ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି, ଆପ୍‌, କଂଗ୍ରେସ ସମେତ ଅନ୍ୟ ଦଳ ଜୋରଦାର ପ୍ରଚାର କରୁଛନ୍ତି । ଆମ୍‌ ଆଦମୀ ପାର୍ଟି ସବୁ ୭୦ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଗୁରୁବାର ଚତୁର୍ଥ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି । ଚତୁର୍ଥ ତାଲିକାରେ ୯ ନେତାଙ୍କୁ ସାମିଲ କରିଛି ଦଳ । ଶିଖା ରାୟଙ୍କୁ ଗ୍ରେଟର କୈଳାସରୁ ଟିକେଟ୍‌ ମିଳିଥିବା ବେଳେ ରବୀନ୍ଦ୍ର କୁମାର, ପୁନମ ଶର୍ମା, ଭୂବନ ତନଓ୍ବାର, ଚନ୍ଦନ କୁମାର ଚୌଧୁରୀ, ରବିକାନ୍ତ ଉଜୈନ, ସଂଜୟ ଗୋୟଲ, ଅନିଲ ବଶିଷ୍ଟ ଏବଂ ପ୍ରବୀଣ ନିବେଶଙ୍କୁ ଦଳ ପ୍ରାର୍ଥୀ କରିଛି । 




 ବିଜେପି ପୂର୍ବତନ ମୁଖ୍ୟମନ୍ତ୍ରୀ ମଦନଲାଲ ଖୁରାନାଙ୍କ ପୁଅ ହରୀଶ ଖୁରାନାଙ୍କୁ ମଧ୍ୟ ଟିକେଟ ଦେଇଛି । ହରୀଶ ଖୁରାନା ମୋତି ନଗର ଆସନରୁ ନିର୍ବାଚନ ଲଢ଼ିବେ ।  ତେବେ ଆଜିର ୯ ପ୍ରାର୍ଥୀଙ୍କ ସମେତ ମୋଟ ୬୮ ଆସନରେ ନିଜର ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛି ବିଜେପି । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ଫେବୃଆରୀ ୫ରେ ହେବାକୁ ଥିବା ବେଳେ ଫେବୃଆରୀ ୮ରେ ଫଳାଫଳ ଘୋଷଣା ହେବ ।

 ଏହା ପୂର୍ବରୁ ବିଜେପି ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଥିଲା । ଏହି ତାଲିକରେ ପ୍ରଧାନମନ୍ତ୍ରୀ ମୋଦୀ, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖଙ୍କ ନାଁ ସାମିଲ ରହିଛି । ବିଜେପି ଦୀର୍ଘ ୨୬ ବର୍ଷ ପରେ ପୁଣି ଥରେ ଦିଲ୍ଲୀର ଶାସନ ଗାଦିକୁ ଫେରିବାକୁ ଚାହୁଁଥିବା ବେଳେ ଗତ ଦୁଇଟି ନିର୍ବାଚନରେ ଖାତା ଖୋଲିନଥିବା କଂଗ୍ରେସ ଏଥର ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି ।

 ଦୀର୍ଘ ବର୍ଷ ଧରି ଦିଲ୍ଲୀ ଆପ୍‌ କବଜାରେ ଥିବା ବେଳେ ଏହାର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ ବିଜେପିକୁ ଲଗାତାର ଟାର୍ଗେଟ କରିଆସିଛନ୍ତି । ଏପରିକି ଦିଲ୍ଲୀ ପାଇଁ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବେ ତାକୁ ନେଇ ଦାବି କରିଆସିଛନ୍ତି କେଜ୍ରିଓ୍ବାଲ । ପ୍ରଥମେ ପରବେଶ ବର୍ମା ଏବଂ ପରେ ରମେଶ ବିଧୁରୀ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ବୋଲି କହିଥିଲେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ । ପରେ ରମେଶ ବିଧୁରୀ, କେଜ୍ରିଓ୍ବାଲଙ୍କ ଏହି ଦାବିକୁ ଖଣ୍ଡନ କରିଥିଲେ । ସେପଟେ ଦିଲ୍ଲୀ ନିର୍ବାଚନ ଲାଗି ଇଣ୍ଡି ମେଣ୍ଟରେ ଅସନ୍ତୋଷ ବୃଦ୍ଧି ପାଇଛି । ଆପ୍‌ ଏବଂ କଂଗ୍ରେସ ଏକାକୀ ନିର୍ବାଚନ ଲଢ଼ୁଥିବା ବେଳେ ଟିଏମସି ଏବଂ ସମାଜବାଦୀ ପାର୍ଟି କେଜ୍ରିଓ୍ବାଲଙ୍କୁ ସମର୍ଥନ ଜଣାଇଛନ୍ତି । ଏହାକୁ ନେଇ କଂଗ୍ରେସ ମଧ୍ୟ କ୍ଷୋଭ ପ୍ରକାଶ କରିଛି । ଇଣ୍ଡି ମେଣ୍ଟ ପାଇଁ କଂଗ୍ରେସ ବହୁ ତ୍ୟାଗ କରୁଛି ବୋଲି କଂଗ୍ରେସର ସାଧାରଣ ସଂପାଦକ କେସି ବେଣୁଗୋପାଳ କହିଛନ୍ତି ।