଟାର୍ଗେଟ୍ କରୁଛନ୍ତି, ଯାହା ଦ୍ୱାରା ଆମେରିକାର ଟେକ୍ନୋଲୋଜି ପଛେଇ ଯିବ ।
ଆହୁରି ପଢ଼ନ୍ତୁ...କୁଶନର ଓ ୱିଟକଫଙ୍କ ପାକିସ୍ତାନ ଯାତ୍ରାକୁ ବାତିଲ କଲେ ଟ୍ରମ୍ପ , କହିଲେ -୧୮ ଘଣ୍ଟା ବିମାନରେ ଯିବା ମୂଲ୍ୟହୀନ