ମୁମ୍ବାଇ,୨୭/୫ : ୯୦ଦଶକର ଜଣାଶୁଣା ବଲିଉଡ଼ ଅଭିନେତା ଦୀପକ ତିଜୋରୀ ଅନ୍ତର୍ଜାତୀୟ ମଞ୍ଚରେ ଏକ ବଡ଼ ସଫଳତା ହାସଲ କରିଛନ୍ତି । ଫ୍ରାନ୍ସରେ ଚାଲୁଥିବା ଫ୍ରେଞ୍ଚ ରିବେରା ଫିଲ୍ମ ଫେଷ୍ଟିଭାଲ(କାନ୍ସ)ରେ ଦୀପକ ତିଜୋରୀଙ୍କୁ ‘ବେଷ୍ଟ ଆକ୍ଟର’ ଆଓ୍ବାର୍ଡ଼ରେ ପୁରସ୍କୃତ କରାଯାଇଛି । ତାଙ୍କୁ ଏହି ପ୍ରତିଷ୍ଠିତ ସମ୍ମାନ ନିର୍ଦ୍ଦେଶକ ଜୋ ରାଜନଙ୍କ ନିର୍ଦ୍ଦେଶନା ରେ ନିର୍ମାଣଧିନ ଇଂରାଜୀ ସର୍ଟ ଫିଲ୍ମ ‘Echoes Of Us’ରେ ତାଙ୍କର ଦମଦାର୍ ଅଭିନୟ ପାଇଁ ମିଳିଛି ।
ଏବେ କମର୍ଶିଆଲ ବଲିଉଡ଼ ସିନେମାରୁ ଆଡ଼େଇ ଯାଇ ଇଣ୍ଡିପେଣ୍ଡେଣ୍ଟ ଏବଂ ଅନ୍ତରାଷ୍ଟ୍ରୀୟ ସ୍ତରର ଫିଲ୍ମରେ ନିଜ ଭାଗ୍ୟ ପରୀକ୍ଷା କରୁଥିବା ଦୀପକ ତିଜୋରୀଙ୍କ କ୍ୟାରିୟର ଲାଗି ଏହି ଆଓ୍ବାର୍ଡ଼ ଏକ ପ୍ରମୁଖ ମାଇଲଖୁଣ୍ଟ ଭାବରେ ବିବେଚନା କରାଯାଉଛି। ଦୀପକ ତିଜୋରୀଙ୍କ ଏହି ଯାତ୍ରାରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ଏହା କି ଅନ୍ତରାଷ୍ଟ୍ରୀୟ ସ୍ତରରେ ଏହା ତାଙ୍କର ପ୍ରଥମ ଆଓ୍ବାର୍ଡ଼ ନୁହେଁ । ରିପୋର୍ଟ ଅନୁସାରେ କୌଣସି ଇଂରାଜୀ ଭାଷାର ଶର୍ଟ ଫିଲ୍ମ ଲାଗି ଦୀପକ ତିଜୋରୀଙ୍କ ଏହା ପ୍ରାୟ ୨୧ତମ ‘ବେଷ୍ଟ ଆକ୍ଟର’ ଆଓ୍ବାର୍ଡ଼ ଅଟେ । ଗତ କିଛି ବର୍ଷରୁ ସେ ଲଗାତର ଏଭଳି ପ୍ରୋଜେକ୍ଟ୍ସ ଏବଂ ଅନ୍ତର୍ଜାତୀୟ ନିର୍ଦ୍ଦେଶକଙ୍କ ସହ କାମ କରୁଛନ୍ତି । ଏହି କାରଣରୁ ସେ ଆଜି ଗ୍ଲୋବାଲ୍ ଫିଲ୍ମ ଫେଷ୍ଟିଭାଲ୍ ସର୍କିଟରେ କଳାକାରଭାବେ ନିଜର ଏକ ମଜବୁତ ଏବଂ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି ।
ସର୍ଟ ଫିଲ୍ମ ‘Echoes Of Us’ କେବଳ ଦୀପକ ତିଜୋରୀଙ୍କ ଆଓ୍ବାର୍ଡ଼ କାରଣରୁ ନୁହେଁ ବରଂ ନିଜ ନିଆରା କାହାଣୀ ଲାଗି ବି ଚର୍ଚ୍ଚାରେ ରହିଛି । ଏହି ଫିଲ୍ମ ଆମେରିକା ଏବଂ ୟୁରୋପର କେତେକ ବଡ଼ ଅନ୍ତରାଷ୍ଟ୍ରୀୟ ଫିଲ୍ମ ଫେଷ୍ଟିଭାଲରେ ବହୁ ଧୁମ୍ ମଚାଇଛି । ବିଶେଷ କଥା ଏହା କି ଏହି ସର୍ଟ ଫିଲ୍ମ ମାଧ୍ୟମରେ ୟୁଲିୟା ବନ୍ତୁର ବି ଅଭିନୟ ଦୁନିଆରେ ନିଜ ପ୍ରଥମ ପାଦ ରଖିଥିଲେ । ନିଜର ସ୍କ୍ରିଫ୍ଟ ଏବଂ କଳାକାରଙ୍କ ଦମଦାର୍ ପରଫର୍ମାନ୍ସ ମାଧ୍ୟମରେ ଏହି ଫିଲ୍ମ ବିଶ୍ବ ସାରା କେତେକ ଆଓ୍ବାର୍ଡ୍ସ ଏବଂ କ୍ରିଟିକ୍ସଙ୍କ ପ୍ରଶଂସା ସାଉଣ୍ଟୁଛି ।