ନୂଆଦିଲ୍ଲୀ,୦୮/୧୧; ବିମାନ ବନ୍ଦରରେ ନାହିଁ ନଥିବା ଭିଡ଼ । ହେଲେ ଫ୍ଲାଇଟ୍ ବିଳମ୍ବ । ଫଳରେ ଯାତ୍ରୀ ହନ୍ତସନ୍ତ । କେବେଳ ଅପେକ୍ଷା କରିବା ଛଡା ସେମାନଙ୍କ ପାଖରେ କିଛି ବାଟ ବି ନଥିଲା । ଶେଷରେ ଅପେକ୍ଷାର ଅନ୍ତ ହୋଇଛି । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜିଆଇଏ)ରେ ଶୁକ୍ରବାର ବିମାନ ଚଳାଚଳ ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲା । ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି) ସିଷ୍ଟମରେ ବଡ଼ଧରଣର ବୈଷୟିକ ତ୍ରୁଟି ଯୋଗୁ ୮୦୦ରୁ ଅଧିତ ବିମାନ ଉଡ଼ାଣ ବିଳମ୍ବ ହୋଇଥିଲା । ଆଜି ଏୟାର ଟ୍ରାଫିକ କଣ୍ଟ୍ରୋଲ ସିଷ୍ଟମରେ ଉପୁଜିଥିବା ସମସ୍ୟାର ସମାଧାନ ହୋଇଛି । ଆଉ ବିମାନ ବିଳମ୍ବ ହେବନାହିଁ । ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ମୁତାବିକ ଏଏମ୍ଏସଏସ୍ ସିଷ୍ଟମ ଏବେ ସୂଚାରୁ ରୂପେ କାମ କରୁଛି । ଫ୍ଲାଇଟ୍ ଅପରେସନ୍ ସ୍ୱାଭାବିକ ହୋଇଛି । ବିଳମ୍ବ ହୋଇଥିବା ଫ୍ଲାଇଟ୍ ଏବେ ସିଡ୍ୟୁଲ ଅନୁସାରେ ଉଡାଣ ଭରିବ । ଶୁକ୍ରବାର ରାତି ପ୍ରାୟ ୯ଟାରେ ସମସ୍ୟାର ସମାଧାନ ହୋଇଛି । ଫଳରେ ଯାତ୍ରୀଙ୍କ ମଧ୍ୟରେ ଆଶ୍ୱସ୍ତି ଆସିଛି । ବର୍ତ୍ତମାନ ବିମାନ ଚଳାଚଳ ମଧ୍ୟରେ କେବଳ ୧୯-୨୦ ମିନିଟ୍ ଫରକ ରହିଛି
ଟେକ୍ନିକାଲ ସମସ୍ୟା ପାଇଁ ଅଟୋମେଟିକ ମେସେଜ ସ୍ୱିଚିଂ ସିଷ୍ଟମ (ଏଏମଏସ୍ଏସ୍) ମଧ୍ୟ ଠିକ୍ ଭାବେ କାମ କରି ନ ଥିଲା । ଏହି ସିଷ୍ଟମ ବେଶ୍ ଜରୁରି । କାରଣ ଏହା ଏୟାର ଟ୍ରାଫିକ୍ କଣ୍ଟ୍ରୋଲରଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ଅଟୋ ଟ୍ରାକ୍ ସିଷ୍ଟମକୁ ଆପେ ଆପେ ଫ୍ଲାଇଟ ପ୍ଲାନ ସହ ଜଡ଼ିତ ତଥ୍ୟ ଦେଇଥାଏ । ଏଏମ୍ଏସ୍ଏସ୍ ବିମାନର ସ୍କାଡ୍ୟୁଲ ବା ଟେକ୍ଅଫ୍ ଏବଂ ଲ୍ୟାଣ୍ଡିଂ ବାବଦରେ ତଥ୍ୟ ପ୍ରଦାନ କରିଥାଏ । ଏଥିରେ ତ୍ରୁଟି ଯୋଗୁ ବିମାନଗୁଡ଼ିକ ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ବିଳମ୍ବରେ ଚାଲିଥିଲା । ପ୍ରାୟ ୧୨ ଘଣ୍ଟା ପରେ ତ୍ରୁଟିରେ ସୁଧାର ଆସିଛି ଏବଂ ଖୁବ୍ଶୀଘ୍ର ବିମାନ ଚଳାଚଳ ସ୍ୱାଭାବିକ ହେବ ବୋଲି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି । ଗୁରୁବାର ସନ୍ଧ୍ୟାରୁ ହିଁ ଏହି ବୈଷୟିକ ତ୍ରୁଟି ନଜରକୁ ଆସିଥିଲା ।
Passenger Advisory issued at 06:36 Hours#DelhiAirport #PassengerAdvisory #DELAdvisory pic.twitter.com/7AB6ewJoA7
— Delhi Airport (@DelhiAirport) November 8, 2025
ଫ୍ଲାଇଟ ଟ୍ରାକିଂ ୱେବସାଇଟ ଫ୍ଲାଇଟରାଡାର ୨୪ଡଟ୍କମ୍ ଅନୁସାରେ ଗୁରୁବାର ୫୧୩ ବିମାନ ବିଳମ୍ବରେ ଉଡ଼ାଣ ଭରିଥିଲା । ଏଥିଯୋଗୁ ଯାତ୍ରୀମାନଙ୍କୁ ଦିନତମାମ ନାହିଁ ନ ଥିବା ହଇରାଣ ହେବାକୁ ପଡ଼ିଛି । ଲୋକେ ଚେକ୍-ଇନ୍, ଗେଟ୍ରେ ଅପେକ୍ଷା, ବୋର୍ଡିଂ ବିଳମ୍ବ ଆଦି ଯୋଗୁ ସେମାନେ ଫ୍ଲାଇଟ୍ ମିସ୍ କରିବା ଆଶଙ୍କା ମଧ୍ୟ ଦେଖାଦେଇଥିଲା । ଦିଲ୍ଲୀ ବିମାନବନ୍ଦରରୁ ପ୍ରତ୍ୟେକ ଦିନ ୧,୫୦୦ରୁ ଅଧିକ ଫ୍ଲାଇଟ ଯାତାୟାତ କରିଥାଏ । ଏବେ ଏହି ସମସ୍ୟା ଯୋଗୁ ଏୟାରଲାଇନ ଏବଂ ଏୟାରପୋର୍ଟର ଅନ୍ୟ କାର୍ଯ୍ୟ ମଧ୍ୟ ବିଳମ୍ବ ହୋଇଛି । ଗୋଟିଏ ବିମାନ ବିଳମ୍ବ ହେଲେ ତା’ ପରକୁ ଆସିବାକୁ ଥିବା ବିମାନ ମଧ୍ୟ ସେହି ଅନୁସାରେ ବିଳମ୍ବ ହୋଇଥିଲା । ଫଳରେ ଯାତ୍ରୀଙ୍କୁ ଦୀର୍ଘ ଘଣ୍ଟା ଧରି ବିମାନବନ୍ଦରରେ ଅପେକ୍ଷା କରିବାକୁ ପଡ଼ିଥିଲା ।