ଡେଲାଙ୍ଗ, ୨୦/୦୨: ଡେଲାଙ୍ଗବାସୀଙ୍କୁ ଅଘୋଷିତ ବିଦ୍ୟୁତ୍ କାଟ୍ରୁ ମିଳିବ ମୁକ୍ତି । ଖୁବ୍ଶୀଘ୍ର ଠଣଠଣାରୁ ଡେଲାଙ୍ଗ ସବ୍ ଷ୍ଟେସନକୁ ବିଦ୍ୟୁତ୍ ସଂଯୋଗ କରାଯିବ । ଏହାକୁ ଦ୍ୱିତୀୟ ଉତ୍ସ ରୂପେ ବ୍ୟବହାର କରାଯିବ ବୋଲି ବିଦ୍ୟୁତ୍ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାଦ୍ୱାରା ଡେଲାଙ୍ଗ ଓ କଣାସ ବ୍ଲକର ୬୦ ହଜାର ଉପଭୋକ୍ତା ଉପକୃତ ହେବେ ।

ଖୋର୍ଦ୍ଧାରୁ ବରୁଣେଇ ଘାଟି ଦେଇ ତିରୁମଲ ଗ୍ରୀଡ୍ ଓ ସେଠାରୁ ଡେଲାଙ୍ଗ ସବ୍ ଷ୍ଟେସନକୁ ୩୩ କେଭି ବିଦ୍ୟୁତ୍ ସଂଯୋଗ କରାଯାଇଛି । ଡେଲାଙ୍ଗ ସବ୍ ଷ୍ଟେସନରୁ ବାହାରିଥିବା ୧୧ କେଭି ବିଦ୍ୟୁତ୍ ତାର ଡେଲାଙ୍ଗ ସହିତ କଣାସ ବ୍ଲକର ପ୍ରାୟ ୬୦ ହଜାର ଉପଭୋକ୍ତାଙ୍କୁ ସେବା ଯୋଗାଉଛି । ଖୋର୍ଦ୍ଧାରୁ ଜଙ୍ଗଲିଆ ଅଞ୍ଚଳ ଦେଇ ଆସିଥିବା ତାର ଉପରେ ଗଛ ଓ ଡାଳ ପଡ଼ି ଯାଉଥିବାରୁ ଅନେକ ସମୟରେ ବିଦ୍ୟୁତ୍ ସରବରାହ ବନ୍ଦ ରହୁଛି ।

ପ୍ରାୟ ୨୫ କିମି ଦୂରରୁ ଆସିଥିବା ୩୩ କେଭି ବିଦ୍ୟୁତ୍ ତାରରେ ଖରାଦିନେ ସାମାନ୍ୟ ତ୍ରୁଟି ଦେଖାଦେଲେ ସେବା ବାଧାପ୍ରାପ୍ତ ହେଉଥିବାରୁ ଅଞ୍ଚଳବାସୀ ସମସ୍ୟା ଭୋଗୁଛନ୍ତି । ସେହିପରି କଣାସ ଅଞ୍ଚଳରେ କିଛି ତ୍ରୁଟି ଦେଖାଦେଲେ ଡେଲାଙ୍ଗରୁ ବିଦ୍ୟୁତ୍ କାଟ୍ କରାଯାଉଛି । ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ହେଉଥିବାରୁ ସ୍ଥାନୀୟ ବାସିନ୍ଦା ବିଭାଗୀୟ ଅଧିକାରୀଙ୍କ ଉପରେ କ୍ଷୋଭ ପ୍ରକାଶ କରୁଛନ୍ତି । ଖୋର୍ଦ୍ଧା ସହିତ ଦ୍ୱିତୀୟ ଉତ୍ସ ଭାବେ ଅନ୍ୟ ଗ୍ରୀଡରୁ ଡେଲାଙ୍ଗକୁ ୩୩ କେଭି ବିଦ୍ୟୁତ୍ ସଂଯୋଗ ହୋଇପାରିଲେ ଏହାର ସମାଧାନ ମିଳିପାରିବ ବୋଲି ଆଶା କରି ପିପିଲି ବ୍ଲକ ଠଣଠଣା ଗ୍ରୀଡ୍‌ ବିଦ୍ୟୁତ ସଂଯୋଗ ପାଇଁ ୫ ମାସ ପୂର୍ବେ ସ୍ଥାନୀୟ ଲୋକେ ବିଭାଗକୁ ଦାବିପତ୍ର ପ୍ରଦାନ କରିଥିଲେ । ଯାହା ଏବେ କାର୍ଯ୍ୟକାରୀ ହେବାକୁ ଯାଉଛି ।

ନିମାପଡ଼ାସ୍ଥିତ ଦିଘାଳୋଠାରୁ ଠଣଠଣା ଗ୍ରୀଡ୍‌କୁ ବିଦ୍ୟୁତ୍ ଶକ୍ତି ସଂଚାରଣ ନିଗମ ଦ୍ୱାରା ୧୩୨ କେଭି ସଂଯୋଗ କରାଯାଇଛି । ସେଠାରେ ଲଗା ଯାଇଥିବା ୨୦ ଏମ୍‌ଭିଏ(ମେଗାଭୋଲ୍ଟ ଆମ୍ପିୟର) ଟ୍ରାନ୍ସଫର୍ମରରୁ ଟାଟା ପାୱାର ପିପିଲି, ମଙ୍ଗଳପୁର, ସାତଶଙ୍ଖ ସହିତ ସାକ୍ଷୀଗୋପାଳର କୁମାରେଶ୍ୱର ଅଞ୍ଚଳକୁ ୩୩ କେଭି ବିଦ୍ୟୁତ୍ ଯୋଗାଉଛି । ଗତ ଫୋନି ମହାବତ୍ୟାରେ ଡେଲାଙ୍ଗରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଠପ ହୋଇଯାଇଥିବା ବେଳେ ଠଣଠଣାରୁ ୩୩ କେଭି ତାର ସାତଶଙ୍ଖ ବଜାର ଦେଇ ପଟ୍ଟନାୟିକିଆ-ଡେଲାଙ୍ଗ ରାସ୍ତା କଡ଼ରେ ଆସି ଡେଲାଙ୍ଗ ସବ୍ ଷ୍ଟେସନକୁ ସଂଯୋଗ କରାଯାଇଥିଲା । ଅଳ୍ପ କିଛିଦିନ ପରେ ଖୋର୍ଦ୍ଧାରୁ ବିଦ୍ୟୁତ୍ ସରବରାହ ଆରମ୍ଭ ହେବାରୁ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଥିଲା । ଦୀର୍ଘ ୬ ବର୍ଷରୁ ଅଧିକ ସମୟ ଏହି ବିଦ୍ୟୁତ୍ ଖୁଣ୍ଟ ଓ ତାର ଗୁଡିକ ଅକାମି ହୋଇ ପଡ଼ି ରହିଥିବାରୁ କେତେକ ସ୍ଥାନରେ ଅସାମାଜିକ ତାର ଚୋରି କରି ନେଇଥିବା ବେଳେ ଅନେକ ସ୍ଥାନରେ ଗଛଲତା ମାଡ଼ି ଯାଇଥିବା ଦେଖିବାକୁ ମିଳିଛି ।

ଠଣଠଣାରୁ ଡେଲାଙ୍ଗକୁ ବିଦ୍ୟୁତ୍ ସଂଯୋଗ କରିବାକୁ ଦାବି ହେବାପରେ ବିଭାଗ ଏହାକୁ ବିଶେଷ ପ୍ରାଧାନ୍ୟ ଦେଇଥିଲା । ଚୋରି ଓ ଛିଣ୍ଡି ଯାଇଥିବା ସ୍ଥାନରେ ନୂଆ ତାର ଲଗାଯାଇଥିବା ବେଳେ ଖୁଣ୍ଟ ଗୁଡିକର ସ୍ଥାୟିତ୍ୱ ଯାଞ୍ଚ କରି ଆବଶ୍ୟକସ୍ଥଳେ ନୂତନ ପୋତା ଯାଇଥିଲା ।

ସେହିପରି ତାର ଉପରେ ଗଛଲତା ମାଡ଼ି ଯାଇଥିବା ସ୍ଥାନ ସଫା କରାଯାଇଛି । ଠଣଠଣାରେ ଲଗା ଯାଇଥିବା ୨୦ ଏମ୍‌ଭିଏ ଟ୍ରାନ୍ସଫର୍ମରର ପାହ୍ୟାବୃଦ୍ଧି କରାଯାଇ ୪୦ ଏମ୍ଭିଏ କରାଯିବ । ଏହାକୁ ମଞ୍ଜୁରି ମିଳି ସାରିଥିବା ବେଳେ ଆସନ୍ତା ଗ୍ରୀଷ୍ମ ପ୍ରବାହ ପୂର୍ବରୁ କାର୍ଯ୍ୟ ସମାପ୍ତ କରାଯିବ ବୋଲି ବିଦ୍ୟୁତ ବିଭାଗ ଉପଖଣ୍ଡ ଅଧିକାରୀ ରାକେଶ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି ।